fbpx

ବଦଳିଲା ତାରିଖ: ଜୁଲାଇ ୭ରେ ହେବ ନାହିଁ ATO ପ୍ରିଲିମିନାରୀ ପରୀକ୍ଷା, ନୂଆ ତାରିଖ ଘୋଷଣା କଲା OSSC

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ହେଉଥିବା ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପଦର ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜୁଲାଇ ମାସ ୭ ତାରିଖରେ ଏଟିଓ ପ୍ରିଲିମିନାରୀ ପରୀକ୍ଷା ହେବା ନେଇ ପୂର୍ବରୁ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ ଏହା ମଧ୍ୟରେ ଉକ୍ତ ପରୀକ୍ଷା ତାରିଖ ବଦଳିବା ସହିତ ନୂଆ ତାରିଖ ଘୋଷଣା କରାଯାଇଛି । ପୂର୍ବରୁ ଜୁଲାଇ ୭ରେ ଏଟିଓ ପ୍ରିଲିମ୍ସ ହେବା ନେଇ ସ୍ଥିରୀକୃତ ହୋଇଥିବା ବେଳେ ଏବେ ଜୁଲାଇ ୧୪ (ରବିବାର) ଦିନ ହେବ ବୋଲି ଓଏସଏସସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଏଟିଓ ପ୍ରିଲିମିନାରୀ ପରୀକ୍ଷା ଜୁଲାଇ ୭ ତାରିଖରେ ହେବା ନେଇ ଗତ ୨୨ ତାରିଖରେ ଓଏସଏସସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଥିଲା । ମାତ୍ର ଏବେ ତାହାକୁ ପ୍ରତ୍ୟାହାର କରି ନିଆଯାଇଛି । ଏହି ପରୀକ୍ଷାର ସବିଶେଷ ବିବରଣୀ ଖୁବଶୀଘ୍ର ପ୍ରାର୍ଥୀଙ୍କ ପାଇଁ ଜାରି କରାଯିବ । ତେଣୁ ପ୍ରାର୍ଥୀମାନେ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ଓଏସଏସସି ପକ୍ଷରୁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ୨୫୦ଟି ଏଟିଓ ପଦ ପୂରଣ ପାଇଁ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ଏନଟିସି / ଏନଏସି ଧାରୀଙ୍କ ପାଇଁ ୧୨୫ଟି ଓ ଡିପ୍ଲୋମା / ଡିଗ୍ରୀ ଧାରୀଙ୍କ ପାଇଁ ୧୨୫ଟି ପଦ ଖାଲି ରହିଥିଲା । ପ୍ରଥମ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଏନଟିସି / ଏନଏସି/ ଆଇଟିଆଇ ପାସ ଓ ଦ୍ୱିତୀୟ ପଦ ପାଇଁ ପ୍ରାର୍ଥୀ ସର୍ବଭାରତୀୟ ବୈଷିୟକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ / ବୋର୍ଡ/ ୟୁନିଭରସିଟିରୁ ଡିପ୍ଲୋମା / ବି.ଇ/ ବି.ଟେକ ପାସ୍ ରହିଥିଲା । ଏପ୍ରିଲ ୧୪ରୁ ମେ ୧୫ ମଧ୍ୟରେ ଅନଲାଇନ୍ ପଞ୍ଜିକରଣ କରାଯାଇଥିଲା ।

Get real time updates directly on you device, subscribe now.