fbpx

କୁନୋ ପାର୍କରେ ଆଖି ବୁଜିଲା ଆଉ ଏକ ଚିତା: ଏବେ ମାତ୍ର ଏତିକି ଚିତା ଜୀବିତ

ଭୋପାଳ: ମଧ୍ୟପ୍ରଦେଶର କୁନୋ ନେସନାଲ ପାର୍କରେ ପୁଣି ଏକ ଚିତାର ମୃତ୍ୟୁ ହୋଇଛି । ପବନ ନାମକ ଏକ ନାମିବିଆ ଚିତା ଏହି ପାର୍କରେ ମୃତ୍ୟୁବରଣ କରିଥିବା ଜାଣିବାକୁ ମିଳିଛି । ଚିତାବାଘର ମୃତ୍ୟୁ ନେଇ କେଣସି ସୂଚନା ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ଚିତା ଶରୀରରେ କୌଣସି ଆଘାତର ଚିହ୍ନ ଦେଖିବାକୁ ମିଳିନାହିଁ । ତେବେ ଏହା ଶରୀରର ଅଧାରୁ ଅଧିକ ଅଂଶ ପାଣି ଭିତରେ ଥିବା ଦେଖାଯାଇଥିଲା । ପବନର ମୃତ୍ୟୁ ପରେ ବର୍ତ୍ତମାନ କୁନୋ ନେସନାଲ ପାର୍କରେ ମାତ୍ର ୨୪ଟି ଚିତା ରହିଛନ୍ତି । ଏଥିମଧ୍ୟରୁ ୧୨ଟି ବୟସ୍କ ରହିଥିବା ବେଳେ ୧୨ଟି ଶାବକ ରହିଛନ୍ତି ।

କୁନୋ ନେସନାଲ ପାର୍କରୁ ଚିତାବାଘର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଚିତାର ମୁଣ୍ଡ ସମେତ ଅଧାରୁ ଅଧିକ ଭାଗ ଶରୀର ପାଣି ଭିତରେ ରହିଥିବା ଦେଖାଯାଇଥିଲା । ତେଣୁ ବାଘଟି ପାଣିରେ ବୁଡ଼ିଯିବାରୁ ପ୍ରାଣ ହରାଇଥିବା ଅନୁମାନ କରାଯାଉଛି । ଏହାବ୍ୟତୀତ ଚିତାର ବାହ୍ୟ ଶରୀରରେ କୌଣସି ପ୍ରକାର କ୍ଷତ ନଥିବା ମଧ୍ୟ ଜଣାଯାଇଛି । ଡ୍ରେନ ପାଖରେ ଥିବା ଏକ ବୁଦା ମୂଳରେ ପବନକୁ ଦେଖାଯାଇଥିଲା । ମୃତଦେହର ଅବସ୍ଥାକୁ ଦେଖି ପାଣିରେ ବୁଡ଼ିବାରୁ ଚିତାବାଘର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ପରେ ପ୍ରକୃତ ସତ୍ୟ ଜଣାପଡ଼ିବ ।

‘ପ୍ରୋଜେକ୍ଟ ଚିତା’ ଜରିଆରେ ନାମିବିଆରୁ ୮ଟି ଚିତା କୁନୋ ନେସନାଲ ପାର୍କକୁ ଅଣାଯାଇଥିଲା । ୨୦୨୨ ମସିହା ସେପ୍ଟେମ୍ବରରେ ଏମାନଙ୍କୁ କୁନୋ ପାର୍କରେ ଛଡ଼ାଯାଇଥିଲା । ଏହାପରେ ୨୦୨୩ ଫେବୃଆରୀରେ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ମଧ୍ୟ ଏଠାକୁ ଆଣିଥିଲେ ଭାରତ ସରକାର । କିନ୍ତୁ ବର୍ତ୍ତମାନ କୁନୋ ନେସନାଲ ପାର୍କରେ ମୋଟ ୨୪ଟି ଚିତା ରହିଛନ୍ତି ।

Get real time updates directly on you device, subscribe now.