ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ରେଜଲ୍ଟ । ଦ୍ବାଦଶରେ ୮୮.୩୯% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଭୁବନେଶ୍ବରରେ ପାସ୍ହାର ରହିଛି ୮୩.୬୪% ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଆଜି ଆନୁଷ୍ଠାନିକ ଭାବରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା 2025 ର ଫଳାଫଳ ଘୋଷଣା କରିଛି। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ଚଳିତ ବର୍ଷ ସାମଗ୍ରିକ ପାସ୍ ହାର ୮୮.୩୯%, ଯାହା ଗତ ବର୍ଷ ତୁଳନାରେ ଭଲ ହୋଇଥିବା କୁହାଯାଉଛି ।
ଛାତ୍ରଛାତ୍ରୀମାନେ ସେମାନଙ୍କର ରୋଲ ନମ୍ବର ଏବଂ ସ୍କୁଲ କୋଡ୍ ସାହାଯ୍ୟରେ CBSEର ଅଫିସିଆଲ୍ ୱେବସାଇଟ୍ cbseresults.nic.in ରେ ସେମାନଙ୍କର ଫଳାଫଳ ଦେଖିପାରିବେ । ଏହା ବ୍ୟତୀତ ଡିଜିଲକର ଏବଂ ଉମାଙ୍ଗ ଆପ୍ ମାଧ୍ୟମରେ ମଧ୍ୟ ମାର୍କସିଟ୍ ଡାଉନଲୋଡ୍ କରାଯାଇପାରିବ।
ଚଳିତ ବର୍ଷ ମୋଟ ୧୭,୦୪,୩୬୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ, ଯେଉଁଥିରୁ ୧୬,୯୨,୭୯୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିମଧ୍ୟରୁ ୧୪,୯୬,୩୦୭ ଜଣ ଛାତ୍ରଛାତ୍ରୀଙ୍କୁ ସଫଳ ଘୋଷଣା କରାଯାଇଛି ।
୨୦୨୪ ମସିହାରେ ପାସ୍ ହାର ୮୭.୯୮% ଥିଲା, ଯେତେବେଳେ ଏହି ବର୍ଷ ୮୮.୩୯% ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅର୍ଥାତ୍, ଏଥର ୦.୪୧% ବୃଦ୍ଧି ଦେଖାଯାଇଛି ।
ମେରିଟ୍ ଲିଷ୍ଟ ପ୍ରକାଶିତ ହୋଇନାହିଁ- ଚଳିତ ବର୍ଷ ମଧ୍ୟ CBSE ଟପରମାନଙ୍କର କୌଣସି ମେରିଟ୍ ଲିଷ୍ଟ ପ୍ରକାଶ କରିନାହିଁ । ବୋର୍ଡ ବିଶ୍ୱାସ କରେ ଯେ ଏହା ଅନାବଶ୍ୟକ ପ୍ରତିଯୋଗିତାକୁ ଏଡାଇବ । ତଥାପି, 90% କିମ୍ବା ତା’ଠାରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ‘ଡିଷ୍ଟିଙ୍କସନ୍’ ପ୍ରଦାନ କରାଯିବ।
ଏପରି ଚେକ୍ କରନ୍ତୁ ରେଜଲ୍ଟ-
ସର୍ବପ୍ରଥମେ ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ cbseresults.nic.in ପରିଦର୍ଶନ କରନ୍ତୁ।
ଏବେ ଛାତ୍ରଛାତ୍ରୀମାନେ “Senior School Certificate Examination (ଦ୍ୱାଦଶ ଶ୍ରେଣୀ) 2025” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
ତା’ପରେ ଛାତ୍ରଙ୍କ ରୋଲ୍ ନମ୍ବର, ସ୍କୁଲ ନମ୍ବର ଏବଂ ଆଡମିଟ୍ କାର୍ଡ ପରିଚୟପତ୍ର ପ୍ରବେଶ କରନ୍ତୁ ।
ତା’ପରେ ଛାତ୍ରମାନେ ସବମିଟ୍ ବଟନ୍ ଉପରେ କ୍ଲିକ୍ କରିବେ ।
ଏବେ ଫଳାଫଳ ଛାତ୍ରଙ୍କ ସ୍କ୍ରିନରେ ଦେଖାଯିବ, ଯାହାକୁ ଡାଉନଲୋଡ୍ ଏବଂ ପ୍ରିଣ୍ଟ କରାଯାଇପାରିବ ।