fbpx

କରୋନା ଲକ୍ଡାଉନ୍: ଦେଶକୁ ରେଡ୍, ଅରେଞ୍ଜ, ଗ୍ରୀନ୍ ଜୋନରେ ବାଣ୍ଟି ପାରନ୍ତି ମୋଦି ସରକାର

Advertisement

ନୂଆଦିଲ୍ଲୀ, ୧୨ା୪: ଦେଶରେ କରୋନା ଭାଇରସ୍ ଏହାର ପ୍ରକୋପ ଦେଖାଇବା ଆରମ୍ଭ କରିଛି । ଏହି ମହାମାରୀ ଭୁତାଣୁ ଯୋଗୁଁ ଦେଶରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍ଡାଉନ୍ ଜାରି କରିଛନ୍ତି । ଏହି ଲକ୍ଡାଉନ୍ ଅବଧି ଚଳିତ ମାସ ୧୪ ତାରିଖରେ ସମାପ୍ତ ହେବ । ତେବେ ଏହି ଲକ୍ଡାଉନ୍ ଅବଧି ବୃଦ୍ଧି ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରସ୍ତାବ ଦିଆଯାଇଛି । କିନ୍ତୁ ଏହାରି ମଧ୍ୟରେ ମୋଦି ସରକାର ଏକ ନୂତନ ବିକଳ୍ପ ଉପରେ ବିଚାର କରୁଥିବା ଭଳି ତଥ୍ୟ ସାମ୍ନାକୁ ଆସିଛି । ଦେଶକୁ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ରେ ବାଣ୍ଟିବାକୁ ମୋଦି ସରକାର ଚିନ୍ତା କରୁଥିବା ଜଣାପଡ଼ିଛି । ଏହି ପରି ଜୋନ୍ ବାଣ୍ଟି ଲୋକଙ୍କୁ ସାମାନ୍ୟ ଛାଡ଼ ଦେବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ଯେଉଁଠାରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ସ୍ଥାନକୁ ରେଡ୍ ଜୋନ୍ରେ ରଖାଯିବ । ରେଡ୍ ଜୋନ୍ରେ ସମ୍ପୂର୍ଣ୍ଣଭାବେ ଲକ୍ଡାଉନ୍ ଲାଗୁ କରାଯିବ । ଅରେଞ୍ଜ ଜୋନ୍ରେ ସେହି ଅଞ୍ଚଳକୁ ସାମିଲ କରାଯିବ, ଯେଉଁଠାରେ କମ୍ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅରେଞ୍ଜ ଜୋନ୍ ଅଞ୍ଚଳର ଲୋକଙ୍କୁ ଫସଲ ଅମଳ ସହ ସୀମିତ ସଂଖ୍ୟକ ପବ୍ଲିକ୍ ଟ୍ରାନ୍ସପୋର୍ଟ ପାଇଁ ଅନୁମତି ଦିଆଯିବ । ସେହିପରି ଯେଉଁ ଅଞ୍ଚଳରୁ ଆଦୌ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ସେହି ଅଞ୍ଚଳକୁ ଗ୍ରୀନ୍ ଜୋନ୍ରେ ରଖାଯିବ । ଗ୍ରୀନ୍ ଜୋନ୍ ଅଞ୍ଚଳରେ କିଛି ଛୋଟ ଉଦ୍ୟୋଗ ଖୋଲିବାକୁ ଅନୁମତି ଦିଆଯିବ । କିନ୍ତୁ କର୍ମଚାରୀଙ୍କୁ କମ୍ପାନୀରେ ହିଁ ରହିବାକୁ ଏବଂ କଡ଼ାକଡ଼ିଭାବେ ସୋସିଆଲ୍ ଡିଷ୍ଟାନ୍ସିଂ ନିୟମ ମାନିବାକୁ କୁହାଯିବ । ତେବେ ଏନେଇ କେନ୍ଦ୍ର ସରକାର ଚିନ୍ତା କରୁଥିବା ଖବର ସାମ୍ନାକୁ ଆସିଛି । ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ ।

Get real time updates directly on you device, subscribe now.