fbpx

Operation Lotus କରିବ ଖେଳ! ହିମାଚଳ ପ୍ରଦେଶର ୧୮ ଜଣ କଂଗ୍ରେସ ବିଧାୟକ ଗାଏବ୍

ନୂଆଦିଲ୍ଲୀ: ନିକଟରେ ସମାପ୍ତ ହୋଇଥିବା ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରି କଂଗ୍ରେସ ବାଜି ମାରି ନେଇଥିଲା । କଂଗ୍ରେସ ନେତା ସୁଖବିନ୍ଦର ସିଂହ ସୁଖୁ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ୬୮ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ୪୦ଟି, ବିଜେପି ୨୫ଟି ଓ ସ୍ୱାଧୀନତା ପ୍ରାର୍ଥୀ ୩ଟି ଆସନରେ ବିଜୟ ଲାଭ କରିଥିଲେ ।

ରାଜ୍ୟରେ ସରକାର ଗଠନ ପାଇଁ ୩୫ ଜଣ ସଦସ୍ୟଙ୍କ ସମର୍ଥନର ଆବଶ୍ୟକତା ରହିଥିବା ବେଳେ ସରକାର ଗଠନ ହେବାର ଏହା ମଧ୍ୟରେ ୨୦ ଦିନ ବିତିଗଲାଣି । ସିଏମ ଭାବେ ସୁଖୁ ଓ ଡେପୁଟି ସିଏମ ଭାବେ ସୁକେଶ ଅଗ୍ନିହୋତ୍ରୀ କାର୍ଯ୍ୟଭାର ସମ୍ଭାଳିଥିଲେ ହେଁ ବର୍ତ୍ତମାନ ସୁଦ୍ଧା କ୍ୟାବିନେଟ ଗଠନ ହୋଇ ନାହିଁ । ତେବେ ଖେଳ ଏତିକିରେ ସରିନାହିଁ, ପୁଣି ଆରମ୍ଭ ହେବ ଗେମ୍ ଚେଞ୍ଜିଂ । ହିମାଚଳରେ ବିଜେପି ଆରମ୍ଭ କରିବାକୁ ଯାଉଛି ‘ଅପରେସନ ଲୋଟସ୍’ । ବିଜେପି ବିଧାୟକ ଇନ୍ଦ୍ର ସିଂହ ଗାନ୍ଧିଙ୍କ ଏକ ବୟାନ କେବଳ ହିମାଚଳ ନୁହେଁ, ଜାତୀୟ ରାଜନୀତିକୁ ହଲଚଲ କରିଦେଇଛି ।

ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପୁଣି ଥରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବେ ବୋଲି ବିଧାୟକ ଗାନ୍ଧି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ଗାନ୍ଧିଙ୍କ ଏହି ବୟାନର ପାଲଟା ଜବାବ ଦେଇଛି କଂଗ୍ରେସ । ଏହାପୂର୍ବରୁ ‘ଅପରେସନ ଲୋଟସ’କୁ ନେଇ ବିଜେପି ସରକାରରେ ମନ୍ତ୍ରୀ ଥିବା ବିକ୍ରମ ସିଂହ ଏକ ପୋଷ୍ଟ କରି ପରେ ତାହାକୁ ଏଡିଟ୍ କରିଥିଲେ । ଏକ ସାକ୍ଷାତକାରରେ ଗାନ୍ଧି କହିଛନ୍ତି, ‘ଅପରେସନ ଲୋଟସ’ ଆରମ୍ଭ ହୋଇ ଯାଇଛି । କଂଗ୍ରେସ ମଧ୍ୟ ଏ ବାବଦରେ ଜାଣିଛି । କଂଗ୍ରେସର ୧୮ ଜଣ ବିଧାୟକ ଏବେ ଗାଏବ ଅଛନ୍ତି । କଂଗ୍ରେସର ବିଧାୟକଙ୍କୁ ବିଜେପି ନେଇଯାଇଥିବା ପ୍ରଶ୍ନ ଉପରେ ଗାନ୍ଧି ସମ୍ଭାବନାର ସଙ୍କେତ ଦେଇଛନ୍ତି । ତେବେ ଜଣେ ବିଧାୟକଙ୍କ ବୟାନ କେତେଦୂର ସତ ହେଉଛି ତାହାକୁ ଆଗକୁ ଜଣାପଡ଼ିବ ।

Get real time updates directly on you device, subscribe now.