fbpx

ବିଜେପି ନେତା ଇନ୍ଦିରା ଗାନ୍ଧୀଙ୍କୁ କହିଲେ ‘ମଦର ଅଫ୍ ଇଣ୍ଡିଆ’, କଂଗ୍ରେସର ଏହି ନେତାଙ୍କୁ କହିଲେ ନିଜ ରାଜନୈତିକ ଗୁରୁ

AAKASH

ତ୍ରିଶୁର: କେନ୍ଦ୍ର ମନ୍ତ୍ରୀ ସୁରେଶ ଗୋପୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ‘ମଦର ଅଫ୍ ଇଣ୍ଡିଆ’ ଓ କଂଗ୍ରେସ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ କେ. କରୁଣାକରନଙ୍କୁ ସାହାସୀ ପ୍ରଶାସକ ବୋଲି କହିଛନ୍ତି । ବିଜେପି ନେତା କରୁଣାକରନ ଓ ମାର୍କସବାଦୀ ନେତା ଇ.କେ. ନାୟନାରଙ୍କୁ ନିଜର ରାଜନୈତିକ ଗୁରୁ ବୋଲି କହିଛନ୍ତି । ଗୋପୀ ପୁନକୁନାମ ସ୍ଥିତ କରୁଣାକରନଙ୍କ ସ୍ମାରକ ‘ମୁରଲୀ ମନ୍ଦିରମ୍‌’ ଗସ୍ତ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏପରି କହିଛନ୍ତି ।

ସୁରେଶ ଗୋପୀ କେ. କରୁଣାକରନଙ୍କ ପୁଅ ଓ କଂଗ୍ରେସ ନେତା କେ. ମୂରଲୀଧରନଙ୍କୁ ହରାଇ ତ୍ରିଶୂର ନିର୍ବାଚନ କ୍ଷେତ୍ରରୁ ବିଜୟ ହାସଲ କରିଛନ୍ତି । କରୁଣାକରନଙ୍କ ସ୍ମାରକକୁ ତାଙ୍କ ଯାତ୍ରାକୁ ରାଜନୀତି ସହ ଯୋଡା ନ ଯାଉ ବୋଲି ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ସେ ଏଠାକୁ ନିଜ ଗୁରୁଙ୍କୁ ସମ୍ମାନ ଦେବାକୁ ଆସିଛନ୍ତି ବୋଲି କହିଛନ୍ତି ।

ଗୋପୀ କହିଛନ୍ତି ନାୟନାର ଓ ତାଙ୍କ ପତ୍ନୀ ସାରଦା ତାଙ୍କ ଲାଗି ଗୁରୁ ପରି । ସେହିପରି କରୁଣାକରନ ଓ ତାଙ୍କ ପତ୍ନୀ କଲ୍ୟାଣୀକୁଟ୍ଟୀ ଆମ୍ମାଙ୍କ ସହ ତାଙ୍କର ଘନିଷ୍ଠ ସଂପର୍କ ରହିଛି । ସୁରେଶ ଗୋପୀ ୧୨ ଜୁନ୍‌ରେ କନ୍ନୁରରେ ଇ.କେ.ନାୟନାରଙ୍କ ଘରକୁ ଯାଇଥିଲେ ଓ ପରିବାରର ସଦସ୍ୟଙ୍କୁ ଭେଟିଥିଲେ । ଗୋପୀ କହିଛନ୍ତି ସେ ଇନ୍ଦିରା ଗାନ୍ଧୀଙ୍କୁ ଭାରତର ମା’ ରୂପରେ ଦେଖିଥାନ୍ତି । କରୁଣାକରନଙ୍କୁ କେରଳରେ କଂଗ୍ରେସ ପାର୍ଟିର ଜନକ ବୋଲି କୁହାଯାଏ ।

Get real time updates directly on you device, subscribe now.