fbpx

ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ଉଗ୍ର ହେଉଛି ହିନ୍ଦୁ ମହିଳାଙ୍କ ଆନ୍ଦୋଳନ, ୧୪୪ ଧାରା ଜାରି , ଅଭିଯୋଗ ଉପରେ NCW ଦାବୀ କଲା ତୁରନ୍ତ କାର୍ଯ୍ୟାନୁଷ୍ଠାନ

କୋଲକାତା: ପଶ୍ଚିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲା ସନ୍ଦେଶଖାଲି ଅଞ୍ଚଳରେ ଏବେ ପରିସ୍ଥିତି ଅଶାନ୍ତ ରହିଛି । ଏବେ ସେଠାରେ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯିବା ସହିତ ୧୪୪ ଧାରା ଜାରି କରାଯାଇଛି । ଫେରାର ହୋଇଯାଇଥିବା ତୃଣମୂଳ ନେତା ଶେଖ୍ ଶାଜାହାନ ଓ ତାଙ୍କ ସହଯୋଗୀଙ୍କ ଗିରଫ ଦାବୀ କରି ସ୍ଥାନୀୟ ଲୋକମାନେ ବିରୋଧ ପ୍ରଦର୍ଶନ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ।

ଶେଖ୍ ଶଜାହାନ ଓ ତାଙ୍କ ସହଯୋଗୀଙ୍କ ପକ୍ଷରୁ ହିନ୍ଦୁ ମହିଳାଙ୍କ ଉପରେ ହୋଇଥିବା ଯୌନ ନିର୍ଯ୍ୟାତନା ଅଭିଯୋଗକୁ ଗମ୍ଭୀରତାର ସହ ନେବା ସହିତ ନ୍ୟାସନାଲ କମିଶନ ଫର୍ ଓମେନ୍ NCW ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।ଏହା ପୂର୍ବରୁ ସନ୍ଦେଶଖାଲି ମଧ୍ୟକୁ ବିଜେପିର ଏକ ଦଳକୁ ଯିବାକୁ ଅନୁମତି ଦିଆଯାଇ ନ ଥିଲା ଯେହେତୁ ଅଞ୍ଚଳରେ ଏବେ ୪ ରୁ ଅଧିକ ଲୋକଙ୍କ ଏକତ୍ରୀତ ହେବା ଉପରେ ପ୍ରତିବନ୍ଧ ଲଗାଯାଇଛି ।

ଗତ ୩ ଦିନ ଧରି ଶେଖ୍ ଶାଜାହାନର ଗିରଫ ଦାବୀ କରି ସ୍ଥାନୀୟ ମହିଳାମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଗତ ମାସରେ ଇଡିର ଏକ ଟିମ୍ ରାସନ ଦୁର୍ନିତୀରେ ଅଭିଯୁକ୍ତର ଘର ରେଡ୍ କରିବାକୁ ଆସିବା ପର ଠାରୁ ଅଭିଯୁକ୍ତ କେଉଁଆଡେ ଫେରାର ହୋଇଯାଇଛି । ବିରୋଧ ପ୍ରଦର୍ଶନ କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି କି ଶେଖ୍ ଶାଜାହାନ ଓ ତାଙ୍କ ସହଯୋଗୀ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେବା ସହ ବଳପୂର୍ବକ ବହୁ ଲ୍ୟାଣ୍ଡ ଅକ୍ତିଆର କରିଛନ୍ତି ।

ହାତରେ ଝାଡୁ ଓ ବାଡି ଧରି ଶହ ଶହ ସ୍ଥାନୀୟ ମହିଳା ଏବେ ସନ୍ଦେଶଖାଲିର ବିଭିନ୍ନ ଅଞ୍ଚଳରେ ଜୋରଦାର ଆନ୍ଦୋଳନ ଜାରି ରଖିଛନ୍ତି । ଶୁକ୍ରବାର ଶେଖ୍ ଶାଜାହାନର ସହଯୋଗୀ ଶିବୁପ୍ରସାଦ ହାଜରାରର ଘର ଉପରେ ଆକ୍ରମଣ କରାଯାଇ ଘର ଭିତରେ ଥିବା ଆସବାବପତ୍ର ଭଙ୍ଗାରୁଜା କରାଯାଇଥିଲା । ଏହାସହିତ ଆନ୍ଦୋଳନକାରୀମାନେ ତାଙ୍କର ଏକ ବ୍ରଏଲର ଫାର୍ମରେ ବି ନିଆଁ ଲଗାଇ ଦେଇଥିଲେ । ଏହା ସହିତ ଆନ୍ଦୋଳନକାରୀ ମହିଳାମାନେ ସନ୍ଦେଶଖାଲି ଥାନା ବାହାରେ ମଧ୍ୟ କିଛି ସମୟ ବସିରହିଥିଲେ । ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଅଟକ ରଖିଛି ।

ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏଡିଜି ମନୋଜ ବର୍ମା ଲୋକଙ୍କୁ ଆଇନକୁ ହାତକୁ ନ ନେବା ପାଇଁ ନିବେଦନ କରିଛନ୍ତି । ଏହା ସହିତ ସେ କହିଛନ୍ତି ସମସ୍ତ ଅଭିଯୋଗର ଯାଞ୍ଚ କରାଯାଉଛି ଓ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାରି ମଧ୍ୟରେ ଶାଜାହାନର ସମର୍ଥକମାନେ ମଧ୍ୟ ତାଙ୍କ ସୁରକ୍ଷାରେ ରାସ୍ତାକୁ ବାହାରିଛନ୍ତି ଯାହା ପୋଲିସର ଚିନ୍ତା ବଢାଇ ଦେଇଛି । ଅନ୍ୟପକ୍ଷରେ ଟିଏମସି କହିଛି ବିଜେପି ଓ ସିପିଆଇଏମ୍ ଲୋକଙ୍କୁ ଏପରି ଆନ୍ଦୋଳନ ଲାଗି ପ୍ରବର୍ତ୍ତାଉଛନ୍ତି । ଟିଏମସି ମୁଖବକ୍ତା କୁନାଲ ଘୋଷ କହିଛନ୍ତି ଏହା ଏକ ଭିନ୍ନ ମାମଲା ଓ ଏହା ଉପରେ ଲୋକଙ୍କ ଅଭିଯୋଗକୁ ଶୁଣାଯିବ । କିନ୍ତୁ କେତେକ ଚକ୍ରାନ୍ତକାରୀ ଗୋଷ୍ଠୀ ଏହାର ଫାଇଦା ଉଠାଉଛନ୍ତି ।

Get real time updates directly on you device, subscribe now.