fbpx

ଜାଲ୍ ସାର୍ଟିଫିକେଟ ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜ୍ୟରେ ନକଲି ସାର୍ଟିଫିକେଟ ମାମଲା ବଢ଼ିବାରେ ଲାଗିଛି । କିଛିଦିନ ଧରି ବଲାଙ୍ଗିର ଫେକ୍ ସାର୍ଟିଫିକେଟ କେସକୁ ନେଇ ରାଜ୍ୟ ପଡ଼ୁଛି ଉଠୁଛି । ଏହି ନକଲି ସାର୍ଟିଫିକେଟ ଦାଖଲ କରି ୪ ଜଣ ପୋଷ୍ଟମାଷ୍ଟର ଚାକିରି କରିଥିବା ଜଣାପଡ଼ିଥିଲା । ଏହା ମଧ୍ୟରେ ଏହି ରାକେଟର ମାଷ୍ଟରମାଇଣ୍ଡଙ୍କୁ ଗିରଫ କରାଯାଇଛି । କାହା ଆକାଉଣ୍ଟକୁ ନେଇ ଟଙ୍କା ପଠାଯାଇଛି, ଜାଲ୍ ସାର୍ଟିଫିକେଟ ବାବଦକୁ କେତେ ଟଙ୍କା ଦିଆନିଆ ହୋଇଛି, ସେନେଇ ତଦନ୍ତ ଜାରି ରହିଛି ।

ତେବେ ଏହା ମଧ୍ୟରେ ଜାଲ ସାର୍ଟିଫିକେଟକୁ ନେଇ ରାଜ୍ୟ ସରକାର ଏ ବଡ଼ ପଦକ୍ଷେପ ନେଇଛନ୍ତି । ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି କ୍ରାଇମବ୍ରାଞ୍ଚର ଏକ ଟିମ୍ ବଲାଙ୍ଗିର ଗସ୍ତ କରିବ ବୋଲି ସୂଚନା ମିଳିଛି । ଆବଶ୍ୟକ ପଡ଼ିଲେ ରାଜ୍ୟ ବାହାରକୁ ଯାଇ ଖୋଳତାଡ଼ କରାଯିବ ବୋଲି କୁହାଯାଇଛି ।

ଜାଲ ସାର୍ଟିଫିକେଟ ରାକେଟ କିଏ ଚଳାଉଛି ସେନେଇ ରାଜ୍ୟ ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୯ ଜଣ ଗିରଫ ହୋଇସାରିଥିବା ବେଳେ ଆଗକୁ ମଧ୍ୟ ଏହି ସଂଖ୍ୟା ବଢ଼ିପାରେ । ଏପରିକି ଏହି ର୍ୟାକେଟ ପଛରେ କିଛି ରାଜନେତାଙ୍କ ସମ୍ପୃକ୍ତି ଥିବାନେଇ ଗୃହରେ ଶାସକ-ବିରୋଧୀ ମଧ୍ୟରେ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା । ଗରିବ ତଥା ମଧ୍ୟବିତ୍ତ ଶ୍ରେଣୀର ପିଲାମାନେ ସରକାରୀ ଚାକିରି ଖଣ୍ଡେ ପାଇବା ପାଇ ଦିନରାତି ପରିଶ୍ରମ କରୁଛନ୍ତି । ମାତ୍ର କେହି ଜଣେ ଅଯୋଗ୍ୟ ତଥା ମୁର୍ଖ ବ୍ୟକ୍ତି ମୋଟା ଅଙ୍କ ଦେଇ ଜାଲ୍ ସାର୍ଟିଫିକେଟ ଦାଖଲ କରି ଏହି ଚାକିରି ହାତେଇ ନେଉଛି । ଆଗକୁ ଏହି ମାମଲାରେ ଅନେକ ଗୁମର ଖୋଲିବ ବୋଲି ଆଶା କରାଯାଉଛି । ତେବେ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି, ଜାଲ୍ ସାର୍ଟିଫିକେଟ ଦେଇ ଜଣେ ସରକାରୀ ଚାକିରି କରିପାରୁଛି କେମିତି, ଏହି ସାର୍ଟିଫିକେଟକୁ ଠିକ୍ ଭାବେ ଯାଞ୍ଚ କରାଯାଉ ନାହିଁ କି?

Get real time updates directly on you device, subscribe now.