fbpx

ଅଶ୍ୱିନୀ ହୋଇପାରନ୍ତି ଓଡ଼ିଶାରେ ବିଜେପିର ଭବିଷ୍ୟତର ଚେହେରା, ମୋଦୀଙ୍କ ପରିବର୍ତ୍ତନ ପଛରେ କ’ଣ ରହିଛି ରହସ୍ୟ, ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ପରେ ଏବେ ପାୱାର କରିଡରକୁ ନେଇ ସବୁଆଡ଼େ ଚର୍ଚ୍ଚା । ଓଡ଼ିଶାରେ ସବୁଠାରୁ ବେଶି ଚର୍ଚ୍ଚାରେ ରହିଛନ୍ତି ରାଜ୍ୟସଭା ସାଂସଦ ତଥା ବର୍ତ୍ତମାନର ରେଳ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି ଏବଂ ଇଲେକ୍ଟ୍ରାନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେବେ ମନ୍ତ୍ରୀ ପଦ ପାଇବା ନେଇ ରାଜ୍ୟରେ ଅଶ୍ୱିନୀଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଥିଲା । ସମସ୍ତ କଳ୍ପନା ଜଳ୍ପନାର ପରିସମାପ୍ତି ଘଟାଇ ମୋଦୀ ଅଶ୍ୱିନୀ ବୈଷ୍ଣବଙ୍କୁ ଓ ବିଶ୍ୱେଶ୍ୱର ଟୁଡୁଙ୍କୁ ନୂଆ ମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଥିଲେ । ବିଶ୍ୱେଶ୍ୱର ଆଦିବାସୀ ବ୍ୟାପାର, ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଅଶ୍ୱିନୀଙ୍କୁ ଏତେ ଶକ୍ତିଶାଳୀ କରିବା ପଛରେ ବିଜେପିର ନିଶ୍ଚିୟ କିଛି ଏଜେଣ୍ଡା ରହିଛି । ପୂର୍ବରୁ ରାଜ୍ୟସଭା ନିର୍ବାଚନ ସମୟରେ ଅଶ୍ୱିନୀଙ୍କ ପାଇଁ ବିଜେଡି ବିଜେପିକୁ ସମର୍ଥନ କରିଥିଲା । ଏବେ ପୁଣି ରେଳବାଇ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଅଶ୍ୱିନୀଙ୍କୁ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ପୂର୍ବରୁ ପେଟ୍ରୋଲିୟମ ମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ବର୍ତ୍ତମାନ ପଦୋନ୍ନତି ଦିଆଯାଇ ଶିକ୍ଷା, କୌଶଳ ବିକାଶ ଓ ପ୍ରଦ୍ୟୋଗିକୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି । ପୂର୍ବରୁ ଓଡ଼ିଶାରେ ବିଜେପିର ହେଭିୱେଟ୍ କହିଲେ କେବଳ ଧର୍ମେନ୍ଦ୍ରଙ୍କୁ ହିଁ ବୁଝାଉଥିଲା । ଏବେ ପୁଣି ସେହି ରେସରେ ସାମିଲ ହୋଇଛନ୍ତି ଅଶ୍ୱିନୀ । ଗତ ବିଧାନସଭା ନିର୍ବାଚନ ସମୟରେ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ବାରମ୍ବାର ଓଡ଼ିଶା ଗସ୍ତ କରିଥିଲେ । ତେବେ ମୋଦୀଙ୍କ ନିଶାଣରେ ଯେ ଓଡ଼ିଶାକୁ ରହିଛି, ତାହାକୁ ଅସ୍ୱୀକାର କରିହେବ ନାହିଁ । ଦୁଇ ଶକ୍ତିଶାଳୀ କମାଣ୍ଡରଙ୍କ ହାତରେ ଶକ୍ତିଶାଳୀ ବିଭାଗର ଦାୟିତ୍ୱ ଦେଇ ମୋଦି କ’ଣ ଲକ୍ଷ୍ୟ ରଖିଛନ୍ତି, ତାହା ଜାଣିବା ମୁସ୍କିଲ । ଓଡ଼ିଶାରେ ବିଜେପିକୁ ଶକ୍ତିଶାଳୀ କରିବା ତାଙ୍କର ଏକ ଲକ୍ଷ୍ୟ ରହିଥିବ ବୋଲି ଅନୁମାନ କରାଯାଇପାରେ । ରାଜନୀତିରେ ଅଶ୍ୱିନୀଙ୍କ ଅଭିଜ୍ଞତା ନଥିଲେ ହେଁ ପ୍ରଶାସନିକ କ୍ଷେତ୍ର ଓ କର୍ପୋରେଟରେ ରହିଛି ଅନେକ ଅଭିଜ୍ଞତା । ଅଶ୍ୱିନୀଙ୍କ ଦକ୍ଷତା ଉପରେ ଭରସା କରି ମୋଦୀ ତାଙ୍କୁ ଆଇଟି ଓ ରେଳବାଇ ଭଳି ଗୁରୁଦାୟିତ୍ୱ ସମର୍ପଣ କରିଛନ୍ତି ।

ସେହିପରି ଧର୍ମେନ୍ଦ୍ରଙ୍କୁ କୋଟି କୋଟି ପିଲାଙ୍କ ଶିକ୍ଷା ଓ ନିଯୁକ୍ତି ଦାୟିତ୍ୱ ଦେଇଛନ୍ତି ମୋଦି । ପୂର୍ବରୁ ଧର୍ମେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ ଭଳି ବଡ଼ ବଡ଼ ବିଭାଗର ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ । ତେବେ ଅଶ୍ୱିନୀ ଭବିଷ୍ୟତରେ କେବଳ ନିଜର କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବେ ନା ଓଡ଼ିଶା ରାଜନୀତିରେ ମୁଣ୍ଡ ଖେଳାଇବେ, ତାହା ସମୟ କହିବ । ଯଦି ଅଶ୍ୱିନୀ ଓଡ଼ିଶା ରାଜନୀତିରେ ଅଂଶୀଦାର ହୁଅନ୍ତି, ତେବେ ଭବିଷ୍ୟତରେ ଓଡ଼ିଶାରେ ବିଜେପିରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇପାରେ । ଓଡ଼ିଶାରେ ବିଜେପିର ଜୁଏଲ ଓରାମ, ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡାଙ୍କ ପରି ହେଭିୱେଟଙ୍କୁ ମାତ୍ ଦେଇ ଅଶ୍ୱିନୀଙ୍କ ମୁଣ୍ଡରେ ବିଜେପି ଢାଳିଥିଲା ସୁନାକଳସ । ତେଣୁ ବର୍ତ୍ତମାନ ଓଡ଼ିଶାରୁ ଆରମ୍ଭ କରି ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ଅଶ୍ୱିନୀଙ୍କୁ ନେଇ ସବୁଠି ଚର୍ଚ୍ଚା । ପୂର୍ବରୁ ରେଳବାଇ ଭଳି ଗୁରୁଦାୟିତ୍ୱ ପୀୟୂଷ ଗୋୟଲ, ମମତା ବାନାର୍ଜୀ, ନୀତିଶ କୁମାରଙ୍କ ଭଳି ଟପଙ୍କ ହାତରେ ରହିଥିବା ବେଳେ ଏବେ ଅଶ୍ୱିନୀଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବାରୁ ସେ ଏବେ ନମ୍ବରୱାନ୍ ହୋଇଯାଇଛନ୍ତି । ତେଣୁ ଅଶ୍ୱିନୀଙ୍କୁ ଆଗକୁ ମୋଦୀ କେଉଁ ରୂପରେ ରଣାଙ୍ଗନରେ ଅବତୀର୍ଣ୍ଣ କରାଇବେ, ତାହା ସମୟ ଆସିଲେ ସ୍ପଷ୍ଟ ହେବ ।

Get real time updates directly on you device, subscribe now.