fbpx

ରାମସାର ସାଇଟ୍‍ ହୀରାକୁଦ ଜଳଭଣ୍ଡାରରେ ବଢ଼ିଲା ପକ୍ଷୀଙ୍କ ସଂଖ୍ୟା, ସାତକୋଶିଆରେ ମଧ୍ୟ ପକ୍ଷୀ ଗଣନା ସରିଲା

AAKASH

ହୀରାକୁଦ: ନିକଟରେ ରାମସାର ସାଇଟ୍‍ ଭାବେ ଘୋଷଣା ହୋଇଥିବା ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଜଳଭଣ୍ଡାର ଓ ସଂଲଗ୍ନ ପାୱାର ଚ୍ୟାନେଲ ଜଳାଶୟରେ ରେକର୍ଡ ସଂଖ୍ୟକ ୩ ଲକ୍ଷ ୧୬ ହଜାର ୬୭୬ଟି ପକ୍ଷୀ ଥିବା ଗତ ୮ ତାରିଖରେ ହୋଇଥିବା ଜନଗଣନାରୁ ଜଣାପଡ଼ିଛି । ୨୦୨୨ ତୁଳନାରେ ପକ୍ଷୀଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ବୃଦ୍ଧି ପାଇଛି । ଚଳିତ ବର୍ଷ ମୋଟ ୧୦୮ ପ୍ରଜାତିର ପକ୍ଷୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରେ ୧୦ଟି ନୂଆ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଛି, ଯେଉଁଗୁଡ଼ିକ ପ୍ରଥମକରି ହୀରାକୁଦ ଜଳଭଣ୍ଡାରକୁ ଅତିଥି ହୋଇ ଆସିଛନ୍ତି ।

ଚଳିତ ବର୍ଷ ପକ୍ଷୀ ଗଣନା ପାଇଁ ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପିଥିବା ହୀରାକୁଦ ଜଳଭଣ୍ଡାରକୁ ୧୪ଟି ଓ ପାୱାର ଚ୍ୟାନେଲକୁ ଗୋଟିଏ, ଏହିପରି ୧୫ଟି ସେକ୍ଟରରେ ଭାଗ କରାଯାଇଥିଲା। ସେଥିମଧ୍ୟରୁ ଓଡ଼ିଶା-ଛତିଶଗଡ଼ ସୀମାରେ ଥିବା ସେକ୍ଟର-୬ରେ ୬୬ଟି ପ୍ରଜାତିର ସର୍ବାଧିକ ୮୫ ହଜାର ୨୧୬ଟି ପକ୍ଷୀ, ବରଗଡ଼ ଜିଲ୍ଲାର ଗୋବିନ୍ଦପୁର ଅଞ୍ଚଳରେ ଥିବା ସେକ୍ଟର-୫ରେ ୬୫ ପ୍ରଜାତିର ୭୨ ହଜାର ୨୭୫ ପକ୍ଷୀ, ଝାରସୁଗୁଡ଼ା ଜିଲ୍ଲା ଝାରପଡ଼ା ଅଞ୍ଚଳସ୍ଥିତ ସେକ୍ଟର-୭ରେ ୪୮ଟି ପ୍ରଜାତିର ୪୦ ହଜାର ୩୭୨ଟି ପକ୍ଷୀକୁ ଗଣତି କରାଯାଇଥିଲା ।ଏହି ତିନୋଟି ସେକ୍ଟରରେ ୨ ଲକ୍ଷ ପାଖାପାଖି ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା ।

ସେହିପରି ପକ୍ଷୀ ଗଣନା ସାତକୋଶିଆରେ ଆଜି ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମ ଗୋଟିଏ ଦିନ ଧରି ହୋଇଥିଲା। ସାତକୋଶିଆ ବନ୍ୟପ୍ରାଣୀ ବନକୁଣ୍ଡ ସମେତ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ, ଆଠମଲ୍ଲିକ ବନଖଣ୍ଡ ଓ ଆଠଗଡ଼ ବନଖଣ୍ଡରେ ଥିବା ମହାନଦୀ ଓ ଜଳାଶୟଗୁଡ଼ିକରେ ବନବିଭାଗ ପକ୍ଷରୁ ପକ୍ଷୀଗଣନା କାର୍ଯ୍ୟ ହୋଇଥିଲା । ଏଥିରେ ତାଲିମପ୍ରାପ୍ତ ବନ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଏଥିପାଇଁ ମୋଟ ୧୫ଟି ଟିମ୍‍ ଗଠନ ହୋଇଥିଲା । ଗୋଟିଏ ଦିନରେ ମହାନଦୀ ଗଣ୍ଡରେ ୨୨ କିଲୋମିଟର ସହ ସବୁ ଅଞ୍ଚଳ ମିଶାଇ ପ୍ରାୟ ୪୦ କିଲୋମିଟରରୁ ଊର୍ଦ୍ଧ୍ୱ ଇଲାକାରେ ଏହି ପକ୍ଷୀଗଣନା କରାଯାଇଥିଲା । ପକ୍ଷୀମାନଙ୍କୁ ଅତି ନିକଟରୁ ଚିହ୍ନଟ କରିବା ପାଇଁ ସ୍ୱତନ୍ତ୍ର କ୍ୟାମେରା ଓ ବାଇନାକୁଲର ବ୍ୟବହାର କରାଯାଇଥିଲା ।

ତେବେ ୧୫ଟି ଦଳ ଟିକରପଡ଼ା’ଠାରୁ ବାଲିପୁଟ ଉତ୍ତରପାଶ୍ୱର୍, କଟରଙ୍ଗଘାଟ’ଠାରୁ ବାଲିପୁଟ, ବାଲିପୁଟ’ଠାରୁ ଚକ୍ରଗଡ଼, ହରଭଙ୍ଗା’ଠାରୁ ଅଏଡ଼ା, ମୋରଡ଼ା’ଠାରୁ କୁତ୍ତୁରି, ବେଲପୁଞ୍ଜିମଠ, ଶିଶୁପଥର ଡ୍ୟାମ, ବିନିକେଇରୁ ପତାକା ଆଦି ଅଞ୍ଚଳରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା । ଏଥିରେ ୧୨ଟି ଡଙ୍ଗା ଓ ଦୁଇଟି ବୋଟ୍‍ ବ୍ୟବହାର ହୋଇଥିଲା । ଚଳିତ ବର୍ଷ ପାଗ ଅନୁକୂଳ ରହିଥିବାରୁ ଅନେକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥିବା ଓ ଆହୁରି ଅନେକ ପକ୍ଷୀ ଆସିବେ ବୋଲି ସାତକୋଶିଆ ଇଉୠଙ ଶୁଭେନ୍ଦୁ ବେହେରା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.