fbpx

୨୦୨୪ ଲୋକସଭା ନିର୍ବାଚନ: ଚତୃର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଆଜି ଚତୃର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଦଳ ପକ୍ଷରୁ ଆଉ ୧୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ଦେଖିବାକୁ ମିଳିଛି। ହେଲେ ଏହି ତାଲିକାରୁ ପୁଣି ବାଦ ପଡିଛନ୍ତି ଓଡ଼ିଶା ନେତା। ଏହି ତାଲିକାରେ କେବଳ ତାମିଲନାଡୁ ଓ ପୁଡୁଚେରୀର ପ୍ରାର୍ଥୀଙ୍କ ନାମ ସାମିଲ ରହିଛି।

ସୂଚନା ଥାଉକି, ଚତୁର୍ଥ ତାଲିକାରେ ତାମିଲନାଡୁର ୧୪ ଜଣ ଥିବା ବେଳେ ପୁଡୁଚେରୀରୁ ଜଣଙ୍କ ନାମ ବିଜେପି ଘୋଷଣା କରିଛି। କାଲି ତାମିଲନାଡୁର ୯ ଜଣ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିବା ବେଳେ ଗୋଟିଏ ଦିନ ପରେ ବିଜେପି ଏହାର ଚତୁର୍ଥ ତାଲିକା ପ୍ରକାଶ କରିଛି। ତୃତୀୟ ତାଲିକାରେ ତାମିଲନାଡୁ ବିଜେପି ମୁଖ୍ୟ କେ ଅନ୍ନାମଲାଇଙ୍କୁ କୋଏମ୍ବାଟୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଏଥିସହ ଏହି ତାଲିକାର ଦ୍ୱିତୀୟ ବୃହତ୍ତମ ନାମ ହେଉଛି ପୂର୍ବତନ ତେଲେଙ୍ଗାନା ରାଜ୍ୟପାଳ । ଦକ୍ଷିଣ ଚେନ୍ନାଇରୁ ବିଜେପି ତାଙ୍କୁ ଟିକେଟ୍ ଦେଇଥିଲା। ତାମିଲନାଡୁରେ ମୋଟ ୩୯ ଟି ଲୋକସଭା ଆସନ ଅଛି। ପିଏମକେ ସହ ମିଳିତ ଭାବେ ବିଜେପି ଏଠାରେ ଲଢ଼ୁଛି, ସେଥିମଧ୍ୟରୁ ପିଏମକେ ୧୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ।

ଉଲ୍ଲେଖ ଥାଉକି, ୨୦୨୪ ନିର୍ବାଚନ ପାଇଁ ଗତ ଶନିବାର ଦିନ ତାରିଖ ଘୋଷଣା ହୋଇସାରିଛି। ଲୋକସଭାର ୫୪୩ଟି ଆସନ ପାଇଁ ମୋଟ୍ ୭ଟି ପର୍ଯ୍ୟାୟରେ ମତଦାନ ହେବ । ଏହା ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ୍ ୧ରେ ଶେଷ ହେବ ଏବଂ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ । ତେବେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ସେହିପରି ଏପ୍ରିଲ ୨୬ରେ ୨ୟ ପର୍ଯ୍ୟାୟ, ମେ’ ୭ରେ ୩ୟ ପର୍ଯ୍ୟାୟ, ମେ’ ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ’ ୨୦ରେ ୫ମ ପର୍ଯ୍ୟାୟ, ମେ’ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ୍‌ ୧ରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହାପରେ ଜୁନ୍‌ ୪ ମଙ୍ଗଳବାର ଦିନ ଉଭୟ ଲୋକସଭା ଓ ବିଧାନସଭାର ଫଳାଫଳ ପ୍ରକାଶ ପାଇବ। ଏଣୁ ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ବିଜେପି ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବାରେ ଲାଗିଛି। ତେବେ ବିଜେପି ପ୍ରଥମ ପର୍ଯ୍ୟାୟରେ ୯୫, ଦ୍ୱିତୀୟରେ ୭୨ ଓ ତୃତୀୟରେ ୯ ଓ ଚତୃର୍ଥ ପର୍ଯ୍ୟାୟରେ ୧୫ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଯାହାକୁ ନେଇ ବର୍ତ୍ତମାନ ସୁଦ୍ଧା ଦଳ ପକ୍ଷରୁ ମୋଟ ୨୯୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି।

Get real time updates directly on you device, subscribe now.