ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଏକ ବଡ଼ ଉପହାର ଦେଇ ପାରନ୍ତି । ବ୍ୟାଙ୍କ କର୍ମଚାରୀଙ୍କ ବେତନ ବୃଦ୍ଧି ପ୍ରସଙ୍ଗରେ ଭାରତୀୟ ବ୍ୟାଙ୍କିଂ ସଂଘ (ଆଇବିଏ) ସହ ଅର୍ଥ ମନ୍ତ୍ରଣାଳୟ ଖୁବଶୀଘ୍ର ଆଲୋଚନା କରିବ । ସରକାରୀ କର୍ମଚାରୀ ଓ ଅଧିକାରୀଙ୍କ ବେତନ ସମୀକ୍ଷା ପ୍ରସଙ୍ଗ ଗତ ବର୍ଷ ନଭେମ୍ବର ମାସଠାରୁ ଅଟକି ରହିଛି । ଆସନ୍ତା ଡିସେମ୍ବର ସୁଦ୍ଧା ଏହି ପ୍ରକ୍ରିୟା ସମାପ୍ତ କରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।
ଅର୍ଥ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ, ବ୍ୟାଙ୍କ କର୍ମଚାରୀଙ୍କ ବେତନ ବୃଦ୍ଧିକୁ ନେଇ ଆଲୋଚନା କରିବାକୁ ଅର୍ଥ ମନ୍ତ୍ରଣାଳୟ ଆଇବିଏକୁ କହିଛି । ଏହାଫଳରେ ନିର୍ଦ୍ଧାରିତ ସମୟରେ କର୍ମଚାରୀଙ୍କ ଦରମା ବଢ଼ିପାରିବ । ବିଭିନ୍ନ ବ୍ୟାଙ୍କର ସଂଗଠନ ସହ ଆଲୋଚନା କରିବା ପରେ ସହମତି ଆଧାରରେ ବ୍ୟାଙ୍କ କର୍ମଚାରୀଙ୍କର ବେତନ ବୃଦ୍ଧି ନିଷ୍ପତ୍ତି ଗ୍ରହଣ କରାଯାଇଥାଏ । ବେତନରେ ପରିବର୍ତ୍ତନ କ୍ଷେତ୍ରରେ ନିରପେକ୍ଷତା ଓ ସମାନତାକୁ ଗୁରୁତ୍ୱ ଦିଆଯିବା ସପକ୍ଷରେ ମନ୍ତ୍ରଣାଳୟ ରହିଛି ।
ବେତନ ବୃଦ୍ଧି ଘଟିବା ଫଳରେ ବିଭିନ୍ନ ପରିସ୍ଥିତିରେ ସୁଧାର ଆଣିବା ସହିତ ବ୍ୟାଙ୍କିଂ କ୍ଷେତ୍ରର କର୍ମଚାରୀଙ୍କୁ ଏହା ପ୍ରୋତ୍ସାହିତ କରିବାରେ ସହାୟକ ହେବ । ସମସ୍ତ ବେତନ ସମ୍ବନ୍ଧୀୟ ଆଲୋଚନା ପରବର୍ତ୍ତୀ ଅବଧି ଆରମ୍ଭ ହେବା ପୂର୍ବରୁ ଶେଷ ହେବା ଉଚିତ, କାରଣ ଏହାଦ୍ୱାରା ନିର୍ଦ୍ଧାରିତ ତାରିଖଠାରୁ ବେତନ ସଂଶୋଧନ କାର୍ଯ୍ୟକାରୀ ହୋଇ ପାରିବ । ପବ୍ଲିକ ସେକ୍ଟର ବ୍ୟାଙ୍କର କର୍ମଚାରୀଙ୍କ ପାଇଁ ବେତନ ବୃଦ୍ଧି ଏକ ଜଟିଳ ପ୍ରସଙ୍ଗ ହୋଇଥିବା ବେଳେ ବେତନ ବୁଝାମଣା ଏକ କଠିନ ଓ ବିଳମ୍ବିତ ପ୍ରକ୍ରିୟା ଅଟେ । ଏହି କଥାବାର୍ତ୍ତା ପ୍ରକ୍ରିୟା ଆସନ୍ତା ଡିସେମ୍ବର ପହିଲା ସୁଦ୍ଧା ସାରିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।