fbpx

ରାଜ୍ୟରେ ସୁସ୍ଥ ଲୋକଙ୍କୁ ମାସ୍କ ଦରକାର ନାହିଁ, ସମସ୍ତ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍

ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ଥିବା ବେଳେ ଭାରତରେ ୩୯ ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରାଯାଇଛି । କରୋନାକୁ ନେଇ ଭୟଭୀତ ହେବାର କାରଣ ନାହିଁ ବୋଲି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ । ସେ କହିଛନ୍ତି ଯେ, ‘ସୁସ୍ଥ ବ୍ୟକ୍ତିଙ୍କ ପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ । ରୋଗୀ, ସନ୍ଦିଗ୍ଧ ଏବଂ ହସ୍ପିଟାଲ କର୍ମଚାରୀଙ୍କ ପାଇଁ ମାସ୍କ ଦରକାର । ସାଧାରଣ ଲୋକଙ୍କୁ ଆତଙ୍କିତ ହେବାର କୌଣସି କାରଣ ନାହିଁ । ସ୍ୱାସ୍ଥ୍ୟ ବିଭାଗ ପାଖରେ ୯ ମାସ ପାଇଁ ମେଡିସିନ ମହଜୁଦ ଅଛି ।’

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ହସ୍ପିଟାଲରେ ଭର୍ତ୍ତି ୧୦ ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଚିକିତ୍ସିତ ହେଉଥିବା ଆୟାର୍ଲାଣ୍ଡ ନାଗରିକଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି । କରୋନା ସତର୍କତା ପାଇଁ ୧୦ ସୂତ୍ରୀ ଦିଗ ଉପରେ ସରକାର ଫୋକସ୍ କରିଛନ୍ତି । ନମୁନା ଟେଷ୍ଟ ପାଇଁ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ରଖାଯାଇଛି । ବିମାନବନ୍ଦର ଓ ବନ୍ଦରରେ ଯାତ୍ରୀମାନଙ୍କୁ ସ୍କ୍ରିନିଂ କରାଯାଉଛି । ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱତନ୍ତ୍ର ୱାର୍ଡ ରଖାଯାଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସମେତ ୩ଟି ଟେଲିଫୋନ୍ ନମ୍ବର ଜାରି କରାଯାଇଛି ।

ତେବେ ଓଡିଶାରେ କରୋନା ଭୂତାଣୁ ନମୁନା ପରୀକ୍ଷା ଆରମ୍ଭ ହୋଇଯାଇଛି । ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର ବା RMRCରେ କରୋନା ଭୂତାଣୁ ପରୀକ୍ଷା କରାଯାଉଛି । ପ୍ରଥମେ ଓଡିଶାରେ କରୋନା ଟେଷ୍ଟ ହୋଇପାରୁନଥିଲା । କରୋନା ଟେଷ୍ଟ ପାଇଁ ନମୁନା ପୁଣେ ଓ କୋଲକାତାକୁ ପଠାଯାଉଥିଲା । କିନ୍ତୁ ଏବେ ଭୁବନେଶ୍ୱର RMRCରେ କରୋନା ଟେଷ୍ଟ ଆରମ୍ଭ ହୋଇଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

Get real time updates directly on you device, subscribe now.