ନୂଆଦିଲ୍ଲୀ: ବିଶିଷ୍ଟ ଇ- କମର୍ସ ପ୍ଲାଟଫର୍ମ ଆମାଜନ୍ । ଏହି ଅନଲାଇନ୍ ପ୍ଲାଟଫର୍ମ ଅନଲାଇନ୍ ବିଜ୍ଞାପନ ସହ ଲୋକଙ୍କୁ ବିଭିନ୍ନ ପ୍ରକାର ଘର କରଣା ସାମଗ୍ରୀ, ବୈଦ୍ୟୁତିକ ଉପକରଣ ଆଦି ସେବା ପ୍ରଦାନ କରିଥାଏ । ଆମାଜନ ଅନଲାଇନ୍ ଶପିଂ ମାଧ୍ୟମରେ ଲୋକଙ୍କୁ ଅନେକ ଜିନିଷ ରିଆତି ମୂଲ୍ୟରେ ମିଳିଥାଏ । ବର୍ତ୍ତମାନ ଭାରତରେ ଆମାଜନ୍ ଏକ ନୂତନ ସେବା ଆରମ୍ଭ କରିବାକୁ ଯାଉଛି । ଏହାର ନାଁ ହେଉଛି ‘କ୍ଲିନିକ୍’ । ଏହି ଅନଲାଇନ୍ ସେବା ମଧ୍ୟମରେ ଲୋକମାନେ ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇପାରିବେ ।
ଆମାଜନର ଏହି ନୂତନ ସେବା ଅନ୍ତର୍ଗତ ଲୋକମାନେ ଅନଲାଇନ୍ ମାଧ୍ୟମରେ ଡାକ୍ତରଙ୍କ ଆପଏଣ୍ଟମେଣ୍ଟ ନେଇପାରିବେ । ଏହି ସେବା ପ୍ରେକ୍ଟୋ ଭଳି କାର୍ଯ୍ୟ କରିଥାଏ । ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ରୋଗ ପାଇଁ ଡାକ୍ତର କିମ୍ବା ମେଡିକାଲ ବିଶେଷଜ୍ଞ ଠାରୁ ଅନଲାଇନ୍ ଆପଏଣ୍ଟମେଣ୍ଟ ନେଇପାରିବେ । ସେମାନଙ୍କ କନସଲଟେସନ୍ ଚାର୍ଜ ୨୯୯ ଟଙ୍କାରୁ ଆରମ୍ଭ । ଏହି ସେବା କେବଳ ଆଣ୍ଡ୍ରଏଡ୍ ଏବଂ iOS ୟୁଜର୍ସଙ୍କ ପାଇଁ ଉପଲବ୍ଧ । କିନ୍ତୁ ଏହି ସେବାକୁ ଲାପଟପରେ ବ୍ୟବହାର କରିପାରିବେ ନାହିଁ । କନସଲଟେସନ୍ ବୁକ୍ କରିବା ପୂର୍ବରୁ ଆପଣଙ୍କ ନାମ, ବୟସ, ଜେଣ୍ଡର ଏବଂ ଫୋନ ନମ୍ବର ଭଳି ତଥ୍ୟ ପ୍ରଦାନ କରି ଏକ ପ୍ରୋଫାଇଲ ପ୍ରସ୍ତୁତ କରିବାକୁ ପଡ଼ିବ । ଏହା ବ୍ୟତୀତ ଡାକ୍ତରଙ୍କ କ୍ଲିନିକ ସୁବିଧା ସବୁଆଡ଼େ ନଥିବାରୁ ଗ୍ରାହକ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କନସଲଟେସନ୍ ସୁବିଧା ପାଇପାରିବେ । ଆମାଜନ କ୍ଲିନିକରେ ତ୍ୱଚା ରୋଗ, ସ୍ତ୍ରୀ ରୋଗ, ଶିଶୁ ରୋଗ ଏବଂ କାଉନସିଲିଂ ଭଳି କ୍ଷେତ୍ର ପାଇଁ ବିଶେଷଜ୍ଞ ଡାକ୍ତର ଉପଲବ୍ଧ ।
ଆମାଜନ୍ କ୍ଲିନିକ ତାଲିକାରେ ସମସ୍ତ ମେଡିକାଲ ଏକ୍ସପର୍ଟସଙ୍କ ପାଖରେ ସର୍ବନିମ୍ନ ୩ ବର୍ଷର ଅଭିଜ୍ଞତା ରହିଛି । ଏହା ସହ କନସଲଟେସନ୍ ସହ ଜଡ଼ିତ ସମସ୍ତ ମେଡିକାଲ ରେକର୍ଡ଼କୁ ସୁରକ୍ଷିତ ରଖାଯିବ । ଏଥିରେ ବିଭିନ୍ନ ଡାକ୍ତରଙ୍କ କନସଲଟେସନ୍ ଚାର୍ଜ ୨୯୯ରୁ ଆରମ୍ଭ କରି ୭୯୯ ଟଙ୍କା ମଧ୍ୟରେ ରହିଛି । ତେବେ ଆଭାସୀ କନସଲଟେସନର ୭ ଦିନ ପର୍ଯ୍ୟନ୍ତ ମାଗଣା ଫଲୋ- ଅପ୍ ସୁବିଧା ରହିଛି । ଏହା ବ୍ୟତୀତ ଆମାଜନରେ ଏକ ଫାର୍ମାସି ଷ୍ଟୋର ମଧ୍ୟ ରହିଛି ଯେଉଁଠାରୁ ଆପଣ ଔଷଧ କିଣି ପାରିବେ ।