fbpx

OCAC ସହିତ ଚୁକ୍ତି ସ୍ୱାକ୍ଷର କଲା କମିଶନରେଟ ପୋଲିସ: ରାଜ୍ୟର ସ୍କୁଲ ଓ କଲେଜ ପିଲାଙ୍କୁ ପଢ଼ାଯିବ ସାଇବର ସୁରକ୍ଷା ପାଠ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଇଣ୍ଟରନେଟର ଯୁଗ ବଢ଼ିବାକୁ ଲାଗିଥିବା ବେଳେ ସାଇବର ଅପରାଧ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସମୟରେ ଦୈନନ୍ଦିନ ଜୀବନରେ ସାଇବର ସୁରକ୍ଷା ପ୍ରଶାସନ ଓ ପୋଲିସ ପାଇଁ ଏକ ବଡ଼ ଚିନ୍ତାର କାରଣ ସାଜିଛି । ତେଣୁ ସେଥିପାଇଁ କମିଶନରେଟ ପୋଲିସ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛି । ରାଜ୍ୟର ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାଇବର ସୁରକ୍ଷା ନେଇ ସଚେତନତା ସୃଷ୍ଟି କରାଯିବ ।

ସୂଚନା ଅନୁଯାୟୀ, କମିଶନରେଟ ପୋଲିସ ନିକଟରେ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ) ସହିତ ଚୁକ୍ତିନାମା ସ୍ୱାକ୍ଷର କରିଛି । ଏଥିପାଇଁ ପୋଲିସ ଭବନଠାରେ ଅନୁଷ୍ଠିତ ଏକ ବୈଠକରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଆଇଟି ସଚିବ ମନୋଜ ମିଶ୍ର ଉପସ୍ଥିତ ଥିଲେ । ପିଲାମାନଙ୍କୁ କିପରି ସାଇବର ସୁରକ୍ଷା ନେଇ ସଚେତନ କରାଯିବ, କିପରି ଭିଡିଓ ପ୍ରସାର କରାଯିବ, କିପରି ସୋସିଆଲ ମିଡ଼ିଆରେ ସଚେତନତା ସୃଷ୍ଟି କରାଯିବ ସେନେଇ ଓକାକ୍ ସାହାଯ୍ୟ କରିବ ।

ଏହି କାର୍ଯ୍ୟକ୍ରମ ପାଇଁ ଓକାକ ପାଣ୍ଠି ଯୋଗାଇବା ସହିତ ସାଇବର ନିରାପତ୍ତା ହାକାଥନ ମଧ୍ୟ ଆୟୋଜନ କରିବ । ନୂଆ ସାଇବର ବିପଦ ବାବଦରେ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଇଁ ଖବର ପ୍ରସାରଣ କରାଯିବ । ଏଥିସହିତ ଏହାର ନିରାକରଣ ପାଇଁ କ’ଣ ପଦକ୍ଷେପ ନିଆଯିବ ସେ ବାବଦରେ ଉକ୍ତ ପୋର୍ଟାଲରେ ତଥ୍ୟ ଉପଲବ୍ଧ ରହିବ । ସାଇବର ନିରାପତ୍ତା ବ୍ରାଣ୍ଡ ଆମ୍ବାସଡର ଭାବେ କାର୍ଯ୍ୟରତ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ । ବଛା ବଛା ପୋଲିସ ଅଧିକାରୀଙ୍କୁ ଆଡଭାନ୍ସ ସାଇବର ନିରାପତ୍ତା ବାବଦରେ ଓକାକ ତରଫରୁ ଟ୍ରେନିଂ ପ୍ରଦାନ କରାଯିବ ।

Get real time updates directly on you device, subscribe now.