ପ୍ରଥମ ଥର ପାଇଁ ସମ୍ୱଲପୁରରେ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ
୧୧ ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କ ସହ ଅଭିଯୋଗ ଶୁଣୁଛନ୍ତି ମୋହନ।
ସମ୍ୱଲପୁର: ପ୍ରଥମ ଥର ପାଇଁ ସମ୍ୱଲପୁରରେ ଅଭିଯୋଗ ଶୁଣାଣୀ। ସମ୍ୱଲପୁର ଯାଇ ନିଜେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସମ୍ୱଲପୁର ଯାଇ ଅଭିଯୋଗ ଶୁଣାଣୀ କରୁଛନ୍ତି ମୋହନ।
ସମ୍ବଲପୁର ଦୁର୍ଗାପାଲିସ୍ଥିତ ମହାନଗର ନିଗମ କାର୍ଯ୍ୟାଳୟରେ ଆଜି ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିଛି। ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ। ଆଉ ଅଭିଯୋଗର ସମାଧାନ କରିବା ପାଇଁ ପ୍ରତିଶୃତି ମଧ୍ୟ ଦେଉଛନ୍ତି।
ଏହି ଅଭିଯୋଗ ଶିବିରରେ ୧୧ ମନ୍ତ୍ରୀଙ୍କ ସହ ବିଭାଗୀୟ ସଚିବ ମଧ୍ୟ ସାମିଲ ଅଛନ୍ତି। ଆଜିର ଏହି ଜନ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଂଚାୟତିରାଜମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଛନ୍ତି।
ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବଲପୁରରେ ପହଞ୍ଚି ମା’ ସମଲେଇଙ୍କ ଦର୍ଶନ କରିଥିଲେ। ଏଥିସହ ସମଲେଇ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିଥିଲେ। ଲୋକଙ୍କ ସରକାର ଲୋକଙ୍କ ପାଖକୁ ଆସି ଅଭିଯୋଗ ଶୁଣୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।