fbpx

ବ୍ରିଟେନ ଷ୍ଟ୍ରେନ୍ ଏବଂ ଭାରତରେ ମିଳୁଥିବା କରୋନାର ଭ୍ୟାରିଏଣ୍ଟ ଉପରେ ସ୍ୱଦେଶୀ ‘କୋଭାକ୍ସିନ’ ପ୍ରଭାବଶାଳୀ ଅଟେ: ଭାରତ ବାୟୋଟେକ

ନୂଆଦିଲ୍ଲୀ, ୧୬/୫: ଭାରତ ଏବଂ ବ୍ରିଟେନରେ ଦେଖାଯାଉଥିବା କରୋନା ଷ୍ଟ୍ରେନ ବିରୁଦ୍ଧରେ କୋଭାକ୍ସିନ ପ୍ରଭାବଶାଳୀ ହେଉଥିବା ନେଇ ରବିବାର ଭାରତ ବାୟୋଟେକ ସୂଚନା ଦେଇଛି । ଏକ ଜଣାଶୁଣା ମେଡିକାଲ ଜର୍ଣ୍ଣାଲରେ ପ୍ରକାଶିତ ଅନୁସନ୍ଧାନକୁ ଦର୍ଶାଇ ଟିକା ନିର୍ମାତା ଭାରତ ବାୟୋଟେକ କହିଛି ଯେ ଯଥାକ୍ରମେ ଭାରତ ଏବଂ ବ୍ରିଟେନରେ ବି.୧.୬୧୭ ଏବଂ ବି.୧.୧.୭ ସମେତ କରୋନା ଭୂତାଣୁର ସମସ୍ତ ଭ୍ୟାରିଏଣ୍ଟ ଉପରେ ଏହା ପ୍ରଭାବଶାଳୀ ହୋଇଛି ।

କମ୍ପାନୀର କହିବାନୁସାରେ, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ସହଯୋଗରେ ଏହି ଗବେଷଣା କରାଯାଇଥିଲା । ଭାରତ ବାୟୋଟେକର ସହ-ପ୍ରତିଷ୍ଠାତା ତଥା ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସୁଚିତ୍ରା ଇଲା ଏକ ଟୁଇଟ୍‌ରେ କହିଛନ୍ତି ଯେ “କୋଭାକ୍ସିନ ପୁଣି ଥରେ ଆନ୍ତର୍ଜାତୀୟ ସ୍ତରରେ ପରିଚୟ ପାଇଛି, ପ୍ରକାଶିତ ହୋଇଥିବା ବୈଜ୍ଞାନିକ ଅନୁସନ୍ଧାନ ତଥ୍ୟ ମଧ୍ୟ ନୂତନ ଭ୍ୟାରିଏଣ୍ଟଠାରୁ ସୁରକ୍ଷା ପ୍ରଦର୍ଶନ କରୁଥିବା ଦର୍ଶାଯାଇଛି ।”

ଉଲ୍ଲେଖନୀୟ, ଦେଶରେ ଚାଲିଥିବା ଟିକାକରଣ ଅଭିଯାନରେ କୋଭାକ୍ସିନ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । କୋଭାକ୍ସିନ ହେଉଛି ସମ୍ପୂର୍ଣ୍ଣ ସ୍ୱଦେଶୀ ଟିକା । ଏହା ବ୍ୟତୀତ ଟିକାକରଣ ଅଭିଯାନରେ ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲଡ ମଧ୍ୟ ବ୍ୟବହାର କରାଯାଉଛି।
ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ରାଜ୍ୟକୁ ୨୦ କୋଟିରୁ ଅଧିକ କରୋନା ଟିକା ମାଗଣାରେ ଦିଆଯାଇଛି । ମନ୍ତ୍ରଣାଳୟ ଅନୁଯାୟୀ, ‘ଏପର୍ଯ୍ୟନ୍ତ ଭାରତ ସରକାରଙ୍କ ମାଧ୍ୟମରେ ରାଜ୍ୟ,କେନ୍ଦ୍ରଶାସିତ ଅଞ୍ଚଳକୁ ୨୦ କୋଟିରୁ ଅଧିକ (୨୦,୨୮,୦୯,୨୫୦) ଟିକା ଡୋଜ ମାଗଣାରେ ଦିଆଯାଇଛି। ୧.୮୪ କୋଟିରୁ ଅଧିକ (୧,୮୪,୪୧,୪୭୮) ଟିକା ଡୋଜ ଏବେ ଉପଲବ୍ଧ ରହିଛି । ଏହା ବ୍ୟତୀତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଆସନ୍ତା ୩ ଦିନରେ ପ୍ରାୟ ୫୧ ଲକ୍ଷ ଡୋଜ ଯୋଗାଇଦିଆଯିବ ।’

Get real time updates directly on you device, subscribe now.