fbpx

ଗଲୱାନରେ ପ୍ରବେଶ କରି ନିଜ ଦେଶର ଜାତୀୟ ପତାକା ଉଡ଼ାଇଲା ଚୀନ, କେନ୍ଦ୍ରକୁ ଟାର୍ଗେଟ କଲେ ବିରୋଧୀ

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ସୀମା ଲଙ୍ଘିଲାଣି ଚୀନ । ଜାନୁଆରୀ ୧ରେ ଡ୍ରାଗନ ସେନା ଗଲୱାନରେ ପ୍ରବେଶ କରି ନିଜ ଦେଶର ଜାତୀୟ ପତାକା ଉଡ଼ାଇଛନ୍ତି । ସେମାନେ ଗଲୱାନ ଉପତ୍ୟକାକୁ ନିଜର ବୋଲି ଦାବି କରିଛନ୍ତି । ଏହାର ଭିଡିଓ ବିଭିନ୍ନ ଚାଇନିଜ ସରକାରୀ ଚ୍ୟାନେଲରେ ପ୍ରକାଶ ପାଇଛି । ତେବେ ଏହି ଭିଡିଓ ସାମନାକୁ ଆସିବା ପରେ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଚାଇନିଜ ଯବାନ ଗଲୱାନରେ ଅନୁପ୍ରବେଶ କରିବାରୁ ବିରୋଧୀ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ଗଲୱାନ ଉପତ୍ୟକାକୁ ନିଜର ବୋଲି ଦାବି କରି ଗ୍ଲୋବାଲ ଟାଇମ୍ସ ଏହାର ଭିଡିଓ ଜାରି କରି କହିଛି ଯେ, ଭାରତ ସୀମାକୁ ଲାଗିଥିବା ଗଲୱାନ ଉପତ୍ୟକାରେ ପିଏଲଏ ସୈନ୍ୟମାନେ ‘କେବେ ହେଲେ ଗୋଟିଏ ଇଞ୍ଚ ଜମି ଛାଡ଼ିବୁ ନାହିଁ ନୀତିରେ କାମ କରିଛନ୍ତି । ଏପରିକି ସେମାନେ ୨୦୨୨ ଜାନୁଆରୀ ୧ରେ ଚାଇନିଜ ଲୋକଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ଜାରି ହୋଇଥିବା ଭିଡିଓରେ ଶତାଧିକ ଯବାନ ବନ୍ଧୁକ ସହ ଗଲୱାନ ଉପତ୍ୟକାରେ ଛିଡ଼ା ହୋଇଛନ୍ତି । ଏଥିସହ ସେମାନେ ଚାଇନିଜ ଭାଷାରେ ପତାକା ଉଡ଼ାଇ ଶପଥ ନେଉଥିବା ଦେଖିବାକୁ ମିଳୁଛି ।

ତେବେ ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ଟୁଇଟ କରି କହିଛନ୍ତି ଯେ, “ଆମ ତ୍ରିରଙ୍ଗା ଗଲୱାନରେ ଭଲ ଦିଶେ । ଚାଇନାକୁ ନିଶ୍ଚିତ ତା’ କାମ ପାଇଁ ଜବାବ ଦିଆଯିବା ଦରକାର । ମୋଦିଜୀ ନୀରବତା ଭାଙ୍ଗନ୍ତୁ” । ସୂଚନାଯୋଗ୍ୟ, ୨୦୨୦ ଜୁନ୍ ୧୫ରେ ଭାରତ ଓ ଚାଇନାର ଯବାନମାନଙ୍କ ମଧ୍ୟରେ ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଦୀର୍ଘ ୪୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଥିଲା ଓ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଚାଇନାର ମଧ୍ୟ ବ୍ୟାପକ କ୍ଷତି ଘଟିଥିଲା। ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା। ତେବେ ଆଲୋଚନା ଦ୍ୱାରା ଉଭୟ ଦେଶ ସୀମାର ବିଭିନ୍ନ ସ୍ଥାନରୁ ସେନା ପ୍ରତ୍ୟାହାର କରିଥିଲେ । କିନ୍ତୁ ଏବେ ପୁଣି ଚାଇନା ସୀମା ଲଙ୍ଘିବା ଆରମ୍ଭ କରିଛି।

Get real time updates directly on you device, subscribe now.