fbpx
BSKY
BJD MC SKY
BJD YOUTH SKY

ନିଜ ଷଡ଼ଯନ୍ତ୍ରର ଶିକାର ହେଲା ଚୀନ: ଭାରତର ଭ୍ୟାକ୍ସିନକୁ ୧୭ ସପ୍ତାହରେ ମଞ୍ଜୁରୀ, ଚୀନ ଭ୍ୟାକ୍ସିନକୁ ମାତ୍ର ୯ ସପ୍ତାହରେ ମଞ୍ଜୁରୀ, ଏ ରାଜନୀତି କ’ଣ ପାଇଁ

ନୂଆଦିଲ୍ଲୀ: ପାଖାପାଖି ୩ ବର୍ଷ ପରେ ପୁଣି ଥରେ ସାରା ବିଶ୍ୱକୁ କରୋନା ଭାଇରସ କନ୍ଦାଇବା ଆରମ୍ଭ କରିଦେଲାଣି । କରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନ ପୁଣି ଥରେ ସାରା ବିଶ୍ୱରେ ବିଷର ମଞ୍ଜି ବୁଣିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହା ମଧ୍ୟରେ ଭାଇରସର ପ୍ରଭାବ ବିଶ୍ୱର ବହୁ ଦେଶକୁ ମାଡ଼ି ଚାଲିଥିବା ବେଳେ ଭାରତରେ ଏହାକୁ ନେଇ ଆଲର୍ଟ ଜାରି କରାଯାଇଛି । ଅଧିକାଂଶ ଭାରତୀୟଙ୍କ ଶରୀରରେ ପ୍ରାକୃତିକ ଇମ୍ୟୁନିଟି, ଭ୍ୟାକ୍ସିନ ଜନିତ ଇମ୍ୟୁନିଟି ସୃଷ୍ଟି ହୋଇଥିବାରୁ ସେମାନଙ୍କ ଶରୀରରେ ନୂଆ ଭାରିଆଣ୍ଟି ବିଏଫ.୭ର ପ୍ରଭାବ ପଡ଼ିବନି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ତେବେ ଏହା ମଧ୍ୟରେ ଚୀନକୁ ନେଇ ପୁଣି ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ୨୦୨୩ରେ ଚୀନରେ ୧୦-୧୫ ଲକ୍ଷ ଲୋକଙ୍କ ଜୀବନ ଯାଇପାରେ । ଆସନ୍ତା ୩ ମାସ ମଧ୍ୟରେ ଚୀନର ଜନସଂଖ୍ୟାର ୬୦ ପ୍ରତିଶତ ଅର୍ଥାତ ପାଖାପାଖି ୮୫ କୋଟି ଲୋକ କୋଭିଡରେ ସଂକ୍ରମିତ ହୋଇପାରନ୍ତି । ତେବେ ଉଭୟ ଭାରତ ଓ ଚୀନର ଜନସଂଖ୍ୟା ପାଖାପାଖି ସମାନ । ଭାରତରେ ବର୍ତ୍ତମାନ ପରିସ୍ଥିତି ଠିକ୍ ରହିଥିବା ବେଳେ ଚୀନରେ ହସ୍ପିଟାଲରେ ବେଡର ଅଭାବ ଦେଖାଦେଲାଣି । ଏପରିକି ଚୀନ ସରକାର ଜାଣିଶୁଣି କୋଭିଡର ସଠିକ୍ ତଥ୍ୟ ଲୁଚାଉଥିବା କୁହାଯାଉଛି ।

ତେବେ ଚୀନର ଭୁଲ କୋଭିଡ୍ ପରିଚାଳନା ନୀତି ପାଇଁ ଆଜି ସାରା ବିଶ୍ୱ ଘୋର ଯନ୍ତ୍ରଣାରେ ଝଟପଟ ହେଉଛି । ଏଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ଭୂମିକାକୁ ମଧ୍ୟ ଅଣଦେଖା କରାଯାଇ ପାରିବ ନାହିଁ । ଅତୀତରେ କୋଭିଡ ଭ୍ୟାକ୍ସିନକୁ ମଞ୍ଜୁରୀ ପ୍ରଦାନ କ୍ଷେତ୍ରରେ ହୁ ଭାରତକୁ ଅଣଦେଖା କରିଥିବା ବେଳେ ଚୀନକୁ ସମର୍ଥନ କରିଥିଲା । ଭାରତର ଭ୍ୟାକ୍ସିନ ପ୍ରଭାବଶାଳୀ ଥିବାବେଳେ ଚୀନର ଭ୍ୟାକ୍ସିନ ନିମ୍ନମାନର ଥିଲା । ତଥାପି ଚୀନକୁ ଶୀଘ୍ର ମଞ୍ଜୁରୀ ପ୍ରଦାନ କରାଯାଇଥିବା ବେଳେ ଭାରତକୁ ବହୁ ବିଳମ୍ବରେ ମଞ୍ଜୁରୀ ମିଳିଥିଲା । ଗୋଟିଏ ପଟେ ଚୀନ ସହ ଭାରତର ସୀମା ବିବାଦ ଲାଗି ରହିଥିବା ବେଳେ ଚୀନର ଏକାଧିପତ୍ୟ ରାଜୁତି ଭାରତ ପାଇଁ କାଟ୍ ଖାଇ ଯାଉଛି । ତେଣୁ ଡ୍ରାଗନ ଗୋଟିଏ ପଟେ ଶାନ୍ତି ପାଇଁ ବାର୍ତ୍ତା ଦେଇ ଅନ୍ୟ ପଟେ ଷଡ଼ଯନ୍ତ୍ରରେ ଲିପ୍ତ ରହୁଛି ।

ଚୀନର ଭ୍ୟାକ୍ସିନକୁ ମାତ୍ର ୯ ସପ୍ତାହରେ ମଞ୍ଜୁରୀ ମିଳିଥିବା ବେଳେ ଭାରତର କୋଭାକ୍ସିନକୁ ମାନ୍ୟତା ଦେବା ପାଇଁ ୧୭ ସପ୍ତାହ ସମୟ ନେଇଥିଲା ହୁ । ବିଶ୍ୱସ୍ତରରେ ଚୀନ ରଚିଥିବା ଭାରତ ବିରୋଧୀ ଷଡ଼ଯନ୍ତ୍ରର ଶିକାର ଆଜି ନିଜେ ହେଉଛି । ନିଜ ପେଟରେ ନିଜେ ଛୁରୀ ମାରିଛି ଡ୍ରାଗନ । ଭାରତରେ ନିର୍ମିତ ହୋଇଥିବା କୋଭିଶିଲ୍ଡ ଭ୍ୟାକ୍ସିନ ୭୧ ପ୍ରତିଶତ ପ୍ରଭାବୀ ହୋଇଥିବା ବେଳେ ଚୀନ ନିର୍ମିତ ସିନୋଭାକ ମାତ୍ର ୩୭ ପ୍ରତିଶତ ପ୍ରଭାବ ରହିଥିଲା । ସେହିପରି ପିଫାଇଜର ୭୨ ପ୍ରତିଶତ, ମଡର୍ଣ୍ଣା, ୭୩, କୋଭାକ୍ସିନ ୫୭, ସ୍ଫୁଟନିକ-ଭି ୬୭ ପ୍ରତିଶତ ପ୍ରଭାବୀ ରହିଥିଲା । ପିଫାଇଜରକୁ ୬ ସପ୍ତାହରେ, ମଡର୍ଣ୍ଣାକୁ ୯ ସପ୍ତାହରେ, ମାଷ୍ଟ୍ରାଜେନେକାକୁ ୮-୯ ସପ୍ତାହରେ ମଞ୍ଜୁରୀ ମିଳିଥିଲା । ଭାରତ ନିର୍ମିତ ଭ୍ୟାକ୍ସିନକୁ କାହିଁକି ଏତେ ବିଳମ୍ବରେ ମଞ୍ଜୁରୀ ଦିଆଯାଇଥିଲା ତାହା ଏକ ବିରାଟ ପ୍ରଶ୍ନ ।

ତେବେ ହୁ ଚୀନକୁ ସମର୍ଥନ କରିବା ପଛରେ ଏକ ବଡ଼ ରହସ୍ୟ ଲୁଚି ରହିଛି । ହୁ ଏକ ବିଶ୍ୱସ୍ତରର ସଂଗଠନ ହେଲେ ମଧ୍ୟ ଏହାକୁ ବିଶ୍ୱର ବଛା ବଛା ରାଷ୍ଟ୍ର ଅର୍ଥ ପ୍ରଦାନ କରିଥାନ୍ତି । ଏହି ସଂଗଠନକୁ ଆମେରିକା ୯୬୦, ଫ୍ରାନ୍ସ ୧୭୪, ଜର୍ମାନୀ, ୨୪୦, ଭାରତ ୩୪, ଚୀନ, ୪୭୨, ଜାପାନ ୩୩୯ କୋଟି ପ୍ରଦାନ କରିଥିବା ରିପୋର୍ଟରୁ ଜଣାପଡ଼ିଛି । ତେଣୁ ଅଧିକ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଷ୍ଟ୍ର ପ୍ରତି ହୁ’ର ସମର୍ଥନ ରହିବା ଅବଶ୍ୟମ୍ଭାବୀ । ତେବେ ବର୍ତ୍ତମାନ ସମୟ ବଦଳି ଯାଇଛି । ଚୀନରେ ଏବେ ମେଡିସିନ ଅଭାବ ଦେଖାଦେଇଥିବା ବେଳେ ସେଠାରେ ଜନସାଧାରଣ ଭାରତର ମେଡିସିନ ଖୋଜୁଥିବା ଖବର ମିଳିଛି । ଚୀନର ଏହି ନିମ୍ନସ୍ତରର ରାଜନୀତି ପାଇଁ ଆଜି ସାରା ବିଶ୍ୱ ମହାବିପଦ ଆଡ଼କୁ ଠେଲି ହୋଇ ଯାଇଛି ।

Get real time updates directly on you device, subscribe now.