fbpx

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିର୍ମାଣ ଶ୍ରମିକଙ୍କ ପେନସନ୍ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟ ସରକାର ବିଭିନ୍ନ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି କରିଥିବା ବେଳେ ଏହା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ବଡ଼ ଘୋଷଣା କରିଛନ୍ତି । ନିର୍ମାଣ ଶ୍ରମିକଙ୍କ ପେନସନ୍ ରାଶି ବୃଦ୍ଧି କରାଯାଇଛି । ପଞ୍ଜିକୃତ ହୋଇଥିବା ନିର୍ମାଣ ଶ୍ରମିକମାନେ ଏହି ବର୍ଦ୍ଧିତ ପେନସନ୍ ପାଇବେ । ଗତ ଫେବୃଆରୀ ମାସରୁ ଏହା ପିଛିଲା ଭାବେ ଲାଗୁ ହେବ ।

୬୦ରୁ ଅଧିକ ବର୍ଷ ବୟସର ନିର୍ମାଣ ଶ୍ରମିକମାନେ ୫ ଶହ ଟଙ୍କା ବଦଳରେ ଏଣିକି ୧ ହଜାର ଟଙ୍କା ପେନସନ୍ ପାଇବେ । ସେହିପରି ୮୦ରୁ ଅଧିକ ବର୍ଷ ବୟସର ଶ୍ରମିକମାନେ ୭ ଶହ ବଦଳରେ ଏଣିକି ୧୨ ଶହ ଟଙ୍କା ପେନସନ୍ ପାଇବେ । ନୂଆ ପେନସନ୍ ଚଳିତ ବର୍ଷ ଫେବୃଆରୀ ମାସରୁ ପିଛିଲା ଭାବେ ଲାଗୁ ହେବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ଗତକାଲି ରାଜ୍ୟ ସରକାର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଶିକ୍ଷା ନିମନ୍ତେ ନିୟୋଜିତ ଶିକ୍ଷା ସ୍ୱେଚ୍ଛାସେବୀ, ଜନଜାତି ବହୁଳ ଜିଲ୍ଲାମାନଙ୍କରେ ନିୟୋଜିତ ବହୁଭାଷୀ ଶିକ୍ଷକ, କଳା ଓ କ୍ରୀଡ଼ା ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରିଥିଲେ ।

୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ନିର୍ମାଣ ଶ୍ରମିକମାନେ ତାଙ୍କୁ ପେନସନ୍ ବୃଦ୍ଧି ନେଇ ଅନୁରୋଧ କରିଥିଲେ । ଏହି ପ୍ରସ୍ତାବ ଉପରେ ବିଚାର କରି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧିନରେ ପଞ୍ଜିକୃତ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କ ପେନସନ୍ ରାଶିରେ ବୃଦ୍ଧି ହୋଇଛି । ଏ ବାବଦରେ ଆବଶ୍ୟକୀୟ ଖର୍ଚ୍ଚ ଏହି ବୋର୍ଡ ପକ୍ଷରୁ ବହନ କରାଯିବ ।

Get real time updates directly on you device, subscribe now.