ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ନେଇ ଏକ ବଡ ସଂକେତ ଦେଇଛି ଭାରତୀୟ କ୍ରିକେଟ ବୋର୍ଡ । ୱିକେଟ କିପର ଋଷଭ ପନ୍ତଙ୍କ ସ୍ଥାନରେ କେଉଁ ଖେଳାଳି ପାଇବେ ବିଶ୍ୱକପ ଟିକେଟ, ସେ ନେଇ ଏକ ବଡ ସୂଚନା ଦେଇଛି ବିସିସିଆଇ । ଦୁର୍ଘଟଣାର ଶିକାର ହୋଇ ପନ୍ତ ଦଳରୁ ବାଦ୍ ପଡିଥିବା ବେଳେ ଭାରତ ପାଇଁ ୱିକେଟ କିପର ବ୍ୟାଟ୍ସମ୍ୟାନ ପାଇଁ ଚିନ୍ତାରେ ପଡିଯାଇଛି । କିନ୍ତୁ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ଖୋଜି ବାହାର କରିପାରିଛି ବୋର୍ଡ । ଏହି ଭୂମିକା ପାଇଁ ଭାରତ ଦୁଇ ଜଣ ଖେଳାଳିଙ୍କ ଉପରେ ନଜର ରଖିଛି ।
ଆହତ ଋଷଭ ପନ୍ତଙ୍କ ପାଇଁ ଚଳିତବର୍ଷ କମବ୍ୟାକ କରିବା ଏକ ପ୍ରକାର ଅସମ୍ଭବ ମନେ ହେଉଛି । ତେଣୁ ଦଳରେ ତାଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ସୁଯୋଗ ଦିଆଯିବ, ସେ ନେଇ ଆଲୋଚନା କରୁଛି ବିସିସିଆଇ । ତେବେ ଟିମ ଇଣ୍ଡିଆର ଷ୍ଟାର ଖେଳାଳି ଇଶାନ କିଶାନ କିମ୍ବା କେ.ଏଲ ରାହୁଲ ଦଳ ପାଇଁ ୱିକେଟ କିପର ଭୂମିକାରେ ନଜର ଆସି ପାରନ୍ତି । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଋଷଭ ପନ୍ତ ସୁସ୍ଥ ହୋଇ ଫେରିବା ପାଇଁ ପ୍ରାୟ ଆହୁରି ୬-୭ ମାସ ସମୟ ଲାଗିବ । ତେଣୁ ରାହୁଲ ଏବଂ ଇଶାନ କିଶାନଙ୍କୁ ଦଳରେ ଆଗକୁ ସୁଯୋଗ ମିଳିପାରେ । ଉଭୟ ଖେଳାଳିଙ୍କୁ ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତ କରାଯାଉଛି ।
କିନ୍ତୁ ରାହୁଲ ଦଳର ପ୍ରଥମ ପସନ୍ଦ ରହିଛନ୍ତି । ତେଣୁ ଋଷଭଙ୍କ ସ୍ଥାନରେ ଜଣେ ଅତିରିକ୍ତ ଅଲରାଉଣ୍ଡରଙ୍କୁ ଦଳରେ ସାମିଲ କରାଯାଇପାରେ । ଏହାଦ୍ୱାରା ଭାରତୀୟ ଟିମକୁ ସନ୍ତୁଳନ କରିପାରିବ । ଋଷଭ ପନ୍ତଙ୍କ ଅନୁପସ୍ଥିତିରେ ବର୍ତ୍ତମାନ କେ.ଏଲ ରାହୁଲ ୱିକେଟ କିପିଙ୍ଗ ଦାୟିତ୍ୱ ତୁଲାଉଛନ୍ତି । ତେବେ ଇଶାନ କିଶାନ ଦଳର ବ୍ୟାକଅପ୍ ୱିକେଟ କିପର ଭାବରେ ବିଶ୍ୱକପର ସଦସ୍ୟ ହୋଇପାରନ୍ତି ।