ବେଙ୍ଗାଲୁରୁ ସହରରେ ଯାନବାହାନର ଯାତାୟତ ବେଗ ଘଣ୍ଟା ପ୍ରତି ୧୪-୧୮ କି.ମିରୁ ୨୦-୨୨ କିମିକୁ ବୃଦ୍ଧି ପାଇଛି: ଟ୍ରାଫିକ କମିଶନର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସଡ଼କ ଦୁର୍ଘଟଣା ହେଉଛି ଏକ ବଡ଼ ସମସ୍ୟା । ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ହଜାର ହଜାର ଲୋକ ମୃତ୍ୟୁବରଣ କରିବା ସହ ଆହତ ମଧ୍ୟ ହେଉଛନ୍ତି । ଜଣେ ବ୍ୟକ୍ତି ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇବା ଫଳରେ ଅନେକ ପରିବାର ସର୍ବସ୍ୱାନ୍ତ ହୋଇଯାଉଛନ୍ତି । ପ୍ରତିବର୍ଷ ଭାରତରେ ସଡ଼କ ଦୁର୍ଘଟଣାରେ ୧.୫ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ପ୍ରତ୍ୟେକ ଦିନ ୪୨୨ ଜଣ ଓ ପ୍ରତି ଘଣ୍ଟାରେ ୧୮ ଜଣ ଦୁର୍ଘଟଣା କାରଣରୁ ପ୍ରାଣ ହରାଉଛନ୍ତି ।

ତେବେ ସଡ଼କ ସୁରକ୍ଷା ଦିଗରେ ଲୋକଙ୍କୁ ସଚେତନତା କରାଇବା ନେଇ ଆଗକୁ ଆସିଛନ୍ତି ଜଣେ ଆଇପିଏସ୍ ଅଫିସର । ସେ ହେଉଛନ୍ତି ବେଙ୍ଗାଲୁରୁ ସହରର ଅତିରିକ୍ତ ପୋଲିସ କମିଶନର ଡ. ଏମ.ଏ ସଲିମ । ବେଙ୍ଗାଲୁରୁ ସହର ଏକ ସୁନ୍ଦର ସହର ହୋଇଥିବା ବେଳେ ବର୍ତ୍ତମାନ ଏହା ଖରାପ ଟ୍ରାଫିକ ସମସ୍ୟା କାରଣକୁ ପ୍ରଭାବିତ ହେଉଛି । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଟାଇମ୍ସ ଅଫ୍ ଇଣ୍ଡିଆ ତରଫରୁ ‘Un-jam Bengaluru’ ନାମରେ ଏକ କ୍ୟାମ୍ପେନ ଆରମ୍ଭ କରାଯାଇଛି । ଏହି ଅଭିଯାନ ଜରିଆରେ ସମସ୍ୟାକୁ ଚିହ୍ନଟ କରି ଆବଶ୍ୟକ ସମାଧାନ ଦିଗରେ ପ୍ରୟାସ କରାଯାଉଛି ।

ଏନେଇ ଟ୍ରାଫିକ କମିଶନର କହିଛନ୍ତି, ବେଙ୍ଗାଲୁରୁ ସହରରେ ମୋଟ ୧୧ ମିଲିୟନ ଯାନ ଯାତାୟତ କରୁଛି, ଯାହାକି ଦେଶର ଅନ୍ୟ ସହରର ଟ୍ରାଫିକ ସାନ୍ଦ୍ରତାଠାରୁ ଢେର ଅଧିକକ । ତେଣୁ ସହରର ବିଭିନ୍ନ ସ୍ଥାନରେ ଭୟଙ୍କର ଭାବେ ଟ୍ରାଫିକ ସମସ୍ୟା ଉପୁଜୁଛି । ଏହି ସମସ୍ୟାକୁ ଦୂର କରିବା ପାଇଁ ବିଭାଗ ପକ୍ଷରୁ ଗତ ୨-୩ ମାସ ହେଲା ଏ ଦିଗରେ କାର୍ଯ୍ୟ ଆରମ୍ଭ ହୋଇଛି । ସହରର ଯାତାୟତ ବେଗ ୧୪-୧୮ କିମିରୁ ୨୦-୨୨କୁ ବୃଦ୍ଧି ପାଇଛି । ପିକ୍ ଟାଇମରେ ସହର ମଧ୍ୟକୁ ଭାରି ଓ ମଧ୍ୟମ ଯାନ ପ୍ରବେଶ କଟକଣା ଲାଗୁ କରିବା କାରଣରୁ ସହରରେ ଏବେ ଯାତାୟତ ବେଗ ବୃଦ୍ଧି ପାଇଛି । ଏହାଦ୍ୱାରା ଟ୍ରାଫିକ ସମସ୍ୟା ୨୦-୨୨ ପ୍ରତିଶତ ହ୍ରାସ ପାଇଛି ।