fbpx

କରୋନା ସ୍ଥିତି, ରାଜ୍ୟରେ ଯୁବବର୍ଗ ଅଧିକ ବିପଦରେ

Advertisement

ଭୁବନେଶ୍ୱର, ୧୨ା୪ (ଓଡ଼ିଶା ଭାସ୍କର): ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍ ଓଡ଼ିଶାରେ ମଧ୍ୟ ଭୟର ବାତାବରଣ ଖେଳାଇଦେଇଛି । ଦିନକୁ ଦିନ ରାଜ୍ୟରେ କରୋନା (କୋଭିଡ-୧୯) ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ରବିବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅଫିସିଆଲ୍ ଟୁଇଟରରେ ଦିଆଯାଇଥିବା ଏକ ତଥ୍ୟରୁ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । କରୋନା ଫଳରେ ବୟସ୍କ ବ୍ୟକ୍ତିମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି ବୋଲି ପୂର୍ବରୁ ଧାରଣା ରହିଥିଲା । କିନ୍ତୁ ରାଜ୍ୟରେ ଏହାର ସ୍ଥିତି ଭିନ୍ନ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟରରେ ଦିଆଯାଇଥିବା ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ରାଜ୍ୟର ଯୁବବର୍ଗ ଅର୍ଥାତ ୧୫ରୁ ୪୦ ବର୍ଷ ବୟସର ବ୍ୟକ୍ତି କରୋନା ଫଳରେ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଫଳରେ ସେମାନଙ୍କ ଉପରେ ବିପଦର ମାତ୍ରା ବଢ଼ିଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ମୋଟ ଚିହ୍ନଟ ୫୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫୨ ପ୍ରତିଶତ ଅର୍ଥାତ ୨୮ଜଣ ହେଉଛନ୍ତି ୧୫ରୁ ୪୦ ବର୍ଷ ବୟସ ମଧ୍ୟରେ । ସେହିପରି ୪୧ରୁ ୬୦ ବର୍ଷ ବୟସର ୧୩ଜଣ କରୋନା ଫଳରେ ଆକ୍ରାନ୍ତ ହୋଇଛନ୍ତି । ଅର୍ଥାତ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ପ୍ରତିଶତ ୪୧ରୁ ୬୦ ବର୍ଷ ବୟସର ବୋଲି ସୂଚନା ଦିଆଯାଇଛି । ରାଜ୍ୟରେ ୦ରୁ ୧୪ ବର୍ଷ ବୟସର ୮ଜଣ ଆକ୍ରାନ୍ତ ହୋଇଛନ୍ତି । ଏହା ମୋଟ ଆକ୍ରାନ୍ତଙ୍କ ୧୫ ପ୍ରତିଶତ ବୋଲି ଦର୍ଶାଯାଇଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ୬୦ ବର୍ଷ ବୟସରୁ ଊଦ୍ଧ୍ୱର୍ ବ୍ୟକ୍ତି ମୋଟ ଆକ୍ରାନ୍ତଙ୍କ ମାତ୍ର ୯ ପ୍ରତିଶତ ଅର୍ଥାତ ୫ ଜଣ ଚିହ୍ନଟ ହୋଇଥିବା ଟୁଇଟରରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କେତେ ପ୍ରତିଶତ ପୁରୁଷ ଓ କେତେ ପ୍ରତିଶତ ମହିଳା ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ଏବଂ ଏମାନଙ୍କ ମଧ୍ୟରୁ ୬୫ ପ୍ରତିଶତ ଅର୍ଥାତ ୩୫ ଜଣ ପୁରୁଷ ହୋଇଥିବା ବେଳେ ୩୫ ପ୍ରତିଶତ ଅର୍ଥାତ ୧୯ଜଣ ମହିଳା ବୋଲି ସୂଚନା ଦିଆଯାଇଛି ।


ରାଜ୍ୟରେ କେଉଁ ଦିନ କେତେଜଣ ଆକ୍ରାନ୍ତ ଚିହ୍ନଟ ହେଲେ ସେ ସମ୍ପର୍କରେ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାଫ ଜରିଆରେ ସୂଚନା ଦିଆଯାଇଛି । ଗତ ମାସ ୧୫ ତାରିଖରେ ରାଜ୍ୟରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାପରେ ୧୯ ତାରିଖରେ ଦ୍ୱିତୀୟ, ୨୬ ତାରିଖରେ ତୃତୀୟ ଓ ୩୧ ତାରିଖରେ ରାଜ୍ୟରେ ଚତୁର୍ଥ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବୋଲି କୁହାଯାଇଛି । ସେହିପରି ଚଳିତ ମାସ ୧ ତାରିଖରେ ରାଜ୍ୟରେ ପଞ୍ଚମ କରୋନା ଆକ୍ରାନ୍ତ ବ୍ୟକ୍ତି ଚିହ୍ନଟ ହୋଇଥିଲେ । ଚଳିତ ମାସ ୩ ତାରିଖରେ ରାଜ୍ୟରେ ୧୫ଜଣ, ୪ ତାରିଖରେ ଜଣେ ଓ ୫ ତାରିଖରେ ୧୮ଜଣ ଆକ୍ରାନ୍ତ ଚିହ୍ନଟ ହେବା ରାଜ୍ୟ ସରକାରଙ୍କ ଚିନ୍ତାକୁ ବଢ଼ାଇ ଦେବା ସହ ରାଜ୍ୟବାସୀଙ୍କ ମନରେ ଆତଙ୍କ ଖେଳାଇ ଦେଇଥିଲା । ରାଜ୍ୟରେ ଚଳିତ ମାସ ୬ ତାରିଖରେ ଜଣେ, ୭ ତାରିଖରେ ୨ଜଣ, ୯ ତାରିଖରେ ୬ ଜଣ, ୧୦ ତାରିଖରେ ୨ଜଣ ଏବଂ ଗତକାଲି ଅର୍ଥାତ ୧୧ ତାରିଖରେ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏହି ୱେବସାଇଟ୍ରେ ଦର୍ଶାଯାଇଛି ।

Get real time updates directly on you device, subscribe now.