fbpx

IND vs ENG ତୃତୀୟ ଟେଷ୍ଟ ଖେଳିବେନି ବୁମରାହ: ଉପ-ଅଧିନାୟକଙ୍କୁ ନେଇ BCCIର ବଡ଼ ସଂକେତ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ୧୦୬ ରନରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏହି ଦ୍ୱିପାକ୍ଷିକ ଟେଷ୍ଟ ସିରିଜରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ୱିକେଟ ହାସଲ କରିଛନ୍ତି ଦଳର ଉପ-ଅଧିନାୟକ ଜଶପ୍ରୀତ ବୁମରାହ । ଦ୍ୱିତୀୟ ଟେଷ୍ଟରେ ମୋଟ ୯ଟି ୱିକେଟ ଅକ୍ତିଆର କରି ସେ ‘Player Of The Matcch’ ହୋଇଛନ୍ତି । କିନ୍ତୁ ତୃତୀୟ ଟେଷ୍ଟ ପୂର୍ବରୁ ୟର୍କର କିଙ୍ଗ ବୁମରାହଙ୍କୁ ନେଇ ଏକ ବଡ଼ ସଂକେତ ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଏହି ମ୍ୟାଚରେ ଟିମ ଇଣ୍ଡିଆର ଉପ-ଅଧିନାୟକ ବୁମରାହ ବାଦ୍ ପଡ଼ିପାରନ୍ତି ବୋଲି କୁହାଯାଉଛି ।

ଆସନ୍ତା ୧୫ ତାରିଖରେ ରାଜକୋଟରେ ଖେଳାଯିବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ । କିନ୍ତୁ ଏହି ମ୍ୟାଚରେ ୟର୍କର କିଙ୍ଗ ବୁମରାହଙ୍କ ବ୍ୟତୀତ ମଇଦାନକୁ ଓହ୍ଲାଇପାରେ ଟିମ ଇଣ୍ଡିଆ । ତୃତୀୟ ମ୍ୟାଚରେ ବୁମରାହଙ୍କୁ ବିଶ୍ରାମ ଦେବା ପାଇଁ ବିସିସିଆଇର ଚୟନକର୍ତ୍ତା ଏବଂ ଟିମ ମ୍ୟାନେଜମେଣ୍ଟ ଚିନ୍ତା କରୁଛନ୍ତି । ଆଇପିଏଲ-୨୦୨୪ ଏବଂ ଟି-୨୦ ବିଶ୍ୱକପ୍-୨୦୨୪ ପୂର୍ବରୁ ବୁମରାହଙ୍କୁ ୧୦ ଦିନର ଏକ ବିଶ୍ରାମ ଦେବା ପାଇଁ ବୋର୍ଡ ଚିନ୍ତା କରୁଛି । ବୁମରାହଙ୍କ କାର୍ଯ୍ୟଭାରରୁ ଚାପମୁକ୍ତ କରିବା ପାଇଁ ତୃତୀୟ ଟେଷ୍ଟରେ ତାଙ୍କୁ ବିଶ୍ରାମ ଦିଆଯାଇପାରେ । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଷ୍ଟାର ବୋଲର ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦେଇ ମୁକେଶ କୁମାରଙ୍କୁ ସୁଯୋଗ ଦେଇଥିଲେ ଅଧିନାୟକ ରୋହିତ ଶର୍ମା । ତେଣୁ ତୃତୀୟ ମ୍ୟାଚରେ ବୁମରାହଙକ ସ୍ଥାନରେ ପୁଣିଥରେ ସିରାଜ ଦଳକୁ କମବ୍ୟାକ କରିପାରନ୍ତି । ତେବେ ଚତୁର୍ଥ ଏବଂ ପଞ୍ଚମ ଟେଷ୍ଟ ପାଇଁ ବୁମରାହ ପୁଣିଥରେ ଦଳକୁ ଫେରିବେ ବୋଲି ପ୍ଲାନ କରୁଛି ବିସିସିଆଇ ।

ଇଂଲଣ୍ଡ ବିପକ୍ଷ ଏହି ସିରିଜର ପ୍ରଥମ ଏବଂ ଦ୍ୱିତୀୟ ଟେଷ୍ଟରେ ବୁମରାହ ମୋଟ ୩୨ ଓଭର ବୋଲିଂ କରିଥିବା ବେଳେ ୧୫ଟି ୱିକେଟ ନିଜ ନାମରେ କରିଛନ୍ତି । ତେବେ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବୁମରାହ ୬ଟି ୱିକେଟ ହାସଲ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୩ଟି ସଫଳତା ପାଇଛନ୍ତି । ତେବେ ଏହି ମ୍ୟାଚ ସରିବା ପରେ ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ଦ୍ରାବିଡଙ୍କ ସହ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା ହୋଇଛି । ତେବେ ଆସନ୍ତାକାଲି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଶେଷ ୩ଟି ମ୍ୟାଚ ପାଇଁ ଦଳ ଘୋଷଣା କରିପାରେ ବିସିସିଆଇ ।

Get real time updates directly on you device, subscribe now.