ଜଳବାୟୁ ପରିବର୍ତ୍ତନ କାରଣରୁ ଯୁବପୀଢ଼ିଙ୍କ ମଧ୍ୟରେ ଆତ୍ମହତ୍ୟାର ବିଚାର ବଢ଼ୁଛି: COP29 ଏକ୍ସପର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ଦୁନିଆରେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି । ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି ଯେ, ଜଳବାୟୁ ପରିବର୍ତ୍ତନ କାରଣରୁ ମଣିଷ ବହୁମାତ୍ରାରେ ପ୍ରଭାବିତ ହେଉଛି । ଏହି କାରଣରୁ ଯୁବପୀଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ବିଗିଡ଼ିବା ସହିତ ସେମାନଙ୍କ ମଧ୍ୟରେ ଆତ୍ମହତ୍ୟାର ବିଚାର ବଢ଼ୁଛି । ନିକଟରେ କରାଯାଇଥିବା ଏକ ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ତେଣୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଜଳବାୟୁ ପରିବର୍ତ୍ତନ ଉପରେ ଚର୍ଚ୍ଚା କରିବା ପାଇଁ ଆଜରବୈଜାନ ଠାରେ COP29 କାର୍ଯ୍ୟକ୍ରମରେ ଏକତ୍ରିତ ହୋଇଥିବା ବିଶ୍ୱର ବିଭିନ୍ନ ରାଷ୍ଟ୍ରର ନେତାମାନେ ଏନେଇ ମତବ୍ୟକ୍ତ କରିଛନ୍ତି ।

ସାରା ବିଶ୍ୱରେ ଯୁବକମାନଙ୍କ ମାନସିକ ସ୍ଥିତି ବିଗିଡ଼ିବା ସହିତ ଜଳବାୟୁ ପରିବର୍ତ୍ତନ ଏହି ସ୍ଥିତିକୁ ଆହୁରି ଖରାପ କରିବାରେ ଲାଗିଛି । ଜଳବାୟୁ ପରିବର୍ତ୍ତନ ସେମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି, ତେଣୁ ପୃଥିବୀ ଗ୍ରହର ଭବିଷ୍ୟତକୁ ନେଇ ଅନେକ ଯୁବକ ଚିନ୍ତିତ ରହିଛନ୍ତି । ନ୍ୟୁ ସାଉଥ ୱେଲ୍ସରେ ୧୨-୨୪ ବର୍ଷ ବୟସର ଯୁବକଙ୍କ ଆତ୍ମଘାତୀ ବିଚାର ଓ ବ୍ୟବହାର ଉପରେ ଆପାତକାଳୀନ ବିଭାଗ ଧ୍ୟାନ କେନ୍ଦ୍ରିତ କରିବାକୁ ଏହି ଅଧ୍ୟୟନରେ କୁହାଯାଇଛି । ଏହି ଅବସରରେ ୨୦୧୨ ଓ ୨୦୧୯ ମଧ୍ୟରେ ନଭେମ୍ବରୁ ମାର୍ଚ୍ଚର ଗରମ ସମୟର ଡାଟା ବିଷୟରେ ଉଲ୍ଲେଖ କରାଯାଇଛି । ଦୈନିକ ତାପମାତ୍ରାରେ ୧ ଡିଗ୍ରୀ ସେଲସିୟସ ବୃଦ୍ଧି ଘଟିଲେ ଆତ୍ମହତ୍ୟାର ବିଚାର ଓ ବ୍ୟବହାର କ୍ଷେତ୍ରରେ ତାହା ୧.୩ ପ୍ରତିଶତ ବୃଦ୍ଧି କରୁଥିବା ଜଣାପଡ଼ିଛି ।