fbpx

(Video) ଅଳ୍ପକେ ଏକ ଗାତରେ ପଡ଼ିବାରୁ ବର୍ତ୍ତିଲା ରୋଭର ପ୍ରଜ୍ଞାନ…

ଓଡିଶା ଭାସ୍କର; ଅଳ୍ପକେ ଏକ ଗାତରେ ପଡ଼ିବାରୁ ବର୍ତ୍ତିଲା ରୋଭର ପ୍ରଜ୍ଞାନ । ଚନ୍ଦ୍ର ପୃଷ୍ଠରେ ଗଡ଼ିବା ବେଳେ ରୋଭର ପ୍ରଜ୍ଞାନ ଏହି ଗାତର ସନ୍ଧାନ କରିଛି । ଯେଉଁ ବାଟ ଦେଇ ରୋଭର ଯାଉଥିଲା ସେହିଠାରୁ ୩ ମିଟର ଆଗରେ ଏକ ଗାତ ଥିବା ଜାଣିବାକୁ ପାଇଥିଲା । ଉକ୍ତ ଖାଲର ବ୍ୟାସ ପ୍ରାୟ ୪ ମିଟର ହେବ ବୋଲି ଜଣା ପଡିଛି । କିନ୍ତୁ ଖାଲରେ ପଡ଼ିବା ପୂର୍ବରୁ ରୋଭର ସୁରକ୍ଷିତ ଭାବେ ସେଠାରୁ ଫେରିଆସିଥିଲା । ଏନେଇ ଟୁଇଟ କରି ସୂଚନା ଦେଇଛି ଇସ୍ରୋ ।

ଅଳ୍ପକେ ଏକ ବଡ଼ ବିପଦରୁ ଟଳି ଯାଇଛି ରୋଭର । ଯଦି ଉକ୍ତ ଗାତରେ ରୋଭର ଗଳି ପଡିଥାନ୍ତା ତାହେଲେ ହୁଏତ ଭୂପୃଷ୍ଠରେ ଥିବା ନିୟନ୍ତ୍ରଣ କକ୍ଷରୁ ତାହାର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥାନ୍ତା । ଫଳରେ ଭାରତର “ମୁନ ମିଶନ” ଉପରେ ଏକ ବଡ଼ କ୍ଷତି ପହଞ୍ଚିଥା’ନ୍ତା । ରୋଭରରେ ଉନ୍ନତ ମାନର ସେନସର ସିଷ୍ଟମ ଲାଗିଥିବାରୁ ଏହା ଗର୍ତ୍ତରେ ପଡ଼ିବାରୁ ବର୍ତ୍ତିଯାଇଛି । ବର୍ତ୍ତମାନ ସୁରକ୍ଷିତ ଭାବେ ଏକ ନୂଆ ମାର୍ଗରେ ଏହା ଗତି କରୁଛି ବୋଲି ଇସ୍ରୋ ପକ୍ଷରୁ ଟୁଇଟ କରି କୁହାଯାଇଛି ।

ସୂଚନା ଯୋଗ୍ୟ, ପୂର୍ବରୁ ଋଷିଆ, ଆମେରିକା ଓ ଚୀନ ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରିବାରେ ସଫଳ ହୋଇଥିବା ଭାରତ ଚତୁର୍ଥ ଦେଶ ଭାବେ ଏହି ସଫଳତା ହାସଲ କରିଛି । ସେହିପରି ବିଶ୍ୱର ପ୍ରଥମ ଦେଶ ଭାବେ ଭାରତର ଚନ୍ଦ୍ରଯାନ-୩ ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଡିଂ କରିଛି । ଦକ୍ଷିଣ ମେରୁରେ ଭାରତ ପ୍ରଥମେ ପହଞ୍ଚି ଥିବାରୁ ସେଠୁ ଯାହା ବି ତଥ୍ୟ ସଂଗ୍ରହ କରିବ ତାହା ବିଶ୍ୱରେ ପ୍ରଥମ ତଥ୍ୟ ଭାବେ ବିବେଚିତ ହେବ ।

ବର୍ତମାନ ଲ୍ୟାଣ୍ଡର ବିକ୍ରମରୁ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଧରାବତରଣ କରି ଅନେକ ତଥ୍ୟ ସଂଗ୍ରହ କରିବାରେ ଲାଗିପଡ଼ିଛି । ଆସନ୍ତା ୧୪ ଦିନ ଧରି ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଚାଲିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଇସ୍ରୋ ସେଣ୍ଟରକୁ ପଠାଇବ । ଚନ୍ଦ୍ରଯାନ-୩ ଅଭିଯାନର ମୁଖ୍ୟତଃ ୩ଟି ଲକ୍ଷ୍ୟ ରହିଛି । ପ୍ରଥମଟି ହେଲା ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର୍ ବିକ୍ରମର ଅବତରଣ । ଆବୁଡ଼ା ଖାବୁଡ଼ା ଓ ଗର୍ତ୍ତ ଥିବା ଚନ୍ଦ୍ରପୃଷ୍ଠରେ ରୋଭରର ବିଚରଣ ଓ ବିକ୍ରମ ଦ୍ୱାରା ବିଭିନ୍ନ ପରୀକ୍ଷା ନିରୀକ୍ଷା । ଏହି ପ୍ରଥମ ଓ ଦୁଇଟି ଲକ୍ଷ୍ୟ ପୂରଣ ହୋଇସାରିଛି । ଏବେ ପ୍ରଜ୍ଞାନର ମୁଖ୍ୟ କାମ ହେଲା ଚନ୍ଦ୍ରପୃଷ୍ଠର ତଥ୍ୟ ସଂଗ୍ରହ କରିବା । ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଚନ୍ଦ୍ରଯାନ ଓହ୍ଲାଇଛି ତାହା ଏକ ସମତଳ ସ୍ଥାନ । ହେଲେ ଚନ୍ଦ୍ରପୃଷ୍ଠରେ ଅନେକ ବଡ଼ ବଡ଼ ଗର୍ତ୍ତ ରହିଛି । ଏହାର ଅର୍ଥ ସେଠାରେ ପାଣି ଥାଇପାରେ । ତେଣୁ ବିକ୍ରମର ଏକ ମୁଖ୍ୟ କାମ ହେଲା ସେଠାରେ ପାଣିର ସନ୍ଧାନ କରିବା । ଯଦି ପାଣି ଥାଏ, ଏହାର ଅର୍ଥ ଜୀବନର ସତ୍ତା ସେଠାରେ ଥାଇପାରେ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ଏହାରି ଭିତରେ ଚନ୍ଦ୍ରପୃଷ୍ଠରୁ ଚନ୍ଦ୍ରଯାନ-୩ ଇସ୍ରୋ ସେଣ୍ଟରକୁ ଏକ ବଡ଼ ତଥ୍ୟ ଯୋଗାଇଛି । ଚନ୍ଦ୍ରପୃଷ୍ଠରେ ବିଭିନ୍ନ ସ୍ଥାନର ବିଭିନ୍ନ ସ୍ଥରର ତାପମାତ୍ରାକୁ ମାପିଛି ଚନ୍ଦ୍ରଯାନ-୩ । ଚନ୍ଦ୍ର ପୃଷ୍ଠର ୧୦ ସେଣ୍ଟିମିଟର ଗଭୀରତାରେ କେତେ ତାପମାତ୍ରା ରହିଛି ତାହା ବର୍ତ୍ତମାନ ରେକର୍ଡ ହୋଇପାରିଛି । ଏଥିରେ ୧୦ ରୁ ଆରମ୍ଭ କରି ୬୦ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ରେକର୍ଡ ହୋଇଛି ଯାହାକୁ ନେଇ ଏକ ଗ୍ରାଫ ମାଧ୍ୟମରେ ପ୍ରକାଶ କରିଥିଲା ଇସ୍ରୋ ।

Get real time updates directly on you device, subscribe now.