fbpx

Asian Champions Trophy; ଫାଇନାଲରେ ଏଣ୍ଟ୍ରି କଲା ଟିମ ଇଣ୍ଡିଆ: ‘କୋରିଆ’ ଦେଇ ବାଜି ମାରିଲା ଭାରତ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ହାତେଇବା ପରେ ଟିମ ଇଣ୍ଡିଆରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଅଲିମ୍ପିକ୍ସ ପରେ ଏବେ ଏସିଆନ୍ ଚମ୍ପିଆନ୍ସ ଟ୍ରଫିରେ ଦମଦାର ପ୍ରର୍ଶନ ଜାରି ରଖିଛି ଭାରତ । ଲଗାତାର ବିଜୟ ସହ ବର୍ତ୍ତମାନ ଫାଇନାଲରେ ଦଳ ନିଜ ସ୍ଥାନ ପକ୍କା କରିବାରେ ସଫଳ ହୋଇଛି । ସେମି ଫାଇନାଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ଫାଇନାଲ ପାଇଁ ପାଦ ବଢାଇଛି ହରମନ ସେନା । ଦକ୍ଷିଣ କୋରିଆ ବିପକ୍ଷ ଏହି ମ୍ୟାଚରେ ଭାରତ ୪-୧ରେ ଏକତରଫା ବିଜୟ ହାସଲ କରିବା ସହ ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ପୁଣିଥରେ କମାଲ କରି ଅଧିନାୟକ ହରମନପ୍ରୀତ ସିଂହ ବିଜୟର ମହାନାୟକ ସାଜିଛନ୍ତି ।

ଏସିଆନ୍ ଚମ୍ପିଆନ୍ସ ଟ୍ରଫିର ସେମି ଫାଇନାଲରେ ଆଜି ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ଦକ୍ଷିଣ କୋରିଆ । ତେବେ ଏହି ମ୍ୟାଚରେ ଦକ୍ଷିଣ କୋରିଆକୁ ଚକମା ଦେଇ ଭାରତ ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛି । ଅଧିନାୟକ ହରମନପ୍ରୀତ ସିଂହଙ୍କ ଦମଦାର ପ୍ରଦର୍ଶନ ବଳରେ ଦକ୍ଷିଣ କୋରିଆକୁ ୪-୧ରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଲିଗ ପର୍ଯ୍ୟାୟର ସମସ୍ତ ୫ଟି ଯାକ ମ୍ୟାଚ୍ ବିଜୟୀ ହେବା ପରେ କୋଚ୍ କ୍ରେଗ ଫୁଲଟନ୍ ଏହି ମ୍ୟାଚରେ ବିଜୟର ଛକା ମାରିଛନ୍ତି । ପ୍ରଥମ କ୍ୱାର୍ଟରରୁ ହିଁ ଦକ୍ଷିଣ କୋରିଆ ବିପକ୍ଷରେ ଦବଦବା ଜାରି ରଖିବା ସହ ତୃତୀୟ କ୍ୱାର୍ଟର ଶେଷ ସୁଦ୍ଦା ୪ଟି ଗୋଲ୍ ଦେବାରେ ସଫଳ ହୋଇଥିଲା । ତେବେ ଜବାବରେ ଦକ୍ଷିଣ କୋରିଆ ମାତ୍ର ଗୋଟିଏ ଗୋଲ୍ ସ୍କୋର କରିପାରିଛି । ପଳରେ ଏହି ମ୍ୟାଚ୍ ବିଜୟ ସହ ଭାରତ ଫାଇନାଲକୁ ଏଣ୍ଟ୍ରି କରିଛି ।

ସୂଚନା ଅନୁସାରେ, ଟିମ ଇଣ୍ଡିଆ ପାଇଁ ପ୍ରଥମ କ୍ୱାର୍ଟର ଶେଷ(୧୩ତମ ମିନିଟ)ରେ ଉତ୍ତମ ସିଂହ ଗୋଟିଏ ଗୋଲ୍ କରିଥିଲେ । ଏହାପରେ ମ୍ୟାଚର ୧୯ତମ ମିନିଟରେ ଅଧିନାୟକ ହରମନପ୍ରୀତ ସିଂହ ଦ୍ୱିତୀୟ ଗୋଲ୍ ହାସଲ କରି ଦଳକୁ ଆହୁରି ଆଗୁଆ କରାଇଥିଲେ । ତେବେ ତୃତୀୟ କ୍ୱାର୍ଟରରେ ଭାରତକୁ ଦୁଇଟି ଗୋଲ୍ ମିଳିଥିବା ବେଳେ ୩୨ତମ ମିନିଟରେ ଅଧିନାୟକ ଆଉ ଏକ ଗୋଲ୍ ସଂଗ୍ରହ କରିଥିଲେ । ତେବେ ଏହାପରେ ମ୍ୟାଚରେ କମବ୍ୟାକ କରିଥିଲା ଦକ୍ଷିଣ କୋରିଆ ।

ମ୍ୟାଚରେ ପ୍ରଥମ ଗୋଲ୍ ହାସଲ କରିବା ଆଶାରେ ୩୩ତମ ମିନିଟରେ ଦକ୍ଷିଣ କୋରିଆର ୟେଙ୍ଗ ଜିହୁନ୍ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ହାସଲ କରିଥିଲେ । ତେବେ କ୍ୱାର୍ଟରର ଶେଷ ମିନିଟରେ ଗୋଲ୍ କରିବାରେ ହ୍ୟାଟ୍ରିକ କରିଥିଲେ ଅଧିନାୟକ ହରମନପ୍ରୀତ ସିଂହ । କିନ୍ତୁ ଶେଷ କ୍ୱାର୍ଟରରେ ଉଭୟ ଦଳ ତରଫରୁ କୌଣସି ଗୋଲ୍ ହୋଇନଥିଲା । ତେବେ ଦକ୍ଷିଣ କୋରିଆର ଏହି ପରାଜୟ ପରେ ଭାରତ ଫାଇନାଲରେ ସ୍ଥାନ ପକ୍କା କରିଛି ।

ତେବେ ଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆ ଟୁର୍ଣ୍ଣାମେଣ୍ଟ ଆୟୋଜକ ଚୀନକୁ ଭେଟିବ । ସେମି ଫାଇନାଲରେ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଛି ଚୀନ୍ । ଚୀନ ଏବଂ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚରେ ୧-୧ରେ ବରାବର ରହିଥିବା ବେଳେ ମ୍ୟାଚର ସମୟ ଶେଷ ହୋଇଥିଲା । ତେଣୁ ଶେଷରେ ପେନାଲ୍ଟି ଶୁଟ୍ ଆଉଟ୍ ଜରିଆରେ ମ୍ୟାଚର ଫଳାଫଳ ପ୍ରକାଶ ପାଇଥିଲା । ପେନାଲ୍ଟି ଶୁଟ୍ ଆଉଟରେ ଚୀନ୍ ୨ଟି ଗୋଲ୍ ହାସଲ କରିଥିବା ବେଳେ ପାକିସ୍ତାନ ଖାଲିହାତରେ ରହିଥିଲା । ତେବେ ଭାରତ ଏବଂ ଚୀନ୍ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୧୭ ତାରିଖରେ ଖେଳାଯିବ ।

Get real time updates directly on you device, subscribe now.