fbpx
BJD SKY
BJD SKY

ପର ଘର କଳିରେ ମୁଣ୍ଡ ପୁରାଉଛି ଚାଇନା, ହେଲେ ନିଜ କଳିରେ ଚାଇନା ନୀରବ କାହିଁକି?

BJD

ନୂଆଦିଲ୍ଲୀ: ଶନିବାର ଇସ୍ରାଏଲ ଉପରେ ହୋଇଥିବା ହମାସ ଆତଙ୍କବାଦୀ ସଂଗଠନର ଆକ୍ରମଣ ଏବଂ ଏହାର ଜବାବରେ ଇସ୍ରାଏଲର ଯୁଦ୍ଧ ଘୋଷଣାକୁ ନେଇ ଏବେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି । ଏହି ଆକ୍ରମଣରେ ବର୍ତ୍ତମାନ ଅନେକ ଜଣଙ୍କ ମୃତ୍ୟ ହୋଇସାରିଥିବା ବେଳେ ସ୍ଥିତି ଆହୁରି ଭୟଙ୍କର ହେବାକୁ ଯାଉଛି । ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋସିଆଲ ମିଡିଆରେ ଛାତି ଥରାଇଦେବା ଭଳି ବିଭିନ୍ନ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ଯାହାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛି । ତେବେ ଏହାରି ଭିତରେ ଯୁଦ୍ଧ ରୋକିବା ନେଇ ଭଦ୍ରତା ଦେଖାଇଛି ଚାଇନା ଦେଶ ।

ଇସ୍ରାଏଲ ଉପରେ ହମାସ୍‌ ଆକ୍ରମଣ କରିବା ପରେ ହିଂସା ବୃଦ୍ଧି ପାଇଛି। ଶାନ୍ତି ଫେରାଇବାକୁ ହେଲେ ଇସ୍ରାଏଲ, ପାଲେଷ୍ଟାଇନ୍‌ ଦୁଇ ରାଜ୍ୟ ମଧ୍ୟରେ ସମାଧାନ ଆବଶ୍ୟକ ବୋଲି ଚାଇନା କହିଛି। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିବାର ଏକ ବିବୃତ୍ତିରେ କହିଛନ୍ତି, ଉଭୟ ପକ୍ଷ ସଂଯମତା ସହ କାର୍ୟ୍ୟ କରିବା ସହ ତୁରନ୍ତ ବିବାଦ ବନ୍ଦ କରିବା ଉଚିତ। ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ବିବାଦର ସମାଧାନ ପାଇଁ ଏକ ମୌଳିକ ଉପାୟ ହେଉଛି ଦୁଇ ରାଜ୍ୟର ବୁଝାମଣା। ତେବେ ଯାଇ ଶାନ୍ତି ଫେରିବ ବୋଲି ସେ କହିଛନ୍ତି । ତେବେ ଚାଇନାର ଏଭଳି ଭଦ୍ରାମିକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଛି । ଯଦି ଏଭଳି ଯୁଦ୍ଧ ପରିସ୍ଥିତିରେ ଚାଇନା ନମ୍ର ହୋଇ ଶାନ୍ତି ପ୍ରସଙ୍ଗ କଥା କହୁଛି, ତେବେ ନିଜର ସୀମା ବିବାଦକୁ ନେଇ ଚାଇନା କାହିଁକି ଶାନ୍ତି କଥା ଉଠାଉନି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

କାରଣ ଦୀର୍ଘ ଦିନ ହେବ ଚାଇନାର ନୂତନ ଜାତୀୟ ମାନଚିତ୍ରକୁ ନେଇ ଅନେକ ଦେଶ ସହିତ ତା’ର ବିବାଦ ଲାଗିରହିଛି । ଚାଇନାର ଏହି ନୂଆ ମ୍ୟାପକୁ ନେଇ ଭାରତ ସମେତ ମାଲେସିଆ, ଫିଲିପାଇନ୍ସ, ତାଇୱାନ ଏବଂ ଭିଏଟ୍‌ନାମ ଭଳି ଦେଶ ଅସନ୍ତୁଷ୍ଟ ରହିଛନ୍ତି । ଏହି ସମସ୍ତ ଦେଶ ଚାଇନାର ନୂତନ ଜାତୀୟ ମାନଚିତ୍ରରେ ଆପତ୍ତି ଉଠାଇବା ସହ ତାହାକୁ ଭିତ୍ତିହୀନ ବୋଲି ମଧ୍ୟ କହିଛନ୍ତି । ଯାହାକୁ ନେଇ ଅନେକ ଦେଶ ସହ ଚାଇନାର ବିବାଦ ଲାଗିରହିଛି । ବିଶେଷକରି ଭାରତ ଚାଇନାର ନୂତନ ମ୍ୟାପକୁ ବିରୋଧ କରିଛି । ସମସ୍ତେ ଶାନ୍ତି ରକ୍ଷା କରିବାକୁ ଯାଇ ଚାଇନା ସହ ଆଲୋଚନା କରିବାକୁ ଚାହୁଁଥିଲେ ବି ସୁଦ୍ଧା ଚାଇନା ଏହି ପ୍ରସଙ୍ଗରେ ନୀରବ ରହୁଛି । ତେବେ ଏହାକୁ ନେଇ ଚାଇନା ସହ କେଉଁ ମୁହୂର୍ତ୍ତରେ କାହାର ଯୁଦ୍ଧ ନ ହୋଇପାରେ ବୋଲି ତା’ର କୌଣସି ଗ୍ୟାରେଣ୍ଟି ନାହିଁ । ତେବେ ଏଭଳି ପରିସ୍ଥିତିରେ ଚାଇନା ନିଜ ଘର କଳି ସମାଧାନ ନକରି ପର ଘର କଳିରେ ମୁଣ୍ଡ ପୁରେଇବାକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି।

ସୂଚନା ଥାଉକି, ନୂଆ ମାନଚିତ୍ରରେ ଦକ୍ଷିଣ ଚାଇନା ସାଗର ଏବଂ ଅନ୍ୟ କେତେକ ବିବାଦୀୟ ଅଞ୍ଚଳକୁ ଚାଇନାର ସାର୍ବଭୌମ ଭୂଖଣ୍ଡ ଭାବେ ଦର୍ଶାଯାଇଛି । ଏହି ବିବାଦୀୟ ମାନଚିତ୍ରରେ ଭାରତର ଅରୁଣାଚଳପ୍ରଦେଶ, ଡୋକଲାମ ସମେତ ଅକ୍ସାଇ ଚୀନ୍‌କୁ ଚାଇନାର ଅଂଶ ଭାବେ ଦେଖାଯାଇଛି । ସେହିପରି ଉତ୍ତରପୂର୍ବରେ ଥିବା ରୁଷିଆର ବୋଲଶୋଏ ଉସୁରିସ୍କି ଆଇଲାଣ୍ଡକୁ ଚାଇନା ନିଜର ବୋଲି ନୂଆ ମାନଚିତ୍ରରେ ଦର୍ଶାଇଛି। ଭିଏଟ୍‌ନାମର ସ୍ପ୍ରାଟ୍‌ଲି ଏବଂ ପରାସେଲ୍‌ ଆଇଲାଣ୍ଡ ସମେତ ଏହାର ଜଳରାଶିକୁ ଚାଇନା ନିଜର ବୋଲି ଦର୍ଶାଇଥିବାରୁ ସାର୍ବଭୌମତ୍ୱର ଉଲ୍ଲଂଘନ ହୋଇଥିବା ଭିଏଟ୍‌ନାମ ଅଭିଯୋଗ କରିଛି । ମ୍ୟାପ୍‌ର ନାଇନ୍‌-ଡଟେଡ୍‌ ଲାଇନ ଉପରେ ଚାଇନାର ସାର୍ବଭୌମତ୍ୱ ଓ ସାମୁଦ୍ରିକ ଅଧିକାର ଅବୈଧ ବୋଲି ନିକଟରେ ଭିଏଟ୍‌ନାମ ପକ୍ଷରୁ ଏକ ବିବୃତିରେ କୁହାଯାଇଛି । ସେହିପରି ଚାଇନାର ନୂଆ ମ୍ୟାପକୁ ନେଇ ଭାରତ ଏହାକୁ ଭିତ୍ତିହୀନ କହିବା ସହ ଏହାକୁ ତୀବ୍ର ବିରୋଧ କରିଛି । ଅନ୍ୟପଟେ ସୀମା ଉଲଘଂନ କରିବା ଏହା ଚାଇନାର ପୁରୁଣା ଅଭ୍ୟାସ ବୋଲି କହି ଚାଇନାକୁ କଡ୍ଡା ସମାଲୋଚନା କରିଛି ଭାରତ।

 

 

Get real time updates directly on you device, subscribe now.