fbpx

କୁଆଖିଆ ନିକଟରେ ବସ୍ ଦୁର୍ଘଟଣା: ୫ରେ ପହଁଚିଲା ମୃତ୍ୟୁ ସଂଖ୍ୟା, ଗୁରୁତରଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର

ଓଡ଼ିଶା ଭାସ୍କର: ଯାଜପୁର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର କୁଆଖିଆ ନିକଟ ବାରବାଟୀ ଓଭର ବ୍ରିଜରୁ ଏକ ଯାତ୍ରୀବାହୀ ବସ୍ ତଳକୁ ଖସି ପଡ଼ିଛି। ତେବେ ଏହି ଦୁର୍ଘଟଣାରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପ୍ରାଥମିକ ଅବସ୍ଥାରେ ଆହତ ଯାତ୍ରୀମାନଙ୍କୁ ଧର୍ମଶାଳା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତରମାନଙ୍କୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଉଛି। ନିଜେ ସିଡିଏମ ଓ ଗୋଟିଏ ଟିମ ସହ ଦୁର୍ଘଟଣାସ୍ଥଳକୁ ଆସିଛନ୍ତି। ଅପରପକ୍ଷେ ୫ଟି କ୍ରେନ ସାହାଯ୍ୟରେ ବସଟିକୁ ଉଠା ଯାଉଥିବା ବେଳେ ୧୬ଟି ଆମ୍ବୁଲାନ୍ସ ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି। ସେପଟେ ଖବର ପାଇ ତୁରନ୍ତ ପୁଲିସ୍‌ ଓ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ସ୍ଥାନୀୟ ଏସପି ଓ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ରହିଛନ୍ତି। ଉଦ୍ଧାରକାରୀ ଟିମକୁ ସେମାନଙ୍କୁ ସାଧାରଣ ଲୋକମାନେ ରେସ୍କ୍ୟୁ ଅପରେସନରେ ସହାୟତା କରୁଛନ୍ତି। ବସ୍‌ଟି ତଳକୁ ଖସିଲା ବେଳେ ଏହା ତଳେ ଲୋକମାନେ ଯିବା ଆସିବା କରୁଥିଲେ। ସେହିପରି ନିକଟରେ ଗୋଟିଏ ମାର୍କେଟ ରହିଛି। ତେଣୁ ବସ୍‌ ତଳେ କିଛି ଲୋକ ଚାପି ହୋଇ ରହିଥିବା କୁହାଯାଉଛି।

ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ‘କାଳିଆ ନନା’ ବସ୍‌ଟି ପୁରୀରୁ ଆଜି ଦିନ ୪ଟାରୁ ବାହାରିଥିଲା। ଏହା ପଶ୍ଚିମବଙ୍ଗର ହଳଦିଆ ଯିବାର ଥିଲା। ଏଥିରେ ୫୦ରୁ ଅଧିକ ଯାତ୍ରୀଥିଲେ। କିନ୍ତୁ ଅଧା ବାଟରେ ଏପରି ଦୁର୍ଘଟଣା ଘଟିଛି। ବସ୍‌ଟି ଓଭରବ୍ରିଜ୍‌ରୁ ତଳକୁ ଖସି ପଡ଼ିଥିଲେ ହେଁ କେଉଁଭଳି ପରିସ୍ଥିତିରେ ଏପରି ଘଟଣା ଘଟିଲା ସେକଥା ଜଣାପଡ଼ିନାହିଁ। କୁହାଯାଉଛି ଯେ ଗାଡ଼ିର ବେଗ ଅଧିକ ଥିବାରୁ ଡ୍ରାଇଭର ଜଣଙ୍କ ଏହା ଉପରକୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଏହା ଓଭରବ୍ରିଜ୍‌ରୁ ସିଧା ତଳକୁ ଖସି ପଡ଼ିଛି। କିନ୍ତୁ ପୁଲିସ୍‌ କିମ୍ବା ପ୍ରଶାସନ ପକ୍ଷରୁ ଏପରି ଦାବିକୁ ନିଶ୍ଚିତ କରାଯାଇ ନାହିଁ।

 

Get real time updates directly on you device, subscribe now.