ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ନାହିଁ ବୋରିସ୍ ଜନସନ, କହିଲେ-କୌଣସି ପରିସ୍ଥିତିରେ ବି ସମର୍ଥନ କରନ୍ତୁ ନାହିଁ
ନୂଆଦିଲ୍ଲୀ: ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦପାଇଁ ଲଢେଇ ରୋଚକ ହେବାରେ ଲାଗିଛି । ଭାରତୀୟ ମୂଳ ଋଷି ସୁନକ ଦୁଇ ରାଉଣ୍ଡ ପରେ ବେଶ ଆଗୁଆ ଅଛନ୍ତି । ତେବେ ତାଙ୍କୁ ଆଗକୁ ଆହୁରି ଲଢେଇର ସାମ୍ନା କରିବାକୁ ପଡିବ । ପୁର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁ ନାହାନ୍ତି । ଏଥି ପାଇଁ ସେ ଖୋଲାଖୋଲି ଭାବରେ ସୁନକଙ୍କ ବିରୋଧ କରୁଛନ୍ତି ।
ଖବର ମୁତାବକ ବୋରିସ୍ କହିଛନ୍ତି ଯେ, ସୁନକଙ୍କୁ ଛାଡ଼ି ଅନ୍ୟ କାହାକୁ ବି ସମର୍ଥନ କରନ୍ତୁ କିନ୍ତୁ ସୁନକଙ୍କୁ ନୁହେଁ । ବୋରିସ ପ୍ରଧାନମନ୍ତ୍ରୀ ପଦରୁ ହଟିବାର ମୁଖ୍ୟ କାରଣ ସୁନକ ବୋଲି ଭାବୁଛନ୍ତି ତେଣୁ ସେ ତାଙ୍କ ବିରୋଧରେ ଏଭଳି ମନୋଭାବ ରଖୁଛନ୍ତି ବୋଲି କୁହାଯାଉଛି ।
ଗତ କିଛି ମାସ ହେବ ସୁନକ ବୋରିସଙ୍କୁ ସତ୍ତାରୁ ହଟାଇବାକୁ ଚେଷ୍ଟା କରୁଥିଲେ ବୋଲି ବୋରିସ ଭାବୁଛନ୍ତି । ଯେଉଁଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଲା । ତେଣୁକରି ତାଙ୍କର ପୁରା ରାଗ ସୁନକଙ୍କ ଉପରେ ରହିଛି ।
ବର୍ତ୍ତମାହନ ଋଷି ସୁନକଙ୍କ ସ୍ଥିତି ବେଶ ମଜବୁତ୍ ଦେଖାଯାଉଛି । ଲଗାତାର ଦୁଇ ରାଉଣ୍ଡ ପରେ ଋଷି ସୁନକଙ୍କୁ ସର୍ବାଧିକ ଭୋଟ ମିଳିଛି । ସୁନକଙ୍କୁ ୧୦୧ ଭୋଟ୍, ଦ୍ୱିତୀୟ ସ୍ଥାନରେ ଥିବା ପେନି ମର୍ଡଣ୍ଟଙ୍କୁ ୮୩ ଭୋଟ୍ ମିଳିଛି । ସେହିଭଳି ଲିଜ୍ ଟ୍ରସ୍ଙ୍କୁ ୬୪, କେମି ମେଡୋନୋଚଙ୍କୁ ୪୯ ଏବଂ ଟମ୍ ଟୁଗେଡାଣ୍ଟଙ୍କୁ ୨୧ ଭୋଟ୍ ମିଳିଛି ।