fbpx
BSKY
BJD SHG SKY
BJD YOUTH SKY

ଆଜି ଆସିବ ଚିତ୍ତରଞ୍ଜନଙ୍କ ପୋଷ୍ଟମର୍ଟମ୍ ରିପୋର୍ଟ: ଖୋଲିପାରେ ହତ୍ୟାକାରୀଙ୍କ ଗୁମର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ପ୍ରକୃତ ହତ୍ୟାକାରୀ ବର୍ତ୍ତମାନ ସୁଦ୍ଧା ଧରାପଡ଼ିନାହିଁ । ତେବେ ଆଜି ଚିତ୍ତରଞ୍ଜନଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବ । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହି ଘଟଣାର ଯାଞ୍ଚ କରୁଥିବା ବେଳେ ରିପୋର୍ଟ ଆସିବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଇତିମଧ୍ୟରେ ପୁରୀରେ ପହଞ୍ଚି ୪ ଜଣିଆ ତଦନ୍ତକାରୀ ଟିମ୍ ସହିତ ଆଲୋଚନା କରୁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଚିତ୍ତଙ୍କୁ ଗତ ୧୧ ତାରିଖ ରାତି ୯ଟାରେ କିଛି ବ୍ୟକ୍ତି ଘରୁ ଡାକି ନେଇଥିଲେ । ସେଦିନ ରାତିରେ ସେ କିଛି ଲୋକଙ୍କ ସହିତ ଭୋଜି କରୁଥିବା ଜଣାପଡ଼ିଥିଲା । ସେମାନଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି । ଚିତ୍ତଙ୍କୁ ବ୍ରହ୍ମଗିରିରୁ ଅପହରଣ କରି ପୁରୀରେ ହତ୍ୟା କରାଯାଇଥିବା ସନ୍ଦେହ ହେଉଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୁହାଯାଉଥିଲା । ଭୋଜିରେ ସାମିଲ ଥିବା ଯୁବକମାନଙ୍କୁ ଜେରା କଲେ ପ୍ରକୃତ ରହସ୍ୟ ଫିଟି ବୋଲି ଚିତ୍ତଙ୍କ ପତ୍ନୀ କହିଥିଲେ । ଗଡ଼ମୃଗଶିରା-ଜମାରସୁଆଁ ନଦୀବନ୍ଧରେ ଚିତ୍ତଙ୍କ ବାଇକ, ମୋବାଇଲ, ସୁନାଚେନ୍, ଚପଲ ଆଦି ବିଛାଡ଼ି ହୋଇ ପଡ଼ିଥିଲା । ହତ୍ୟା ପୂର୍ବରୁ ଚିତ୍ତଙ୍କ ସହ ଅଭିଯୁକ୍ତମାନେ ଧସ୍ତାଧସ୍ତି ହେବା ସହ ଘଟଣାସ୍ଥଳରେ ରକ୍ତର ଛିଟା ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା । ଅପହରଣ ପରେ ହତ୍ୟା କରି ଚିତ୍ତଙ୍କୁ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଥିଲା । ଏନେଇ ପୁରୀ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ଏକ ଏସଆଇଟି ଗଠନ କରାଯାଇଥିଲା । ଉକ୍ତ ଟିମରେ ଏସଡିପିଓ, ସଦର ଥାନା ଇନ୍ସପେକ୍ଟର, ଫରେନସିକ୍ ଟିମ୍ ଓ ସନ୍ଧାନୀ କୁକୁରଙ୍କୁ ସାମିଲ କରାଯାଇଥିଲା ।

Get real time updates directly on you device, subscribe now.