fbpx

ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିର ଜବାବ, ଜାଣନ୍ତୁ କ’ଣ କହିଲେ ଲେନିନ୍

ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): ନିଜ ସମର୍ଥକ ଓ ସମ୍ପର୍କୀୟଙ୍କୁ ପୋଲିସ ହଇରାଣ କରୁଛି ବୋଲି ଅଭିଯୋଗ କରୁଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଚିତ୍ ଜବାବ ଦେଇଛି ବିଜେଡି । ପ୍ରଦୀପଙ୍କ ବକ୍ତବ୍ୟର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଲେନିନ କହିଛନ୍ତି ଯେ, ‘ପ୍ରଦୀପ ପାଣିଗ୍ରାହୀ ଦୁର୍ନୀତିରେ ଲିପ୍ତ ଥିଲେ । ଗଞ୍ଜାମରେ କୋଭିଡସ୍ଥିତି ସଙ୍ଗୀନ ଥିବା ବେଳେ ମଜଲିସ୍ କରୁଥିଲେ । ଜନପ୍ରତିନିଧି ହୋଇ ମୁମ୍ବାଇ, ପୁନେ ଓ ଅନ୍ୟ ସ୍ଥାନରେ ମଜଲିସ କରୁଥିଲେ । ଭାବୀ ଜ୍ୱାଇଁ ଓ ସମୁଦୀଙ୍କ ଜରିଆରେ ଚାକିରି ନାଁରେ ଠକେଇ କରିଛନ୍ତି । ୬୮ ଜଣଙ୍କୁ ଚାକିରି ଦେବା ନାଁରେ ଠକେଇ କରିଛନ୍ତି । ତାଜ ହୋଟେଲରେ ୮୪ ଲକ୍ଷ ଟଙ୍କା ଉଡେଇଛନ୍ତି ପ୍ରଦୀପ ।’ ଏହା ସହ ଜମି ଜାଲିଆତିରେ ମଧ୍ୟ ପ୍ରଦୀପ ସମ୍ପୃକ୍ତ ଥିବା ଲେନିନ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହା ସହ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଅଭୟଙ୍କୁ ମଧ୍ୟ ପ୍ରଦୀପ ଚିଠି ଲେଖିଛନ୍ତି । ସେ ଚିଠିର ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସମର୍ଥକ ଓ ସମ୍ପର୍କୀୟ ଲୋକଙ୍କୁ ପୋଲିସ ହଇରାଣ କରୁଛି । ସେମାନଙ୍କ ଉପରେ ଥାର୍ଡ ଡିଗ୍ରୀ ଦିଆଯାଉଥିବା ପ୍ରଦୀପ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ କାମ କରିବା ସହ ମୋ ଲୋକଙ୍କ ଉପରେ ଚାପ ପକାଉଛି ବୋଲି ପ୍ରଦୀପ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।

ଅନ୍ୟପଟେ ଚାଟାର୍ଡ ଫ୍ଲାଇଟରେ ଗସ୍ତ ନେଇ ପ୍ରଦୀପ କହିଛନ୍ତି ଯେ, ‘ଯଦି ମୁଁ କୋଭିଡ ସମୟରେ ବୁଲୁଥିଲି, ସେତେବେଳେ ସରକାର କହିଲେନି । ଏବେ ସରକାର ବୁଲିବା କଥା କାହିଁକି କହୁଛନ୍ତି । ଡିଜିସିଏ ଓ ଏୟାରପୋର୍ଟ ଅଥରିଟିଙ୍କ ଅନୁମତି କ୍ରମେ ମୁଁ ଗସ୍ତ କରିଛି । ଏଥିରେ କିଛି ଅସୁବିଧା ନାହିଁ, ମୁଁ ଭୁଲ କରିନି ।’ ତେବେ ପୁନେ ଯାଇଥିବା କଥା ସ୍ପଷ୍ଟ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

Get real time updates directly on you device, subscribe now.