fbpx

PF ସୁଧ ହ୍ରାସ ନିଷ୍ପତ୍ତିକୁ ପ୍ରତ୍ୟାହାର କରିବେ କି କେନ୍ଦ୍ର ସରକାର, ଅର୍ଥମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ)ର ସମସ୍ତ କର୍ମଚାରୀଙ୍କୁ ଏକ ଜବରଦସ୍ତ ଝଟକା ମିଳିଥିଲା । ଇପିଏଫଓର ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟି ଦ୍ୱାରା ପିଏଫ ଖାତାଧାରୀଙ୍କ ସୁଧ ହ୍ରାସ କରାଯାଇଥିଲା । ପିଏଫ ଖାତାଧାରୀଙ୍କୁ ୮.୧ ପ୍ରତିଶତ ସୁଧ ମିଳବ ବୋଲି ଇପିଏଫଓ ବୈଠକରେ ସ୍ଥିର କରାଯାଇଥିଲା । କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ଇପିଏଫଓର ୬ କୋଟି କର୍ମଚାରୀ ପ୍ରଭାବିତ ହେବାର ଆଶଙ୍କା ରହିଛି । ଯଦି ଏହି ନିୟମ ଲାଗୁହୁଏ, ତେବେ ଏହାଦ୍ୱାରା କର୍ମଚାରୀଙ୍କୁ ମିଳିବାକୁ ଥିବା ସୁଧ ବିଗତ ୪୦ ବର୍ଷର ଇତିହାସରେ ସବୁଠାରୁ କମ୍ ସୁଧ ହେବ । ତେବେ ଏହି ନିଷ୍ପତ୍ତି ଉପରେ କେବଳ କେନ୍ଦ୍ର ସରକାରଙ୍କର ମୋହର ବାଜିବା ବାକି ଥିବାବେଳେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।

ଏନେଇ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ)ର ଜଣେ ସାଂସଦ ବିନୟ ବିଶ୍ୱମ ବିଜେପି ସରକାର ଉପରେ ବର୍ଷିଛନ୍ତି । ପିଏଫ ଖାତାଧାରୀଙ୍କ ସୁଧ ଦର ୮.୫ ପ୍ରତିଶତରୁ ୮.୧ ପ୍ରତିଶକୁ ହ୍ରାସ କରିବା ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ବିନୟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି । ଇପିଏଫଓ ଏପରି ମନୋମୁଖୀ ଭାବେ ନିଷ୍ପତ୍ତି ନେବା ଅନୁଚିତ । ଦେଶର କୋଟି କୋଟି ଗରିବ ଲୋକଙ୍କ ହିତ ପାଇଁ ସରକାର ଚିନ୍ତା କରୁନଥିବା ଏଥିରୁ ସ୍ପଷ୍ଟ ହେଉଥିବା ସେ କହିଛନ୍ତି ।

ସେ ପୁଣି କହିଛନ୍ତି ଯେ, ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବିଜେପି ୪ଟି ରାଜ୍ୟରେ ଶାନଦାର ପ୍ରଦର୍ଶନ କରି ସରକାର ଗଠନ କରିବାକୁ ଯାଉଛି । ନିର୍ବାଚନ ସରୁ ସରୁ ବିଜେପି ତା’ର ଅସଲ ରଙ୍ଗ ଦେଖାଇ ଦେଇଛି । ପିଏଫ ସୁଧ ଦର ହ୍ରାସ ପାଇଁ ଇପିଏଫଓ ଉପରେ ଅର୍ଥମନ୍ତ୍ରୀଙ୍କ ପକ୍ଷରୁ ପୂର୍ବରୁ ଚାପ ପଡ଼ୁଥିଲା । ଜନସାଧାରଣଙ୍କ ସାମାଜିକ ସୁରକ୍ଷାରେ ବାଧା ସୃଷ୍ଟି କରିବା ଆଦୌ ଠିକ୍ ନୁହେଁ । କୋଭିଡ-୧୯ କାରଣରୁ ଲକ୍ଷ ଲକ୍ଷ ଶ୍ରମିକଙ୍କର ଆର୍ଥିକ ମେରୁଦଣ୍ଡ ଭୁଶୁଡ଼ି ପଡ଼ିଛି । ପୁଣି ସୁଧ ଦରରେ ହ୍ରାସ ଫଳରେ ୬ କୋଟି ବେତନଭୋଗୀ କର୍ମଚାରୀ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବେ ।

ତେବେ ସାଂସଦ ବିନୟଙ୍କର ଏହି ପଦକ୍ଷେପ ଫଳରେ କେନ୍ଦ୍ର ସରକାର ପୂର୍ବ ନିଷ୍ପତ୍ତିକୁ କାଏମ୍ ରଖୁଛନ୍ତି କି ପ୍ରତ୍ୟାହାର କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଯଦି ସରକାର ନିଷ୍ପତ୍ତିକୁ ପ୍ରତ୍ୟାହାର କରନ୍ତି, ତେବେ ଏହାଦ୍ୱାରା ୬ କୋଟି ବେତନଭୋଗୀ ନିଶ୍ଚିତ ଭାବେ ଉପକୃତ ହେବେ ।

Get real time updates directly on you device, subscribe now.