fbpx

ଗଛମୂଳେ ରହୁଛନ୍ତି ବାହାର ଜିଲ୍ଲାରୁ ଆସିଥିବା ଯୁବକମାନେ,ଜାଣିଅଜଣା ପ୍ରଶାସନ

ଭୁବନେଶ୍ୱର:୬ ।୫(ଓଡିଶା ଭାସ୍କର): କୋଭିଡ-19ର ସଂକ୍ରମଣ ରୋକିବା ପାଇଁ ଏକତାବଦ୍ଧ ହୋଇ ମୁକାବିଲା କରିବାକୁ ଆହ୍ଵାନ ଦେବା ସହିତ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚାରିତ ସଚେତନବାର୍ତ୍ତା ପାଲଟିଛି ପ୍ରହସନ। ବାହାର ଜିଲ୍ଲାରୁ ଘରକୁ ଫେରିଥିବା ଆଦିବାସୀ ଯୁବକଙ୍କୁ ସଂଗରୋଧଗୃହ ବ୍ୟବସ୍ଥା ଯୋଗାଇ ଦେବାକୁ ଗ୍ରାମବାସୀ, ଆଶାକର୍ମୀ, ଅଙ୍ଗନୱାଡ଼ି ମହିଳାକର୍ମୀଙ୍କ ଅନୁରୋଧକୁ ଶୁଣିଲାନି ବ୍ଲକ କି ତହସିଲ ପ୍ରଶାସନ। ଖରାବର୍ଷାରେ ଗଛମୂଳେ କଟାଇଲେ ଦୁଇଦିନ। ଏଭଳି ଏକ ସ୍ପର୍ଶକାତର ଘଟଣା ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଭଦୁଆଶୋଳ ପଞ୍ଚାୟତରେ ଦେଖିବାକୁ ମିଳିଛି। ତେବେ ଜିଲ୍ଲା ପ୍ରଶାସନ କୋଭିଡ-19ମୁକାବିଲା ପାଇଁ ଯେତିକି ସକ୍ରିୟ ହେଉଛି ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ବ୍ଲକ ହେଉକି ତହସିଲ ପ୍ରଶାସନ ନିକଟରେ ସେତିକି ଆନ୍ତରିକତାର ଅଭାବ ଦେଖାଦେଉଥିବା ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି ଅଭିଯୋଗ ହେଉଛି। ଖବର ଅନୁସାରେ, କରୋନାକୁ ନେଇ ଲକଡାଉନ ଘୋଷଣା ହୋଇ ଜାରୀ ରହିଥିବାରୁ କଟକ ଜିଲ୍ଲାରେ ରହି କାମକରୁଥିବା ୨ଯୁବକ ନିଜ ଗାଁ ଭଦୁଆଶୋଳକୁ ଫେରିଆସିଛନ୍ତି। ହେଲେ ଗାଁରେ ଲୋକେ ପୂରାଇ ଦେଇନଥିଲେ। ଏନେଇ ଘଟଣାସ୍ଥଳରେ ଉପସ୍ଥିତ ହୋଇଥିବା ଆଶାକର୍ମୀ,ଅଙ୍ଗନୱାଡ଼ିକର୍ମୀ ରାସଗୋବିନ୍ଦପୁର ବ୍ଲକ ବିଡ଼ିଓ ଏବଂ ତହସିଲଦାରଙ୍କୁ ଫୋନକରି ଜଣାଇଥିଲେ। ତହସିଲଦାର ବୁଝୁଛି କହିଥିବା ବେଳେ ନିଜଘରେ ସଂଗରୋଧ ଭାବେ ରହିବାକୁ ବିଡ଼ିଓ କହିଥିଲେ। ମାତ୍ର ଉଭୟ କଟକ ଫେରନ୍ତାଙ୍କ ଘର ପରିବାର ଲୋକଙ୍କ ପାଇଁ ଯଥେଷ୍ଟ ହେଉନଥିବା ବେଳେ ସଂଗରୋଧ ଭାବେ ରହିବେ କେମିତି ବୋଲି କହିଥିଲେ। ତେବେ ଦେଖାଦେଇଥିବା ସମସ୍ୟାର ସମାଧାନ ପାଇଁ ଅନୁରୋଧ କରି ଉଭୟ ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀ ବିଡ଼ିଓଙ୍କୁ ଜଣାଇବାରୁ ଉତକ୍ଷିପ୍ତ ହୋଇଉଠି ଥିଲେ ବିଡ଼ିଓ। ତେବେ କଣ ଆଣି ମୋ ଘରେ ରଖିବି ବୋଲି ଉତ୍ତର ଦେଇଥିଲେ ବିଡ଼ିଓ। ଅନ୍ୟପଟେ ପଞ୍ଚାୟତର ସରପଞ୍ଚ ଧରାଛୁଆଁ ଦେଇନଥିଲା ବେଳେ ଜିଦରେ ଅଟଳ ଥିଲେ ଗ୍ରାମବାସୀ। ଏଭଳି ସ୍ଥିତିର ମୁକାବିଲା ପାଇଁ ଘରକୁ ଫେରୁଥିବା ଆନ୍ତଃଜିଲ୍ଲା ଓ ପ୍ରବାସୀ ଓଡ଼ିଆଙ୍କୁ ପ୍ରଥମେ ସଂଗରୋଧ ଗୃହରେ ରଖିବାର ବ୍ୟବସ୍ଥା କରାଇଛନ୍ତି ରାଜ୍ୟ ସରକାର। ତାହା ପୁଣି ସ୍ଥାନୀୟ ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଞ୍ଚାୟତ ସ୍ତରରେ ହୋଇଛି। ଏହାପରେ ବି ସଂଗରୋଧ ଗୃହରେ ଦୁଇ ଯୁବକଙ୍କୁ ରଖିବାରେ ସ୍ଥାନୀୟ ପ୍ରଶାସନ ବିଫଳ ହେବା ଠାରୁ ଲଜ୍ୟାଜନକ ଘଟଣା ଆଉ କଣ ହୋଇପାରେ ବୋଲି ଅଭିଯୋଗ ହେଉଛି। ଯାହା କରୋନା ସଂକ୍ରମଣ ରୋକିବା ଦାୟିତ୍ବରେ ଥିବା ସ୍ଥାନୀୟ ପ୍ରଶାସନର ଆନ୍ତରିକତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ଏହି ଦାୟିତ୍ବହୀନତା ପାଇଁ ଦୁଇ ନିରୀହ ଯୁବକ ଖରାବର୍ଷାରେ ଗଛମୂଳେ ରହିବାକୁ ବାଧ୍ୟ ହୋଇ ଥିଲେ। ମାତ୍ର ଶେଷରେ ଗ୍ରାମବାସୀ ମାନବିକତା ଦେଖାଇ ଗାଁ କ୍ଲବଘର ବାରଣ୍ଡାରେ ରହିବାକୁ ଅନୁମତି ଦେଇଥିଲେ।

Get real time updates directly on you device, subscribe now.