fbpx

ଓଡ଼ିଶାରେ ଗୁପ୍ତଚର ପାରା ପଛରେ ଚୀନର ବଡ଼ ଷଡ଼ଯନ୍ତ୍ର: ୧୯୬୯ରେ ଡ୍ରାଗନ ଛାଡ଼ିଥିଲା ସିକ୍ରେଟ୍ ବେଲୁନ୍, ପୋଲିସ ଓ ଗୋଇନ୍ଦା ବିଭାଗର ଚିନ୍ତା ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶାନ୍ତି ସ୍ଥାପନ ପାଇଁ ଯେତେ ବୈଠକ ବସିଲେ ମଧ୍ୟ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ଚୀନର ଭାରତ ବିରୋଧୀ କାର୍ଯ୍ୟକଳାପ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ । ଦଶନ୍ଧି ଦଶନ୍ଧି ଧରି ଡ୍ରାଗନ ଭାରତ ବିରୋଧୀ ଗୁପ୍ତ ଷଡ଼ଯନ୍ତ୍ର ରଚି ଚାଲିଛି । ଗତ କିଛିବର୍ଷ ମଧ୍ୟରେ ଭାରତ କେବଳ ଏସିଆ ନୁହେଁ ବିଶ୍ୱର ଏକ ପ୍ରମୁଖ ଦେଶ ଭାବେ ଉଭା ହୋଇଛି । ତେଣୁ ଏହା ଚୀନର ଏକଚାଟିଆ ଅଧିକାର ଉପରେ ବାଧା ସୃଷ୍ଟି କରୁଛି । ତେଣୁ ସମ୍ମୁଖ ଯୁଦ୍ଧ ନକରି ଚୀନ ଭିତିରିଆ କୂଟନୈତିକ କାର୍ଯ୍ୟକଳାପରେ ଲିପ୍ତ ରହୁଛି ।

ତେବେ ଗତ ୬ ତାରିଖରେ ରାଜ୍ୟର ପାରାଦୀପ ଓ କୋଣାର୍କ ମଝି ସମୁଦ୍ରରୁ ଏକ ମାଛଧରା ଟ୍ରଲରରୁ ଏକ ଗୁପ୍ତଚର ପାରା ଧରାପଡ଼ିଥିଲା । ଏହି ଗୁପ୍ତଚର ପାରା ଚୀନ ଛାଡ଼ିଛି ବୋଲି କୁହାଯାଉଛି । ଉଦ୍ଧାର ହୋଇଥିବା ପାରାକୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ଫରେନସିକ ସାଇନ୍ସ ଲାବରେ ଯାଞ୍ଚ କରାଯାଇଛି ।  ଏହା ନୂଆ କଥା ନୁହେଁ, ଏହା ପୂର୍ବରୁ ଗତ ୧୯୬୯ରେ ଚୀନ ଗୋଇନ୍ଦାଗିରି କରିବା ପାଇଁ ପୁରୀ ଜିଲ୍ଲା ସାକ୍ଷୀଗୋପାଳକୁ ଏକ ବେଲୁନ୍ ଛାଡ଼ିଥିଲା । ଉକ୍ତ ବେଲୁନ୍ ଦେହରେ ଏକ ଛୋଟ ମେଶିନ୍ ଲାଗିଥିଲା । ତେବେ ସେତେବେଳେ ରାଜ୍ୟର ପୋଲିସ ମୁଖ୍ୟ ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ କରିବା ପରେ ଉକ୍ତ ପାରା ଚୀନରୁ ଆସିଥିବା ଜଣାପଡ଼ିଥିଲା । ପାରାଠାରେ ଲାଗିଥିବା କ୍ୟାମେରା ଦ୍ୱାରା ଚୀନ ଓଡ଼ିଶାର ଫଟୋ ସଂଗ୍ରହ କରିଥିବା ସ୍ପଷ୍ଟ ହୋଇଥିଲା ।

ଓଡ଼ିଶାର କୋରାପୁଟ ଜିଲ୍ଲାର ସୁନାବେଡ଼ା ସ୍ଥିତ ମିଗ୍ ଇଞ୍ଜିନ୍ ଫ୍ୟାକ୍ଟ୍ରି ଓ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ଘାଟିର ତଥ୍ୟ ନେବାକୁ ଷଡ଼ଯନ୍ତ୍ର ଚଳାଇଛି ଚୀନ । ସେଥିପାଇଁ ଗୁପ୍ତଚର ପାରା ଗୋଡ଼ରେ ଟ୍ରାନ୍ସମିଟର, ସିକ୍ରେଟ କ୍ୟାମେରା ଖଞ୍ଜି ବଙ୍ଗୋପସାଗର ମଝି ଜାହାଜରେ ଏହାକୁ ଛାଡ଼ୁଛି । ପୂର୍ବରୁ କେନ୍ଦ୍ରାପଡ଼ା, ପୁରୀ, ସୁନ୍ଦରଗଡ଼ ଆଦି ବିଭିନ୍ନ ସ୍ଥାନରୁ ମଧ୍ୟ ଚୀନର ଗୁପ୍ତଚର ପାରା ଠାବ ହୋଇସାରିଛି । ତେଣୁ ଏଭଳି ସ୍ଥିତିରେ ରାଜ୍ୟ ପୋଲିସ ଓ ଗୋଇନ୍ଦା ବିଭାଗର ଚିନ୍ତା ବଢ଼ିଯାଇଛି ।

୨୦୧୨ରେ କୋଣାର୍କ ନିକଟରୁ ଏକ ସ୍ୱତନ୍ତ୍ର ପ୍ରଜାତିର ପାରା ଉଦ୍ଧାର ହୋଇଥିବା ବେଳେ ତା’ ଗୋଡ଼ରେ ଉର୍ଦ୍ଦୁ ଭାଷାରେ କିଛି ଲେଖା ଦେଖିବାକୁ ମିଳିଥିଲା । ସେହିପରି ଗତବର୍ଷ ଜାନୁଆରୀ ୩ ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ଘରୁ ଏକ ପାରା ମିଳିଥିଲା । ସେହି ପାରା ଡେଣାରେ ଚାଇନିଜ୍ ଭାଷାର ଅକ୍ଷର ଲେଖାଥିଲା । ସେହିପରି ଜାନୁଆରୀ ୪ରେ ପୁରୀ ଜିଲ୍ଲା ମାଳତୀପାଟପୁରରୁ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଗୋଟିଏ ଲେଖାଏଁ ପାରା ଠାବ ହୋଇଥିଲେ । ଜାନୁଆରୀ ୫ରେ ମହାକାଳପଡ଼ାରୁ ମଧ୍ୟ ଗୋଡ଼ରେ ଟ୍ୟାଗ ଲାଗିଥିବା ପାରା ଉଦ୍ଧାର ହୋଇଥିଲା ।

ତେବେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ପାରାଙ୍କୁ ଗୁପ୍ତଚର ଭାବେ ବ୍ୟବହାର କରାଯାଉଥିବା ନେଇ ରାଜ୍ୟର ଜଣେ ରିଟାୟାର୍ଡ ଡିଜି  କହିଛନ୍ତି । ମିଗ୍ ଫ୍ୟାକ୍ଟ୍ରି ଓ କ୍ଷେପଣାସ୍ତ୍ର ଘାଟି ଚୀନର ମୁଖ୍ୟ ଟାର୍ଗେଟରେ ରହିଛି । ସେଥିପାଇଁ ଓଡ଼ିଶାକୁ ପାରା ଛାଡ଼ି ତା’ ଦେହରେ ଲାଗିଥିବା ଯନ୍ତ୍ର ମାଧ୍ୟମରେ ଫଟୋ ଉଠାଇ ଡାଟା ସଂଗ୍ରହ ପାଇଁ ଚୀନ ଏହି ଷଡ଼ଯନ୍ତ୍ର ଚଳାଇଥିବା ତଦନ୍ତ୍ରରୁ ଜଣାପଡ଼ିଥିବା ରିଟାୟାର୍ଡ ଡିଜି ମତ ଦେଇଛନ୍ତି । ତେବେ ଚୀନର ଏହି କୂଟନୈତିକ କାର୍ଯ୍ୟକଳାପ ଓଡ଼ିଶା ପାଇଁ ନିହାତି ଚିନ୍ତାର ବିଷୟ । ଓଡ଼ିଶା ସହିତ ଦେଶବାସୀଙ୍କ ସୁରକ୍ଷା ଓ ସ୍ୱାର୍ଥ ଜଡ଼ିତ ରହିଛି । ତେଣୁ ଏନେଇ ଆଗାମୀ ଦିନରେ ଏ ଦିଗରେ ସଚେତନ ହେବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଦରକାର ।

Get real time updates directly on you device, subscribe now.