ପିଆଜ ଷ୍ଟକ୍ ବଢ଼ାଇବା ପାଇଁ ବଡ଼ ଯୋଜନା; ୫ ଲକ୍ଷ ଟନ୍ ପିଆଜ କିଣିବାକୁ ଯାଉଛନ୍ତି ସରକାର

ନୂଆଦିଲ୍ଲୀ: ପିଆଜ ପାଇଁ ଯେପରି ସାଧାରଣ ଲୋକ ଆଉ ଅସୁବିଧାରେ ନ ପଡ଼ନ୍ତି ସେଥିପାଇଁ ପ୍ରସ୍ତୁତି ଜୋରଦାର କରୁଛନ୍ତି ସରକାର। ଏଥିପାଇଁ ସରକାର ପିଆଜର ସୁରକ୍ଷିତ ମହଜୁଦ ବଢ଼ାଇବା ପାଇଁ ଯୋଜନା ଉପରେ କାମ କରୁଛନ୍ତି ଏବଂ ସେହି ଯୋଜନା ଅଧୀନରେ ଲକ୍ଷ ଲକ୍ଷ ଟନ୍ ପିଆଜ କିଣାଯିବାକୁ ଯାଉଛନ୍ତି।

ସରକାର ବଡ଼ ଶୀତଳ ଭଣ୍ଡାର ସୃଷ୍ଟି କରିବେ। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ସରକାର ଚଳିତ ବର୍ଷ ୫ ଲକ୍ଷ ଟନ୍ ପିଆଜ କିଣିବାକୁ ଯୋଜନା କରୁଛନ୍ତି। ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର ଶୀତଳ ଭଣ୍ଡାର ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ଚାଷୀଙ୍କଠାରୁ ପିଆଜ କିଣି ଋତୁରେ ଗଚ୍ଛିତ ରଖାଯାଇଥାଏ। ଦର ବୃଦ୍ଧି ଆରମ୍ଭ ହେଲେ ସରକାର ଶୀତଳ ଭଣ୍ଡାରରୁ ପିଆଜ ବଜାରକୁ ପଠାନ୍ତି, ଯାହା ଦର ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

ଖାଦ୍ୟ ଓ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ସରକାର ୫ ଲକ୍ଷ ଟନ୍ ଶୀତଳ ଭଣ୍ଡାର ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଗତବର୍ଷ ମଧ୍ୟ ସରକାର ୫ ଲକ୍ଷ ଟନ୍ ପିଆଜକୁ ଶୀତଳ ଭଣ୍ଡାରରେ ରଖିଥିଲେ, ଯାହା ଗତ କିଛି ମାସ ମଧ୍ୟରେ ଦରନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥିଲା। ଗତବର୍ଷ ସୃଷ୍ଟି ହୋଇଥିବା ଶୀତଳ ଭଣ୍ଡାରରେ ଏବେ ବି ୧ ଲକ୍ଷ ଟନ୍ ପିଆଜ ବାକି ରହିଛି।

ସେପଟେ ଘରୋଇ ବଜାରରେ ପିଆଜ ଦରନିୟନ୍ତ୍ରଣ ପାଇଁ ବର୍ତ୍ତମାନ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଛି ସରକାର। ରପ୍ତାନି ଉପରେ ଏହି ପ୍ରତିବନ୍ଧକ ୩୧ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଲାଗୁ ହେବ। ବର୍ତ୍ତମାନ ପାଇଁ ସରକାର ଭୁଟାନ, ବାହାରେନ ଏବଂ ମରିସସ୍ ଭଳି ଦେଶକୁ ପିଆଜ ଯୋଗାଣ ପାଇଁ ରପ୍ତାନି କଟକଣାକୁ କୋହଳ କରିଛନ୍ତି। ମାର୍ଚ୍ଚ ୩୧ ପରେ ରପ୍ତାନି ଉପରେ କଟକଣା ଜାରି ରହିବ ବୋଲି ଆଶା କରାଯାଉଛି।