fbpx

ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର ସିଟ୍ ପୋଛିନେଲା BJD: ଗୋଟିଏ ବି ଆସନ ହାତେଇ ପାରିଲେନି BJP ଓ Congress

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ପୌର ନିର୍ବାଚନର ଫଳାଫଳ ଆସିଯାଇଛି । ମୋଟ ୧୦୫ଟି ପୌରାଧ୍ୟକ୍ଷ ମଧ୍ୟରୁ ବିଜେଡିକୁ ସର୍ବାଧିକ ୭୩ଟି, ବିଜେପିକୁ ୧୬ଟି, କଂଗ୍ରେସକୁ ୭ଟି ଓ ସ୍ୱାଧୀନ ପ୍ରାର୍ଥୀଙ୍କୁ ୯ଟି ପଦ ମିଳିଛି । ତେବେ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମହାନଗର ମେୟର ସିଟ୍ ହାତେଇଛି ବିଜେଡି । ଅନ୍ୟପକ୍ଷରେ ଧୂଳି ଚାଟିଛନ୍ତି ବିଜେପି ଓ କଂଗ୍ରେସର ପ୍ରାର୍ଥୀମାନେ । ତେବେ ଚଳିତ ଥର ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ମହିଳା ମେୟର ପାଇଁ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । ବିଜେଡିରୁ ସୁଲୋଚନା ଦାସ, ବିଜେପିର ସୁନୀତି ମୁଣ୍ଡ ଓ କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥିଲେ । ସେହିପରି କଟକରୁ ମେୟର ପାଇଁ ବିଜେଡିରୁ ସୁବାସ ସିଂ, ବିଜେପିର ଶ୍ରୀତମ ଦାସ ଓ କଂଗ୍ରେସର ଗିରିବାଳା ଦାସ ପ୍ରାର୍ଥୀ ହୋଇଥିଲେ । ବ୍ରହ୍ମପୁର ମେୟର ପାଇଁ ବିଜେଡିର ସଂଘମିତ୍ରା ଦଳେଇ, ବିଜେପିର ସବିତା ସୁଆର ଓ କଂଗ୍ରେସର ମଞ୍ଜୁ ରଥ ପ୍ରାର୍ଥୀ ହୋଇଥିଲେ ।

ମେୟର ଲଢ଼େଇରେ ଭୁବନେଶ୍ୱରର ବିଜେଡିର ସୁଲୋଚନା, କଟକରୁ ସୁବାସ ଓ ବ୍ରହ୍ମପୁରରୁ ସଂଘମିତ୍ରା ବିଜୟୀ ହୋଇଥିଲେ । ତିନୋଟି ଯାକ ମହାନଗର ନିଗମର ମେୟର ସିଟ୍ ବିଜେଡି ଖାତାକୁ ଯାଇଥିବା ବେଳେ ବିଜେପି ଓ କଂଗ୍ରେସ ଗୋଟିଏ ବି ହାତେଇ ପାରି ନାହାନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ବିଜେପିର ଏହି ପରାଜୟ ପଛର ଅସଲ କାରଣ କ’ଣ? ପଞ୍ଚାୟତ ନିର୍ବାଚନରେ ବିଜେଡି ବିଶାଳ ବିଜୟ ହାସଲ କରିଥିବା ବେଳେ ତା’ର ପ୍ରଭାବ ପୌର ନିର୍ବାଚନରେ ପଡ଼ିବ ନାହିଁ ବୋଲି ବିଜେପି ଦୃଢ଼ୋକ୍ତି ପ୍ରକାଶ କରିଥିଲା । ଚଳିତ ନିର୍ବାଚନରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିର ଉତ୍ତର, ମଧ୍ୟ, ଏକାମ୍ର ବିଧାୟକମାନେ ନିଜ ନିଜ ଦଳର ସମ୍ମାନ ବଞ୍ଚାଇବାକୁ କଡ଼ା ସଂଘର୍ଷ କରିଥିଲେ । ତେବେ ଶେଷରେ ବାଜି ମାରି ନେଇଛି ବିଜେଡି । ଗତ ୨୦୧୯ ନିର୍ବାଚନରେ ଭୁବନେଶ୍ୱରର ତିନୋଟି ବିଧାୟକ ସିଟ୍ ବିଜେଡି ପାଇଥିବା ବେଳେ ସାଂସଦ ସିଟରେ କମାଲ କରିଥିଲେ ବିଜେପିର ଅପରାଜିତ । ଚଳିତ ଥର ଅପରାଜିତାଙ୍କ ଯାଦୁ କାମ୍ କରିନାହିଁ ।

Get real time updates directly on you device, subscribe now.