ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ଅତ୍ୟନ୍ତ ଖରାପ ସ୍ତରରେ ପହଞ୍ଚିଛି । ପ୍ରଦୂଷଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଗୁରୁବାର ଦିନ କର୍ମଚାରୀଙ୍କ କାର୍ଯ୍ୟ ସମୟରେ ପରିବର୍ତ୍ତନ କରିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀରେ ପ୍ରଦୂଷଣରେ ସୁଧାର ଆଣିବା ପାଇଁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟ ସମୟ ଘୋଷଣା କରାଯାଇଛି । ଯାନବାହାନ ପ୍ରଦୂଷଣକୁ କମ୍ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କଥା କୁହାଯାଇଛି ।
ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରାକୁ ଦୃଷ୍ଟିରେ ରିଖି କେନ୍ଦ୍ର ସରକାରର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଏବଂ ସଂଗଠନର କର୍ମଚାରୀଙ୍କ ଅଫିସ ସମୟକୁ ପରିବର୍ତ୍ତନ କରାଯାଇଛି । କେତେକ କର୍ମଚାରୀଙ୍କ ଅଫିସ ସକାଳ 9ଟାରୁ ସନ୍ଧ୍ୟା ସାଢେ 5ଟା ଯାଏଁ ରଖାଯାଇଥିବା ବେଳେ ଅନ୍ୟ କିଛି କର୍ମଚାରୀଙ୍କ ସମୟ 10ଟାରୁ ସାଢେ 6ଟା ରଖାଯାଇଛି । ଏହାପୂର୍ବରୁ ସୋମବାର ଦିନ ସରକାରୀ କର୍ମଚାରୀଙ୍କ ପ୍ରତିନିଧିତ୍ୱ କରୁଥିବା ଏକ ସଂଗଠନ କେନ୍ଦ୍ରୀୟ ସଚିବାଳୟ ସେବା ଫୋରମ୍ DoPT ସଚିବଙ୍କୁ ଏକ ଚିଠି ଲେଖି ଓ୍ବାର୍କ ଫ୍ରମ ହୋମ, ସମସ୍ତ ସରକାରୀ ସରକାରୀ କାର୍ଯ୍ୟାଳୟରେ ଏୟାର ପ୍ୟୁରିଫାୟର ଏବଂ ସମସ୍ତ କର୍ମଚାରୀଙ୍କ ପାଇଁ N95 ମାସ୍କ ଦାବି କରିଥିଲା ।