fbpx

କେନ୍ଦ୍ରାପଡ଼ା ଆସନରେ ଉଡ଼ିବ କାହାର ବାନା: ନେତା ବଦଳିଲେ- ନୀତି ବଦଳିଲା, ଲଢ଼େଇରେ ବାଜି ମାରିବ କିଏ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ସେହିପରି ଆସନ୍ତା ମେ ମାସ ୧୩, ୨୦, ୨୫ ଓ ଜୁନ ମାସ ୧ ତାରିଖରେ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ମତଦାନ ଗ୍ରହଣ କରାଯିବ । ତେବେ ବର୍ତ୍ତମାନ ସମୟରେ ରାଜ୍ୟର ତିନି ପ୍ରମୁଖ ରାଜନେତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଅନ୍ୟପଟେ ନେତାମାନେ ଦଳ ବଦଳ କରୁଥିବାରୁ ଅନେକ ଆସନରେ ଦଳୀୟ ଭୋଟ ବିଭାଜନ ହେବାର ସମ୍ଭାବନା ରହିଛି । ତେଣୁ ଏପରି ସ୍ଥିତିରେ ଅଧିକାଂଶ ଲୋକସଭା ଓ ବିଧାନସଭା ଆସନରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି ।

ଗତ ୨୦୧୯ ନିର୍ବାଚନର କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେଡି ଓ ବିଜେପି ମଧ୍ୟରେ ହାଇଭୋଲଟେଜ୍ ଟକ୍କର ହୋଇଥିଲା । ଉକ୍ତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ସିନେ ତାରକା ଅନୁଭବ ମହାନ୍ତିଙ୍କ ଠାରୁ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ପରାସ୍ତ ହୋଇଥିଲେ । ମାତ୍ର ଏଥର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି । କେନ୍ଦ୍ରାପଡ଼ା ଆସନରୁ ବିଜେଡି ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଗତ ଫେବୃଆରୀ ମାସରେ ଅଂଶୁମାନ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଭଳି ଏକ ସମ୍ମାନଜନକ ଆସନ ପାଇଁ ଦଳ ତାଙ୍କ ଉପରେ ଭରସା କରିଛି । ଗତ ୨୦୧୪ ବିଧାନସଭା ନିର୍ବାଚନରେ ଅଂଶୁମାନ ରାଜନଗର ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ । ତେଣୁ ଅଂଶୁମାନଙ୍କ ପ୍ରାର୍ଥୀତ୍ୱ ବିଜେଡିକୁ କେତେ ଫାଇଦା ଦେବ ତାହା ପରେ ଜଣାପଡ଼ିବ ।

ଗତ ଥର କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇଥିବା ଅନୁଭବ ନିକଟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଉକ୍ତ ଆସନ ପାଇଁ ବିଜେପି ବୈଜୟନ୍ତଙ୍କୁ ପୁଣି ଥରେ ରିପିଟ୍ କରିଛି । ଗତ ଥର ବୈଜୟନ୍ତ-ଅନୁଭବଙ୍କ ମଧ୍ୟରେ ମୁହାଁମୁହିଁ ମୁକାବିଲା ଦେଖିବାକୁ ମିଳିଥିବା ବେଳେ ଚଳିତ ଥର ଏହି ଦୁଇ ନେତା ପଦ୍ମ ପାର୍ଟିରେ ରହିଛନ୍ତି । ଗତ ଥରର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଏଥର ଗୋଟିଏ ଦଳରେ ମିତ୍ର ହୋଇଛନ୍ତି କହିଲେ ଚଳେ । କାରଣ ପ୍ରତ୍ୟେକ ଦଳର ପ୍ରାର୍ଥୀଙ୍କୁ ନିର୍ବାଚନରେ ଜିତାଇବାକୁ ଦଳର ସମସ୍ତ ନେତା ଓ କର୍ମକର୍ତ୍ତାମାନେ ପ୍ରୟାସ କରିଥାନ୍ତି । କିଛି ଭୋଟର ଦଳକୁ ଆଧାର କରି ମତଦାନ କରୁଥିବା ବେଳେ ଆଉ କିଛି ନେତାଙ୍କୁ ଗୁରୁତ୍ୱ ଦେଇ ମତଦାନ କରିଥାନ୍ତି । ତେଣୁ ଅନୁଭବ ଓ ବୈଜୟନ୍ତଙ୍କ ବ୍ୟକ୍ତିଗତ ଭୋଟ ବ୍ୟାଙ୍କ ଦଳ ବିଜେପିକୁ କେତେ ଫାଇଦା ଦେବ ତାହା ଏକ ବଡ଼ ପ୍ରଶ୍ନ । ଏହି ଆସନ ପାଇଁ ବିଜେଡି ଏଥର ନୂଆ ନୀତି ଆପଣାଇଥିବା ବେଳେ ବିଜେପି ମଧ୍ୟ ନୂଆ ତରିକା ଆପଣାଇଛି । ବିଜେଡିର ନେତା ବଦଳିଥିବା ବେଳେ ବିଜେପିର ଅପରିବର୍ତ୍ତିତ ରହିଛନ୍ତି । ତେଣୁ ନେତା ବଦଳିବା ଓ ନୀତି ବଦଳିବା ଭିତରେ କିଏ ବାଜି ମାରିବ ତାହା ଜନତା ନିର୍ଦ୍ଧାରଣ କରିବେ ।

Get real time updates directly on you device, subscribe now.