ଆସନ୍ତାକାଲି ବସିବ କୋର କମିଟି ବୈଠକ, ହୋଇପାରେ ବଡ଼ ଆଲୋଚନା
ବସିବାକୁ ଯାଉଛି ବିଜେପିର କୋର କମିଟି ବୈଠକ। କିଏ ହେବେ ରାଜ୍ୟ ସଭାପତି। ବୈଠକରେ ହୋଇପାରେ ଆଲୋଚନା!
ଭୁବନେଶ୍ୱର: ଆସନ୍ତାକାଲି ବସିବ ବିଜେପିର କୋର କମିଟି ବୈଠକ। ରାଜ୍ୟ କାର୍ଯ୍ୟାଳୟରେ ଦିନ ୧୧ଟାରେ ବସିବ ବୈଠକ। ଏହି ବୈଠକରେ ବିଜେପିର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ହେବେ ସାମିଲ।
ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ହେବେ ସାମିଲ। କୋର କମିଟିର ସମସ୍ତ ସଦସ୍ୟ ରହିବେ ଉପସ୍ଥିତ। ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ରାଜ୍ୟର ସାଂଗଠନିକ ନିର୍ବାଚନ ସ୍ଥିତି ନେଇ ହେବ ଆଲୋଚନା।
କ’ଣ ହେବ ଆଲୋଚନା: ରାଜ୍ୟ ସଭାପତି ନିର୍ବାଚନ ନେଇ ହୋଇପାରେ ଆଲୋଚନା। କାରଣ ପ୍ରାୟ କିଛି ବର୍ଷ ଅନ୍ତରାଳରେ ରାଜ୍ୟ ସଭାପତି ନିର୍ବାଚନ ହୋଇଥାଏ। ଆଉ ଏହାରି ଭିତରେ ବିଜେପି ରାଜ୍ୟ ସଭାପତି ନିର୍ବାଚନକୁ ପାଖାପାଖି ୫ ବର୍ଷ ହୋଇଗଲାଣି।
ତେଣୁ ନୂଆ ସଭାପତି ଚୟନ ନେଇ ଆସନ୍ତାକାଲି ବସିବାକୁ ଥିବା ବୈଠକରେ ଆଲୋଚନା ହୋଇପାରେ। ଏମିତିରେ ନିକଟରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିସାରିଛି ବିଜେପି।
ସଭାପତି ଚୟନ: ଯେହେତୁ ରାଜ୍ୟ ସଭାପତି ଚୟନରେ ଜିଲ୍ଲା ସଭାପତିମାନଙ୍କର ଭୂମିକା ଅଧିକା ରହିଥାଏ। ସେଥିପାଇଁ ପ୍ରଥମେ ସଭ୍ୟ ସଂଗ୍ରହ ଅଭିଯାନ ହୁଏ। ପରେ ଜିଲ୍ଲା ସଭାପତି ବଛା ଯାଆନ୍ତି। ଆଉ ଶେଷରେ ରାଜ୍ୟ ସଭାପତି ନିର୍ଣ୍ଣୟ କରାଯାଏ।
ଆଉ ଏହି ପରିପ୍ରେକ୍ଷୀରେ ରାଜ୍ୟରେ ସଭ୍ୟ ସଂଗ୍ରହ ଅଭିଯାନ ସରିଛି। ଜିଲ୍ଲା ସଭାପତି ବି ଘୋଷଣା ହୋଇସାରିଛି। ଆଉ କେବଳ ବାକି ରହିଛି ରାଜ୍ୟ ସଭାପତି। ଆଉ ସେହି ସଂକ୍ରାନ୍ତରେ ଆସନ୍ତାକାଲି ବୈଠକରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
କିଏ ହେବେ ସଭାପତି: ହେଲେ ସବୁଠାରୁ ବଡ଼ କଥା କାହା ହାତରେ ଦିଆଯିବ ରାଜ୍ୟର ଦାୟିତ୍ୱ। କିଏ ସମ୍ଭାଳି ପାରିବ ରାଜ୍ୟ ବିଜେପିକୁ। ଏମିତିରେ ଆଗକୁ ଆସୁଛି ପୌର ନିର୍ବାଚନ। ତେଣୁ କାହା ମୁଣ୍ଡରେ ରହିବ ରାଜ୍ୟର ସମସ୍ତ ଭାର।
ନା ବର୍ତ୍ତମାନର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପୁଣିଥରେ ରିପିର୍ଟ କରାଯିବ। ଯେହେତୁ ତାଙ୍କ ସଭାପତିତ୍ତ୍ୱରେ ରାଜ୍ୟରେ ଏତେବଡ ପରିବର୍ତ୍ତନ ହୋଇଛି। ଏବଂ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଢ଼ିବାରେ ସଫଳ ହୋଇଛି। ତେଣୁ ତାଙ୍କ ନାଁ ପ୍ରଥମରେ ଆସୁଛି ବୋଲି କୁହାଯାଉଛି।