fbpx

ଋଷିଆ ବିମାନ ଦୁର୍ଘଟଣାରେ ସମସ୍ତ ୭୪ ଜଣଙ୍କର ମୃତ୍ୟୁ: ଅଧିକାରୀ ଦେଲେ ସୂଚନା

ନୂଆଦିଲ୍ଲୀ: ଋଷିଆ ବିମାନ ଦୁର୍ଘଟଣାକୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ସାମନାକୁ ଆସିଛି । ବିମାନରେ ଉପସ୍ଥିତ ସମସ୍ତ ଯାତ୍ରୀଙ୍କ ସମେତ କ୍ର୍ୟୁ ମେମ୍ବର ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ଦୁର୍ଘଟଣାର ଶିକାର ହୋଇଥିବା ଏହି ବିମାନରେ ୬୫ ଜଣ ବନ୍ଦୀ ୟୁକ୍ରେନ ଯାତ୍ରୀ ଥିବା ବେଳେ ୬ କ୍ର୍ୟୁ ମେମ୍ବେରଙ୍କ ସହ ଅନ୍ୟ ଯାତ୍ରୀ ଉପସ୍ଥିତ ରହିଥିଲେ । ତେବେ ୟୁକ୍ରେନ ସୀମାରେ ପଶ୍ଚିମ ବେଲଗରୋଡ ଅଞ୍ଚଳରେ ବିମାନ ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ରାଜ୍ୟପାଳ ଭ୍ୟାଚେସ୍ଲାଭ ଗ୍ଲାଡକୋଭ ।

ଗ୍ଲାଡକୋଭ କହିଛନ୍ତି ଯେ, ‘କୋରୋଚାନସ୍କି ଜିଲ୍ଲା ନିକଟରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସି ପଡ଼ିଥିଲା । ତେବେ ଏହି ଦୁର୍ଘଟଣାରେ ବିମାନରେ ଉପସ୍ଥିତ ସମସ୍ତ ଯାତ୍ରୀଙ୍କ ସହ ବିମାନର ସଦସ୍ୟ ମଧ୍ୟ ପ୍ରାଣ ହରାଇଛନ୍ତି ।’ ତେବେ ଋଷର ସୁରକ୍ଷା ମନ୍ତ୍ରାଳୟ କହିଛି ଯେ, IL-76 ବିମାନ କାର୍ଗୋ ଏୟାରକ୍ରାଫ୍ଟରେ ୟୁକ୍ରେନ ସେନାର ୬୫ ଜଣ ଯବାନଙ୍କ ସମେତ ୬ ଜଣ କ୍ରୁ୍ୟ ମେମ୍ବର ଏବଂ ଅନ୍ୟ ୩ ଜଣ ଯାତ୍ରା କରୁଥିଲେ । ତେବେ ଆଜି ସକାଳ ପ୍ରାୟ ୧୧ଟା ସମୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାଣିବାକୁ ମିଳିଛି । ସେନା ଅଦଳବଦଳ ପାଇଁ ୟୁକ୍ରେନର ଏହି ବନ୍ଦୀ ନାଗରିକମାନଙ୍କୁ ବିମାନ ଜରିଆରେ ପଠାଯାଉଥିଲା । ତେବେ ଋଷର ଦୁଇଜଣ ବରିଷ୍ଠ ଆଇନଜୀବୀ ଅଭିଯୋଗ କରିଛନ୍ତି ଯେ, ଏହି ବିମାନଟି ୟୁକ୍ରେନ ସେନା ଦ୍ୱାରା କ୍ଷେପଣାସ୍ତ୍ରରେ ଏହି ବିମାନ ଉପରେ ଆକ୍ରମଣ କରାଯାଇଛି ।

ବେଲଗରୋଡ ଉତ୍ତର-ପୂର୍ବ କୋରୋଚାନସ୍କି ଜିଲ୍ଲାରେ ଘଟିଥିବା ଏହି ଘଟଣା ଉପରେ ଯାଞ୍ଚ କରିବା ପାଇଁ ଘଟଣାସ୍ଥଳକୁ ଯାଉଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ରାଜ୍ୟପାଳ ଭ୍ୟାଚେସ୍ଲାଭ ଗ୍ଲାଡକୋଭ। ସେ କହିଛନ୍ତି ଯେ, ଅନୁସନ୍ଧାନକାରୀ ଏବଂ ଜରୁରୀକାଳୀନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି। ସେପଟେ ୟୁକ୍ରେନ ସେନାର କ୍ଷେପଣାସ୍ତ୍ର ଉତକ୍ଷେପଣ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ରିପୋର୍ଟରୁ ଜଣାଯାଇଛି।

ଯୁଦ୍ଧ ବନ୍ଦୀମାନଙ୍କ ଚିକିତ୍ସା ପାଇଁ ୟୁକ୍ରେନର ସମନ୍ୱୟ ମୁଖ୍ୟାଳୟ ଏ ନେଇ କୌଣସି ସୂଚନା ଦେଇନାହିଁ। ଟେଲିଗ୍ରାମରେ ଏକ ବିବୃତ୍ତିରେ କୁହାଯାଇଛି ଯେ, ୟୁକ୍ରେନ ସମାଜକୁ ଅସ୍ଥିର କରିବା ଉଦ୍ଦେଶ୍ୟରେ ଶତ୍ରୁ ସକ୍ରିୟ ଭାବରେ ୟୁକ୍ରେନ ବିରୋଧରେ ଅପରେସନ୍ ଜାରି କରିଛି। ୟୁକ୍ରେନ ସୀମାରେ ଥିବା ବେଲଗରୋଡ ଅଞ୍ଚଳ ଗତ କିଛି ମାସ ମଧ୍ୟରେ ୟୁକ୍ରେନରୁ ବାରମ୍ବାର ଆକ୍ରମଣର ସମ୍ମୁଖୀନ ହୋଇଥିଲା, ଯେଉଁଥିରେ ଡିସେମ୍ବର ମାସରେ କ୍ଷେପଣାସ୍ତ୍ର ଆକ୍ରମଣରେ ୨୫ ଜଣଙ୍କର ମୃତ୍ୟୁ ଘଟିଥିଲା।

Get real time updates directly on you device, subscribe now.