fbpx

ନୂଆବର୍ଷରେ ମହଙ୍ଗା ମାଡ଼: ଏତେ ବଢ଼ିଯିବ କପଡ଼ା ଦାମ୍, ଆଉ ପିନ୍ଧିହେବନି, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ପାଇଁ ଏକ ଚିନ୍ତାଜନକ ଖବର । ଖୁବଶୀଘ୍ର ପିନ୍ଧିବା କପଡ଼ା ଦାମରେ ବୃଦ୍ଧି ଘଟିବାକୁ ଯାଉଛି । ଗତ ଜିଏସଟି କାଉନସିଲ ମିଟିଂରେ ବ୍ରାଣ୍ଡେଡ କପଡ଼ାର ଜିଏସଟି ଉପରେ କୌଣସି ନିଷ୍ପତ୍ତି ନିଆଯାଇନଥିଲେ ହେଁ ନୂଆବର୍ଷରେ ଏହା ମହଙ୍ଗା ହୋଇପାରେ । କଞ୍ଚମାଲ, ପରିବହନ ଓ ଅନ୍ୟ ଦରରେ ବୃଦ୍ଧି କାରଣରୁ ବ୍ରାଣ୍ଡେଡ କପଡ଼ା ୨୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ।

ଏନେଇ କିଛି ଇଣ୍ଡଷ୍ଟ୍ରି ଏକ୍ସପର୍ଟ କୁହନ୍ତି ଯେ, କଟନ, ଧାଗା ଓ ଫେବ୍ରିକ ପରି କଞ୍ଚାମାଲର ମୂଲ୍ୟ ବଢ଼ିବାରେ ଲାଗିଛି । ଏଥିସହ ପ୍ୟାକେଜିଂ ମ୍ୟାଟେରିଆଲ ଓ ପରିବହନ ମୂଲ୍ୟ ମଧ୍ୟ ନୂଆ ବର୍ଷରେ ବୃଦ୍ଧି ହେବା କାରଣରୁ ଏହା ବ୍ରାଣ୍ଡେଡ କପଡ଼ାର ଖର୍ଚ୍ଚକୁ ଦ୍ୱିଗୁଣିତ କରିଦେଇଛି । ଏନେଇ କିଛି ବ୍ରାଣ୍ଡ ପୂର୍ବରୁ ମୂଲ୍ୟ ବୃଦ୍ଧି କରିସାରିଥିବା ବେଳେ ଆଉ କିଛି ବ୍ରାଣ୍ଡ ଆସନ୍ତା ମାର୍ଚ୍ଚ ଓ ଏପ୍ରିଲ ମାସରେ ସମର କଲେକ୍ସନ ଲଞ୍ଚ ଅବସରରେ ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । କଞ୍ଚା ମାଲର ଦର ୭୦ରୁ ୧୦୦ ପ୍ରତିଶତ ବୃଦ୍ଧି ଘଟିଥିବା କାରଣରୁ ପୂର୍ବରୁ ୱିଣ୍ଟର କଲେକ୍ସନ ପାଇଁ ଏମଆରପି ୧୦ ପ୍ରତିଶତ ବଢ଼ିଥିଲା । ସେହିପରି ସମର କଲେକ୍ସନ ଅବସରରେ ୧୦ ପ୍ରତିଶତ ବଢ଼ିବାର ସମ୍ଭାବନା ରହିଛି ।

ଏନେଇ ଇଣ୍ଡଷ୍ଟ୍ରି ଆସୋସିଏସନ କ୍ଲଥିଂ ମାନୁଫାକଚରିଂ ଆସୋସିଏସନ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ଗ୍ରୀଷ୍ମ ସିଜିନରେ ଦାମ ୧୫-୨୦ ପ୍ରତିଶତ ବଢ଼ିବ । ଜିଏସଟି ଦର ବୃଦ୍ଧି ପାଇଲେ କପଡ଼ା ଦରରେ ୭-୧୦ ପ୍ରତିଶତ ବୃଦ୍ଧି ଘଟିବ । ତେଣୁ କଞ୍ଚାମାଲର ଦରକୁ ନିୟନ୍ତ୍ରଣ କରିବା ପାଇଁ ସରକାର ହସ୍ତକ୍ଷେପ କରିବାକୁ କପଡ଼ା ନିର୍ମାତାମାନେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ଡିସେମ୍ବର ୩୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ସାଧାରଣ ଜନତାଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଟେକ୍ସଟାଇଲ ଉପରେ ଜିଏସଟି ୫ ପ୍ରତିଶତ ବଳବତ୍ତର ରଖିଥିଲେ ।

Get real time updates directly on you device, subscribe now.