ନୂଆଦିଲ୍ଲୀ: ବିନା ହଲମାର୍କିଂରେ ସୁନା ଗହଣା ଏବେ ବି ଦେଶର ଅନେକ ସ୍ଥାନରେ ବିକ୍ରି ହେଉଛି। ହଲମାର୍କିଂ ବିନା ବିଭିନ୍ନ ରାଜ୍ୟର ଆଉ ୧୮ଟି ଜିଲ୍ଲାରେ ସୁନା ଗହଣା ବିକ୍ରି ହେବ ନାହିଁ ବୋଲି ସରକାର ଗୁରୁବାର ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ୨୦୨୧ ଜୁନ୍ ୨୩ ତାରିଖରୁ ହଲମାର୍କିଂ ନିୟମ ଲାଗୁ ହେବା ପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ୪୦ କୋଟି ସୁନା ଗହଣା ହଲମାର୍କ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ସରକାର ଏହାକୁ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ କରୁଛନ୍ତି। ତେବେ ୨୦୨୧ ଜୁନ୍ ୨୩ତାରିଖରେ ଦେଶରେ ଏହି ନିୟମ ଲାଗୁ ହୋଇଥିଲା। କିନ୍ତୁ ବିଭିନ୍ନ ଜିଲ୍ଲାରେ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି।
ଆନ୍ଧ୍ରପ୍ରଦେଶ, ବିହାର, ହରିୟାଣା, ହିମାଚଳ ପ୍ରଦେଶ, କେରଳ, ଓଡ଼ିଶା, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ୧୮ଟି ଜିଲ୍ଲାରେ ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ଏହାକୁ ମିଶାଇ ଏବେ ଦେଶରେ ୩୬୧ଟି ଜିଲ୍ଲା ରହିଛି ଯେଉଁଠି ଗହଣା ଦୋକାନରେ ବିନା ହଲମାର୍କିଂରେ ଗହଣା ଓ ସୁନା ବିକ୍ରି ହେଉଛି। ସରକାର ଏବେ ଦେଶରେ ଗହଣା ବ୍ୟବସାୟୀଙ୍କ ପଞ୍ଜୀକରଣ ଉପରେ କାମ କରୁଛନ୍ତି। ଏହି କାରଣରୁ ଦେଶରେ ପଞ୍ଜୀକୃତ ଗହଣା ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ପୂର୍ବ ତୁଳନାରେ ବହୁତ ଅଧିକ ବୃଦ୍ଧି ପାଇଛି । ପୂର୍ବରୁ ପଞ୍ଜୀକୃତ ଗହଣା ବ୍ୟବସାୟୀଙ୍କ ସଂଖ୍ୟା ମାତ୍ର ୩୪,୬୪୭ ଥିବା ବେଳେ ଏବେ ଏହା ୧,୯୪,୦୩୯କୁ ବୃଦ୍ଧି ପାଇଛି।
ଏହାବ୍ୟତୀତ ହଲମାର୍କିଂ ସେଣ୍ଟର ସଂଖ୍ୟା ମଧ୍ୟ ୯୪୫ରୁ ୧୬୨୨କୁ ବୃଦ୍ଧି ପାଇଛି। ଯଦି ଆପଣଙ୍କ ପାଖରେ କୌଣସି ଅଳଙ୍କାର ଅଛି ଯେଉଁଥିରେ ହଲମାର୍କିଂ ଅଛି, କିନ୍ତୁ ଆପଣ ସନ୍ଦେହ କରନ୍ତି ଯେ ଏହା ସଠିକ୍ ହଲମାର୍କିଂ କି ନାହିଁ, ତେବେ ଆପଣ ଏହାକୁ ବିଆଇଏସ କେୟାର ମୋବାଇଲ ଆପ୍ ମାଧ୍ୟମରେ ଚିହ୍ନିପାରିବେ। ଏହି ଆପ୍ ବ୍ୟବହାର କରି ଗ୍ରାହକମାନେ ହଲମାର୍କ ହୋଇଥିବା ସୁନା ଅଳଙ୍କାରର ସତ୍ୟତା ଯାଞ୍ଚ କରିପାରିବେ ଏବଂ ଉତ୍ପାଦର ଗୁଣବତ୍ତା କିମ୍ବା ବିଆଇଏସ୍ ମାର୍କର ଅପବ୍ୟବହାର ବିଷୟରେ ମଧ୍ୟ ଅଭିଯୋଗ କରିପାରିବେ।