ନୃଶଂସ ଲୋକ, ୧୩ ମାସର ଶିଶୁପୁତ୍ରକୁ ମାରି ବୁଦାମୂଳେ ଫୋପାଡିଦେଲେ

ଦୁନିଆ କ'ଣ ଜାଣିବା ଆଗରୁ ମାରିଦେଲେ। ମା' କେମିତି ବୁଝିବା ଆଗରୁ ମା' କୋଳ ଶୂନ୍ୟ କରିଦେଲେ। ଏ ସମାଜର ନୃଶଂସ ରାକ୍ଷସ ୧୩ ମାସର ଶିଶୁପୁତ୍ରକୁ ମାରି ବୁଦାମୂଳେ ଫୋପାଡିଦେଲେ।

ରାୟଗଡ଼ା: କାହାର କ’ଣ କ୍ଷତି କରିଥିଲା ଏ ନିଷ୍ପାପ କଅଁଳ ଛୁଆଟି। ଦୁନିଆ କ’ଣ ବୁଝିବା ଆଗରୁ ତାକୁ ସବୁଦିନ ପାଇଁ ଶୁଆଇ ଦେଲେ କିଛି ରାକ୍ଷସ। ପାଟି ଫିଟିନଥିଲା। ଦୁନିଆ ସମ୍ପର୍କରେ କିଛି ଜାଣିନଥିଲା। ତାକୁ ନେଇ ବାପା ମା କେତେ କ’ଣ ସ୍ୱପ୍ନ ଦେଖିଥିଲେ। ହେଲେ ଘରଠାରୁ ୨୦୦ ମିଟର ଦୂରର ଏକ ବୁଦାମୂଳରୁ ୧୩ ମାସର ଶିଶୁପୁତ୍ରର ଗଳିତ ମୃତଦେହ ଉଦ୍ଧାର ହେଲା।

ଯାହାକୁ ଦେଖି ମାର ଛାତି ଫାଟିଯାଉଛି। ବାପା ବି ନିଜର କୋହକୁ ହୃଦୟରେ ଚାପି ରଖିପାରୁନି। ହୃଦୟ ଫଟେଇ ଚିତ୍କାର କରୁଛି। ହେଲେ କିଏ ସେ ନୃଶଂସ ଲୋକ ଯାହାର ଏତେ ରାଗ। ଏ ନିଷ୍ପାପ କଅଁଳ ଶିଶୁକୁ ମାରି ବୁଦା ମୂଳେ ଫୋପାଡି ଦେଲା।

ହଁ ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଘାଗୁଡ଼ିମାଳ ଗାଁରେ। ପାଖାପାଖି ୧୧ ଦିନ ହେବ ୧୩ ମାସର ଶିଶୁପୁତ୍ର ନିଖୋଜ ଥିଲା। ପରିବାର ଲୋକ ଅନେକ ଖୋଜାଖୋଜି ପରେ ବି ପୁଅକୁ ପାଇଲେନି।

ହେଲେ ୧୧ ଦିନ ପରେ ଘରଠାରୁ ୨୦୦ ମିଟର ଦୂର ବୁଦାମୂଳରୁ ଶିଶୁପୁତ୍ରର ଗଳିତ ମୃତଦେହ ଉଦ୍ଧାର ହେଲା। ଶିଶୁପୁତ୍ରକୁ କେହି ମାରି ଫିଙ୍ଗିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ କିଏ ଏବଂ କାହିଁକି ଏପରି କାଣ୍ଡ କଲା, ତାହା ଏବେଯାଏଁ ଜଣାପଡିନାହିଁ।