fbpx
BJD SKY
BJD SKY

ଓଡ଼ିଶାରେ ପରିବର୍ତ୍ତନ ହେବ ମନ୍ତ୍ରିମଣ୍ଡଳ!

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ପରିବର୍ତ୍ତନକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି । ତେବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏ କ୍ଷେତ୍ରରେ ପଛରେ ନାହାନ୍ତି । ନବୀନ ତାଙ୍କର ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସୂତ୍ରରୁ ଜଣାପଡ଼ିଛି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରେ ଏହି ପରିବର୍ତ୍ତନ କାର୍ଯ୍ୟ ଆରମ୍ଭ ହେବ । ମନ୍ତ୍ରିମଣ୍ଡଳରୁ ୮ ଜଣ ମନ୍ତ୍ରୀଙ୍କୁ ବିଦା କରାଯିବା ସହ ୬ ଜଣ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

ତେବେ ବିଜେଡି ସୁପ୍ରିମୋଙ୍କର ପରିବର୍ତ୍ତନର ଆଭାସକୁ ନେଇ ବର୍ତ୍ତମାନ ଦଳୀୟ ନେତାଙ୍କ ମନରେ ଛନକା ପଶିଗଲାଣି । ଅପାରଗ ମନ୍ତ୍ରୀମାନେ ଏବେଠାରୁ ପ୍ରମାଣ ଗଣିବା ଆରମ୍ଭ କରିଦେଲେଣି । ଯେଉଁ ମନ୍ତ୍ରୀମାନଙ୍କ ନାମରେ ଅଭିଯୋଗ ରହିଛି, ସେମାନେ ମନ୍ତ୍ରିମଣ୍ଡଳରୁ ବିଦାହେବା ଥୟ । ଜଣାପଡ଼ିଛି ଯେ, ମନ୍ତ୍ରୀ ସମୀର ରଞ୍ଜନ ଦାସ, ଅରୁଣ କୁମାର ସାହୁ, ନବ କିଶୋର ଦାସ, ସୁଶାନ୍ତ ସିଂହ, ବିକ୍ରମ କେଶରୀ ଅରୁଖ ଓ ଦିବ୍ୟଶଙ୍କରଙ୍କ ବିଭାଗ ପରିବର୍ତ୍ତନ କରାଯାଇପାରେ । ତେବେ ଯେଉଁ ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଉଚ୍ଚକୋଟୀର ରହିନାହିଁ, ସେମାନଙ୍କୁ ମନ୍ତ୍ରୀପଦରୁ ବିଦା କଲେ ଦଳ ଉପରେ ତା’ର କି ପ୍ରଭାବ ପଡ଼ିବ, ସେନେଇ ତର୍ଜମା ଚାଲିଛି । ଏପରିକି ବାଚସ୍ପତି, ଉପବାଚସ୍ପତି ଓ ଦଳର ମୁଖ୍ୟ ସଚେତକ ମଧ୍ୟ ପରିବର୍ତ୍ତନ ହେବାର ଶୁଣାଯାଉଛି ।

୨୦୨୪ ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ପରିବର୍ତ୍ତନ ବେଶ୍ ଗୁରୁତ୍ୱ ରଖୁଛି । ବିଜେଡିର ତୃଣମୂଳ ସ୍ତରର ସଂଗଠନକୁ ଦୃଢ଼ କରିବା ହେଉଛି ଏହି ପରିବର୍ତ୍ତନ ପଛର ମୁଖ୍ୟ ଉଦ୍ଦେଶ୍ୟ । ତେଣୁ ଦକ୍ଷ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ଦଳକୁ ଆହୁରି ଶକ୍ତିଶାଳୀ କରାଯିବ । ନିକଟରେ ବିଜେଡିର ଜିଲ୍ଲା ପର୍ଯ୍ୟବେକ୍ଷକ ସ୍ତରରେ ଏକ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ଏଥିରେ ଅନେକ କ୍ଷମତାଶାଳୀ ନେତାଙ୍କୁ ବାଦ୍ ଦିଆଯାଇଛି । ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ୨୦୧୭ରେ ମଧ୍ୟ ସୁଚିନ୍ତିତ ରଣନୀତି ଆପଣାଇ ନିର୍ବାଚନରେ ସଫଳତା ହାସଲ କରିଥିଲା । ତେବେ ଆଗକୁ ଦଳରେ ପରିବର୍ତ୍ତନ ନେଇ ସୁପ୍ରିମଙ୍କ ନିଷ୍ପତ୍ତିକୁ ସମସ୍ତେ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.