fbpx

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା: ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏକ ଦୁଃଖଦ ଖବର ଆସିଛି । ବିଜୁ ଜନତା ଦଳ (ବିଜେଡି)ର ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପରଲୋକ ଘଟିଛି । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଜେଡି ପ୍ରାର୍ଥୀ ଅନାଦି ଚରଣ ସିଂହଙ୍କ ମୃତ୍ୟୁ ଘଟିଛି । ଜିଲ୍ଲା ପରିଷଦ ଜୋନ ନମ୍ବର ୮ରେ ଅନାଦି ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ସ୍ୱାସ୍ଥ୍ୟରେ ଅବନତି ଦେଖାଦେବା କାରଣରୁ ତାଙ୍କୁ ଗତକାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ଅନାଦିଙ୍କ ମୃତ୍ୟୁ ବିଜେଡିକୁ ଏକ ଶକ୍ତ ଝଟକା ଲାଗିଛି । ଏବେ ନିର୍ବାଚନ ପୂର୍ବରୁ କେବଳ ବିଜେଡିକୁ ପୁନଃ ନାମାଙ୍କନ ପାଇଁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି । ସ୍ଥାନୀୟ ଅଧିକାରୀଙ୍କ ରିପୋର୍ଟ ମିଳିବା ପରେ ରାଜ୍ୟ ନିର୍ବାଚନ କମିଶନ ଯାହା କିଛି ନିଷ୍ପତ୍ତି ନେବେ ବୋଲି କୁହାଯାଇଛି । ଅନାଦିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଅନେକ ରାଜନୈତିକ ବ୍ୟକ୍ତି ବିଶେଷ ଶୋକବ୍ୟକ୍ତ କରିଛନ୍ତି ।

ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୭ ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ୧୭ରୁ ୨୧ ପର୍ଯ୍ୟନ୍ତ ୱାର୍ଡ ସଭ୍ୟଙ୍କଠାରୁ ଆରମ୍ଭ କରି ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଚଳିତ ବର୍ଷ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଆସନ୍ତା ମାସ ୧୬ରେ ପ୍ରଥମ ପର୍ଯ୍ୟାୟ ଭୋଟ ଓ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ହେବ । ସେହିପରି ୨୫, ୨୭ ଓ ୨୮ରେ ଭୋଟ ଗଣତି ହେବା ସହ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ଚଳିତ ବର୍ଷ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ପ୍ରାର୍ଥୀମାନେ ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟଫର୍ମରେ ପ୍ରଚାର କରିବେ ବୋଲି ଗାଡଇଲାଇନରେ କୁହାଯାଇଛି ।

Get real time updates directly on you device, subscribe now.