fbpx

କଂଗ୍ରେସକୁ ଭୟଭୀତ କଲାଣି ‘Operation Lotus’!: ଅତୀତରେ ୭ଟି ରାଜ୍ୟରେ କ’ଣ ଘଟିଥିଲା, ସ୍ୱତନ୍ତ୍ର ବିମାନରେ ଯାଇ ହୋଟେଲରେ ରହିବେ ସମସ୍ତ ବିଧାୟକ

ନୂଆଦିଲ୍ଲୀ: ସାରା ଦେଶବାସୀଙ୍କ ନଜର ରହିଛି କର୍ଣ୍ଣାଟକ ଉପରେ । କ’ଣ ହେବ କର୍ଣ୍ଣାଟକର ନିର୍ବାଚନ ଫଳାଫଳ । ବିଜେପି ନା କଂଗ୍ରେସ କିଏ ଗଠନ କରିବ ଏହି ଦକ୍ଷିଣ ଭାରତର ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ ସରକାର । ତେବେ ବର୍ତ୍ତମାନ ସୁଦ୍ଧା ଭୋଟ ଗଣତିର ରିପୋର୍ଟ କଂଗ୍ରେସ ସପକ୍ଷରେ ଯାଇଛି । କଂଗ୍ରେସରେ ଏବେ ୧୧୭ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୭୫ଟି ଓ ଜେଡିଏସ ୨୫ଟି ସିଟରେ ଆଗରେ ରହିଛନ୍ତି ।

ତେବେ ଆଉ ଦୁଇ ଘଣ୍ଟା ପରେ କର୍ଣ୍ଣାଟକର ଜନାଦେଶ କାହା ସପକ୍ଷରେ ଯିବ ସେନେଇ ଏକ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଯିବ । ବହୁ ଭୋଟରେ ଆଗୁଆ ରହିଥିବା ପ୍ରାର୍ଥୀ ଅଧିକାଂଶ ସମୟରେ ବିଜୟ ହାସଲ କରୁଥିବା ବେଳେ ବହୁତ କମ୍ କ୍ଷେତ୍ରରେ ଏହା ବ୍ୟତିକ୍ରମ ହୋଇଥାଏ । ତେବେ ଏହା ମଧ୍ୟରେ କଂଗ୍ରେସର ମୁଖ୍ୟାଳୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କର ଏକ ବୈଠକ ବସିଥିଲା । ଆଜି ରାତି ୮ଟା ସମୟରେ ବେଙ୍ଗାଲୁରୁର ହିଲଟନ ହୋଟେଲରେ ବିଧାୟକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି । କଂଗ୍ରେସର ବିଜୟ ସମ୍ଭାବନାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ସ୍ଥାନରେ କର୍ମକର୍ତ୍ତାମାନେ ବାଜା ବଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିବା ଆରମ୍ଭ କରିଦେଲେଣି ।

ଗୋଟିଏ ପଟେ ବିଜୟ ଆଡ଼କୁ କଂଗ୍ରେସ ଅଗ୍ରସର ହେଉଥିବା ବେଳେ ଏହା ମଧ୍ୟରେ ବିଜେପିର ଚକ୍ରବ୍ୟୁହ ଅସ୍ତ୍ର ‘ଅପରେସନ ଲୋଟସ’କୁ ନେଇ ଭୟଭୀତ ରହିଛି କଂଗ୍ରେସ । ‘ଅପରେସନ ଲୋଟସ’ର ଶକ୍ତି କେତେ ତାହା ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ଅରୁଣାଚଳ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡରେ ଅତୀତରେ ଭଲଭାବେ ଦେଖିବାକୁ ମିଳିଥିଲା । ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ରହିଥିଲେ ବି ବିଜେପିର ଏହି ଚକ୍ରବ୍ୟୁହ ବ୍ରହ୍ମାସ୍ତ୍ର ସମ୍ପୂର୍ଣ୍ଣ କାୟା ପଲଟାଇ ଦେଇପାରେ । ତେଣୁ ଏହି ମହାଅସ୍ତ୍ରକୁ ସାଇଡ୍ କରି କିପରି ରାଜ୍ୟରେ ସରକାର ଗଠନ କରିବ ତାହା ହିଁ କଂଗ୍ରେସର ପରବର୍ତ୍ତୀ ଲକ୍ଷ୍ୟ ।

ତେଣୁ ବିଜେପିକୁ କୌଣସି ସୁଯୋଗ ନଦେବା ପାଇଁ କଂଗ୍ରେସ ଏକ ଖାସ୍ ତରିକା ଆପଣାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼କେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ଡି.କେ ଶିବକୁମାରଙ୍କ ସହିତ ସମସ୍ତ ବିଧାୟକଙ୍କୁ ସୁରକ୍ଷିତ ଭାବେ ନେବା ପାଇଁ ଏକ ସ୍ୱତନ୍ତ୍ର ବିମାନ ପ୍ରସ୍ତୁତ ରଖାଯାଇଛି । ବିଜୟ ହାସଲ କରିବା ପରେ ସବୁ ବିଧାୟକଙ୍କୁ ଗୋଟିଏ ସ୍ଥାନରେ ରଖାଯିବ । ଏହି ସବୁ କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଉଛନ୍ତି ଖଡ଼ଗେ ।

Get real time updates directly on you device, subscribe now.