fbpx

ଭାରତରେ ପ୍ରଶଂସାରେ ଶତମୁଖ ଆମେରିକା, କହିଲା ଜୀବନ୍ତ ଗଣତନ୍ତ୍ରର ଛବି ଦେଖିବାକୁ ଚାହୁଁଥିଲେ ଦିଲ୍ଲୀ ଯାଅ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହା ପୂର୍ବରୁ ଆମେରିକା ଭାରତରେ ଗଣତନ୍ତ୍ରର ପ୍ରଶଂସାରେ ଶତମୁଖର ହୋଇ ଉଠିଛି । ଆମେରିକା କହିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ଦ୍ୱାରା ଆମେରିକା ଓ ଭାରତ ସଂପର୍କ ଆହୁରି ମଜଭୁତ ହେବ ।

ଯେତେବେଳେ ରୁଷ –ୟୁକ୍ରେନ୍ ଯୁଦ୍ଧକୁ ନେଇ ସାରା ବିଶ୍ୱ ଦୁଇ ଭାଗ ହୋଇଯାଇଛି ଏବଂ ବିଶ୍ୱ ମଞ୍ଚରେ ଭାରତର ପ୍ରଭାବ ବଢିବାରେ ଲାଗିଛି ସେହି ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯାଉଛନ୍ତି । ତେବେ ଏହା ପୂର୍ବରୁ ଆମେରିକା ଭାରତୀୟ ଲୋକତନ୍ତ୍ରକୁ ଭୁରି ଭୁରି ପ୍ରଶଂସା କରିଛି । ଆମେରିକା କହିଛି ଭାରତ ଏକ ଜୀବନ୍ତ ଲୋକତନ୍ତ୍ର । ଯଦି କାହାକୁ ଏହାର ଗଣତନ୍ତ୍ରର ଅନୁଭବ ସାଉଁଟିବାର ଅଛି ତେବେ ସେ ନିଜେ ସେଠାକୁ ଯାଇ ଏହି ଅନୁଭବ ସାଉଁଟି ପାରିବ । ହ୍ୱାଇଟ୍ ହାଉସ୍ ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ପ୍ରବକ୍ତା ଜନ୍ କିର୍ଭି ଏକ ପ୍ରେସ୍ କନଫରେନ୍ସରେ କହିଛନ୍ତି, ଭାରତ ଏକ ଜୀବନ୍ତ ଲୋକତନ୍ତ୍ର । ଯଦି କେହି ଏହାକୁ ଦେଖିବାକୁ ଚାହୁଁଛନ୍ତି ତେବେ ନିଜେ ଦିଲ୍ଲୀ ଯାଇ ଏହା ଦେଖି ଆସନ୍ତୁ । ମୁଁ ଆଶା କରୁଛି ଗଣତନ୍ତ୍ରର ଶକ୍ତି ଉପରେ ଚର୍ଚ୍ଚା ଜାରି ରହିବା ଉଚିତ ।

ଭାରତର ଲୋକତନ୍ତ୍ର ଉପରେ ଉଠୁଥିବା ପ୍ରଶ୍ନର ଉତ୍ତରରେ କିର୍ଭି କହିଛନ୍ତି, ଆମେ ନିଜର ଖୋଲା ମତ ରଖିବାରେ ଆଦୌ ସଂକୋଚ କରୁନାହୁଁ । ତେଣୁ ଆପଣ(ଭାରତ) ବି ମିତ୍ର ସହ ଖୋଲି କରି କଥା ହୋଇପାରିବେ । ବିଶ୍ୱର ଯେ କୌଣସି ଦେଶକୁ ନେଇ ଆମର ଚିନ୍ତା ରହିଲେ ଆମେ ତାହା ସହ ଖୋଲାଖୋଲି କଥା ହେବାକୁ ପଛାଇ ନ ଥାଉ । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଯାତ୍ରା ଭାରତ ଓ ଆମେରିକା ସଂପର୍କକୁ ଆହୁରି ଆଗକୁ ନେଇଯିବ ।
ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲାୟଡ ଅଷ୍ଟିନ୍ଙ୍କ ଭାରତ ଗସ୍ତ ସମୟର କଥାକୁ ଉଦ୍ଧାର କରି କିର୍ଭି କହିଛନ୍ତି ଭାରତ ସହ ଆମର ଅତିରିକ୍ତ ପ୍ରତିରକ୍ଷା ସହଯୋଗ ନେଇ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇସାରିଛି । ଭାରତ ଓ ଆମେରିକା ସହିତ ବ୍ୟାପାରିକ ସଂପର୍କ ବେଶ୍ ଅଧିକ ରହିଛି । ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ସବୁ ଦିଗ ଉପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆଲୋଚନା କରିବେ ଓ ବନ୍ଧୁତ୍ୱକୁ ଆଗକୁ ବଢାଇ ନେବା ଦିଗରେ ମୋଦୀଙ୍କ ଏହି ଗସ୍ତକୁ ସ୍ୱାଗତ କରିବେ ।

ଏଠାରେ ସୂଚାଇ ଦିଆଯାଇପାରେ ଗତ ମାସରେ ଆମେରିକାର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଭାରତର ଧାର୍ମିକ ସ୍ୱତନ୍ତ୍ରତା ଉପରେ ପ୍ରଶ୍ନ ଉଠାଯାଇଥିଲା । ଏଥିରେ ଭାରତରେ ସଂଖ୍ୟା ଲଘୁ ସଂପ୍ରଦାୟ ଉପରେ ହିଂସାର ୨୦ରୁ ଅଧିକ ଘଟଣା ଉପରେ ଦୃଷ୍ଟିପାତ କରାଯାଇଥିଲା । ଏହି ରିପୋର୍ଟର ସନ୍ଦର୍ଭରେ ଜଣେ ଆମେରିକୀୟ ଅଧିକାରୀ କହିଥିଲେ ଆମେରିକା ଚାହୁଁଛି ଭାରତ ଲଗାତର ଧାର୍ମିକ ହିଂସାକୁ ନିନ୍ଦା କରୁ । ତେବେ ଏହି ରିପୋର୍ଟର ଉପସ୍ଥାପନ କରି ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନୀ ବ୍ଲିକନ୍ ଭାରତର ନାମ ନେଇ ନ ଥିଲେ । ସେ ଧାର୍ମିକ ସ୍ୱତନ୍ତ୍ରତା ନେଇ ଚୀନ୍, ଇରାନ୍, ମିଆଁମାର,ନିକାରାଗୁଆକୁ ଟାର୍ଗେଟ୍ କରିଥବଲେ । ଅନ୍ୟପକ୍ଷରେ ଭାରତ ଆମେରିକାର ଏହି ରିପୋର୍ଟକୁ ଖାରଜ କରି ଏହା ପକ୍ଷପାତପୂର୍ଣ୍ଣ ଓ ପ୍ରରୋଚନାମୂଳକ ବୋଲି କହିଥିଲା ।

 

Get real time updates directly on you device, subscribe now.