ପ୍ରାଥମିକ ବିଦ୍ୟାଳୟରେ ଯୋଡ଼ିହେବ ଆଉ ଗୋଟିଏ ଶ୍ରେଣୀ, ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ହେବ ବିରାଟ ପରିବର୍ତ୍ତନ

ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ପ୍ରାଥମିକ ବିଦ୍ୟାଳୟରେ ଆଉ ଗୋଟିଏ ଶ୍ରେଣୀ ଯଥା ଶିଶୁବାଟିକା-୩ ଆସନ୍ତା ଶିକ୍ଷାବର୍ଷରୁ ଏହାଦ୍ବାରା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ସଂଖ୍ୟା ୬ରେ ପହଞ୍ଚିବା

ଭୁବନେଶ୍ୱର: ପ୍ରାଥମିକ ବିଦ୍ୟାଳୟ ଉପରେ ଚାପ ବଢ଼ିବାକୁ ଯାଉଛି। ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ପ୍ରାଥମିକ ବିଦ୍ୟାଳୟରେ ଆଉ ଗୋଟିଏ ଶ୍ରେଣୀ ଯଥା ଶିଶୁବାଟିକା-୩ ଆସନ୍ତା ଶିକ୍ଷାବର୍ଷରୁ ଏହାଦ୍ବାରା ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ସଂଖ୍ୟା ୬ରେ ପହଞ୍ଚିବ । ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିଶୁବାଟିକା- ୩ରେ ନାମ ଲେଖାଇବାକୁ ଥିବା ପିଲାଙ୍କୁ ଶିକ୍ଷାଦାନ କରିବେ । କ୍ଲାସରୁମ୍‌ରେ ପିଲାଙ୍କ ଯତ୍ନ ନେବେ। ସେମାନଙ୍କ ପାଠପଢ଼ା ସହ ଖେଳକୁଦ, ନାଚଗୀତ ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ଦେଖିବେ। ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦ ଲାଗୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତ ପରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ଏଭଳି ପରିବର୍ତ୍ତନ ହେବାକୁ ଯାଉଛି ।

ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛନ୍ତି । କାର୍ଯ୍ୟକାରିତାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଏବଂ ସ୍ଥାନୀୟ ପ୍ରସଙ୍ଗୀକରଣ ସହିତ ଜାତୀୟ ପାଠ୍ୟକ୍ରମ ରୂପରେଖ ଢାଞ୍ଚାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖକୁ ପ୍ରସ୍ତୁତ କରିବା ନେଇ ଚଳିତ ମାସର ଆରମ୍ଭରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଘୋଷଣା କରିଥିଲା ।

ନୀତି କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟର ପ୍ରାରମ୍ଭିକ ପଦକ୍ଷେପର ଏକ ଅଂଶ ଭାବରେ, ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନକୁ ପ୍ରାଧାନ୍ୟ ଦେଇ ଜାତୀୟ ନୀତି ନିର୍ଦ୍ଦେଶାବଳୀ ସହିତ ସମନ୍ୱୟ ରଖି ସେପ୍ଟେମ୍ବର ୨୦୨୪ ରେ ନିପୁଣ ଓଡ଼ିଶା ଯୋଜନା ଆରମ୍ଭ କରାଯାଇଥିଲା । ଏଥିସହିତ ରାଜ୍ୟ ସରକାର ପିଏମ୍ ଶ୍ରୀ ଯୋଜନାକୁ କାର୍ଯ୍ୟକାରୀ କରି ରାଜ୍ୟର ବିଦ୍ୟାଳୟଗୁଡ଼ିକୁ ଜାତୀୟ ଶିକ୍ଷା ନୀତି କାର୍ଯ୍ୟାନ୍ୱୟନ ପାଇଁ ଆଦର୍ଶ ବିଦ୍ୟାଳୟ ଭାବେ ଉନ୍ନୀତ କରୁଛନ୍ତି । ସମ୍ପୃକ୍ତ ଶିକ୍ଷାବର୍ଷ ସେପ୍ଟେମ୍ବର ୧ ରୁ ପ୍ରଥମ ଶ୍ରେଣୀ ପାଇଁ ନାମଲେଖା ବୟସକୁ ସଂଶୋଧିତ କରି ୬ ବର୍ଷ ଓ ଉର୍ଦ୍ଧ୍ବ ବୟସ କରାଯାଇଛି ଏବଂ ଜାତୀୟ ଶିକ୍ଷା ନୀତି ୨୦୨୦ ର ପରିକଳ୍ପନା ଅନୁଯାୟୀ, ୫ ବର୍ଷ ଓ ଉର୍ଦ୍ଧ୍ବ ବୟସର ପିଲାମାନଙ୍କ ପାଇଁ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ନିମନ୍ତେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ “ଶିଶୁ ବାଟିକା” ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

୨୦୨୫-୨୬ ଶିକ୍ଷାବର୍ଷରୁ ପର୍ଯ୍ୟାୟକ୍ରମେ ରାଜ୍ୟ ପାଠ୍ୟକ୍ରମ ରୂପରେଖର ସଂଶୋଧନ ଆରମ୍ଭ କରାଯିବ, ପ୍ରଥମ ପର୍ଯ୍ୟାୟରେ ଜାତୀୟ ପାଠ୍ୟକ୍ରମ ରୂପରେଖ ଢାଞ୍ଚାରେ ରାଜ୍ୟ ପ୍ରସଙ୍ଗୀକରଣ ସହିତ ପ୍ରାରମ୍ଭିକ ପର୍ଯ୍ୟାୟକୁ ( Preparatory Stage) ଗ୍ରହଣ କରାଯିବ । ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ, ଶିଶୁର ପ୍ରଥମ ୧୫ ବର୍ଷ ଶିକ୍ଷା ( ୩-୧୮ ବର୍ଷ ବୟସ) ପର୍ଯ୍ୟାୟକ୍ରମେ ୫+୩+୩+୪ ଭିତ୍ତିରେ ପରିବର୍ତ୍ତନ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟ (Foundational Stage) (ଦୁଇ ଭାଗରେ, ଅର୍ଥାତ୍ ୩ ବର୍ଷ ଅଙ୍ଗନବାଡି, ୨ ବର୍ଷ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ, ବୟସ ୩ ବର୍ଷରୁ ୮ ବର୍ଷ ), ପ୍ରସ୍ତୁତି ପର୍ଯ୍ୟାୟ (Preparatory Stage) (ତିନି ବର୍ଷ ଅର୍ଥାତ୍ ତୃତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ, ବୟସ ୮ ବର୍ଷରୁ ୧୧ ବର୍ଷ), ମଧ୍ୟ ପର୍ଯ୍ୟାୟ (Middle Stage) ( ତିନି ବର୍ଷ ଅର୍ଥାତ୍ ଷଷ୍ଠରୁ ଅଷ୍ଟମ ଶ୍ରେଣୀ, ବୟସ ୧୧ ବର୍ଷରୁ ୧୪ ବର୍ଷ), ମାଧ୍ୟମିକ ପର୍ଯ୍ୟାୟ (Secondary Stage) ( ଚାରି ବର୍ଷ ଅର୍ଥାତ୍ ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ, ବୟସ ୧୪ ବର୍ଷରୁ ୧୮ ବର୍ଷ ) । ନୀତି କାର୍ଯ୍ୟାନ୍ୱୟନର ପ୍ରଥମ ଭାଗରେ ଶିକ୍ଷାର ପ୍ରାରମ୍ଭିକ ପର୍ଯ୍ୟାୟ (Preparatory Stage) ପରିବର୍ତ୍ତନ ଉପରେ ରାଜ୍ୟ ଧ୍ୟାନ ଦେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତି, ମଧ୍ୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ କାର୍ଯ୍ୟାନ୍ୱୟନ ଆରମ୍ଭ କରାଯିବ ।

ପୂର୍ବରୁ ଓଡ଼ିଶା ସରକାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଥିଲେ । ଏହି ଟାସ୍କ ଫୋର୍ସ ରାଜ୍ୟରେ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବା ପାଇଁ ପରାମର୍ଶ ଦେଇଥିଲା । ବର୍ତ୍ତମାନ ଭୋପାଳର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି । ଏହି ଷ୍ଟିୟରିଂ କମିଟି ସ୍ଥାନୀୟ ପରିପ୍ରେକ୍ଷୀରେ ଜାତୀୟ ପାଠ୍ୟକ୍ରମ ରୂପରେଖ (National Curriculum Frameworks) ଅନୁସାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖ ( State Curriculum Frameworks) ପ୍ରସ୍ତୁତ କରିବ ।

ରାଜ୍ୟରେ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରୀତାକୁ ସୁଗମ କରିବା ପାଇଁ, ଓଡ଼ିଶାରେ ଏକ ତିନି ଦିନିଆ ଜାତୀୟ କର୍ମଶାଳା ଜାନୁଆରୀ ୨୧ ରୁ ୨୩ ତାରିଖ ପର୍ୟ୍ୟନ୍ତ ଆୟୋଜନ କରାଯାଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏହି କର୍ମଶାଳାର ଉଦଘାଟନ କରାଯିବ । ଏହି କର୍ମଶାଳା ରାଜ୍ୟର ଶିକ୍ଷା ଗୋଷ୍ଠୀଙ୍କୁ ସଚେତନ କରିବ ଏବଂ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତିର ପର୍ୟ୍ୟାୟକ୍ରମେ କାର୍ୟ୍ୟକାରିତା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବ ।