fbpx

ଆସନ୍ତାକାଲି ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ: ଜାଣନ୍ତୁ, ଏହି ଅବସରରେ କେଉଁ ସବୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି

ଓଡିଶା ଭାସ୍କର: ଆସନ୍ତାକାଲି ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଦଳ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସାଇକେଲ ରାଲି, ଗଣଦୌଡ଼, ସାଧାରଣ ସଭା ସହ ରକ୍ତଦାନ ଓ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମ ଦଳ ପକ୍ଷରୁ ଆୟୋଜନ କରାଯିବ। ତେବେ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଦଳର ସଭାପତି ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିଷ୍ଠା ଦିବସ ଅବସରରେ ନବୀନ ଓଡ଼ିଶା ଗଢିବା ନେଇ ସଂକଳ୍ପ ନେବେ ବିଜେଡି କର୍ମୀ ଓ ନେତା । ସେହିପରି ଦଳୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସେବା ଓ ବିକାଶର ବାର୍ତ୍ତା ଦେବ ବିଜେଡି।

ସୂଚନା ଅନୁଯାୟୀ, ବିଜେଡିର ଏହି ୨୭ତମ ପ୍ରତିଷ୍ଠା ସମାରୋହ ସମସ୍ତ ନିର୍ବାଚନ ମଣ୍ଡଳୀ, ବ୍ଲକ ଓ ପୌରାଞ୍ଚଳରେ ପାଳନ କରାଯିବ। ଏହି ଦିବସରେ ଗଣଦୌଡ଼ ସହ ସାଇକେଲ ରାଲି ପରି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସକାଳ ୮ଟାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ୱର ବିମାନବନ୍ଦର ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଯାଏଁ ବିଶାଳ ସାଇକେଲ ଶୋଭାଯାତ୍ରା କରାଯିବ। ସେହିପରି ଶଙ୍ଖ ଭବନ ସମେତ ବିଭିନ୍ନ ସ୍ଥାନରେ ମେଗା ରକ୍ତଦାନ ଶିବିରର ଆୟୋଜନ କରାଯାଉଛି। ତେବେ ୨୭ ବର୍ଷର ଦଳ ଭାବେ ଓଡିଶାରେ କ୍ଷମତା ବଜାୟ ରଖି ଆସିଛି ବିଜୁ ଜନତା ଦଳ। ପିଢ଼ି ପରେ ପିଢ଼ି ବଦଳି ଚାଲିଥିବା ବେଳେ ଅନେକ ନବାଗତ ନେତା ଦଳର ନେତୃତ୍ୱ ଭାର ନେଇଛନ୍ତି। ଅନ୍ୟପଟେ ଦୀର୍ଘ ଦଶନ୍ଧି ଧରି ସରକାରରେ ଥିବା ବିଜେଡି ପୁଣି ୨୦୨୪ ସାଧାରଣ ନିର୍ବାଚନରେ ସରକାର ଗଢିବା ଆଶାରେ ରହିଛି।

 

Get real time updates directly on you device, subscribe now.